ବଢ଼ୁଛି ଦୁଷ୍ମନ୍ତ ମୃତ୍ୟୁ ରହସ୍ୟ: ୨ ୱେବ ସାମ୍ବାଦିକଙ୍କ ଭୂମିକାକୁ ନେଇ ଚର୍ଚ୍ଚା

ବଢ଼ୁଛି ଦୁଷ୍ମନ୍ତ ମୃତ୍ୟୁ ରହସ୍ୟ

ଆଜି ଜେରା ହେବେ ଦୁଇ ୱେବ ସାମ୍ବାଦିକ

କଟକ: କୁଜଙ୍ଗର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଦୁଇ ୱେବ ଚ୍ୟାନେଲ୍ ସାମ୍ବାଦିକ ସହ ଫୋନ୍‌ରେ ଯୋଗାଯୋଗ କରିଥିଲେ। ସ୍ବପ୍ନା ଟିଭିର ଦୁଇ ସାମ୍ବାଦିକ ଅସିତ କୁମାର ରାଉତ ଏବଂ ଦୀପ୍ତି ଓରଫ ଦାମୋଦର ସେଠୀଙ୍କ ଫୋନ୍‌ରେ ସେ କଥାବାର୍ତ୍ତା ହୋଇଥିବା ମଙ୍ଗଳାବାଗ ଥାନା ପୁଲିସ ଜାଣିବା ପରେ ସେମାନଙ୍କୁ ଆସନ୍ତାକାଲି ଥାନାରେ ହାଜର ପାଇଁ ସମନ୍ ଜାରି କରିଛି। ଉଭୟଙ୍କୁ ପୁଲିସ ଜେରା କରିବ। କେବଳ ମୃତ୍ୟୁ ପୂର୍ବରୁ ନୁହେଁ, ଗଲା କିଛି ଦିନ ହେବ ବି ଏମାନେ ଦୁଷ୍ମନ୍ତଙ୍କ ଯୋଗାଯୋଗରେ ଥିବାରୁ ପୁଲିସ ସ୍କାନରରେ ଏବେ ଏହି ଦୁଇ ଓ୍ବେବ୍ ସାମ୍ବାଦିକ ଆସିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଦୁଷ୍ମନ୍ତଙ୍କ ସହିତ ସେମାନେ କ’ଣ କଥାବାର୍ତ୍ତା ହୋଇଥିଲେ, ପୁଲିସ ସେମାନଙ୍କୁ ପଚରାଉଚରା କରିବାକୁ ଯୋଜନା କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳର ଦୁଷ୍ମନ୍ତ ଦାସ ବିଧାନସଭା ସାମ୍‌ନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ପୁଲିସ ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା। ଗଲା ୧୦ ତାରିଖରେ ଜଗତସିଂହପୁର ପୁଲିସ ମଙ୍ଗଳାବାଗ ଥାନାକୁ ମାମଲା ହସ୍ତାନ୍ତର କରିବାପରେ ମଙ୍ଗଳାବାଗ ଥାନା ପୁଲିସ ଏକ ମାମଲା ରୁଜୁ କରି ଗଲା ୧୧ ତାରିଖରୁ ବିଧିବଦ୍ଧ ଭାବେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାର ଖୋଳତାଡ଼ କରୁଛି। ଆଜି ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ରଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ପଙ୍କପାଳରେ ଥିବା ଦୁଷ୍ମନ୍ତଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କ ବାପା ଓ ମାଙ୍କ ବୟାନ ରେକର୍ଡ କରିଥିଲେ। ଏହାସହିତ ସ୍ଥାନୀୟ ଲୋକଙ୍କୁ ଦୁଷ୍ମନ୍ତଙ୍କ ମାନସିକ ସ୍ଥିତି ଓ ସ୍ବଭାବ ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଅନ୍ୟପଟେ ଜଣେ ବ୍ୟକ୍ତି ଦୁଷ୍ମନ୍ତଙ୍କୁ ଫୋନ କରି କଟକରୁ ଡାକିନେଇ ଭୁବନେଶ୍ବରରେ ହାତ କାଟିବା ସହିତ ବିଷ ପିଆଇଥିବା ସଂପର୍କରେ ତାଙ୍କ ମା ଅଭିଯୋଗ କରିଥିବା ବେଳେ ପୁଲିସ ସେ ଦିଗକୁ ଏବେ ଗୁରୁତ୍ବର ସହିତ ତଦନ୍ତ କରୁଛି। ସହଜରେ ଚାଲବୁଲ୍ କରି ପାରୁନଥିବା ଦୁଷ୍ମନ୍ତଙ୍କୁ ଭୁବନେଶ୍ବର ନେଇଥିବା ବ୍ୟକ୍ତି କିଏ? କଟକ ବଡ଼ ଡାକ୍ତରଖାନା ପରିସରରୁ ପୁଲିସ ଯେଉଁ କ୍ୟାମେରା ଯାଞ୍ଚ କରିଛି, ସେଥିରୁ ଅନେକ କ୍ୟାମେରା କାମ କରୁ ନଥିବାରୁ ଦୁଷ୍ମନ୍ତଙ୍କୁ କିଏ କଟକରୁ ନେଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ପୁଲିସ ଦୁଷ୍ମନ୍ତଙ୍କ ମୋବାଇଲ୍ ଫୋନ୍ କଲ୍ ଡିଟେଲ୍ ଯାଞ୍ଚ କରୁଛି। ବର୍ତ୍ତମାନ ସୁଦ୍ଧା ଉପରୋକ୍ତ ଯେଉଁ ଦୁଇ ଓ୍ବେବ୍ ସାମ୍ବାଦିକଙ୍କ ପରିଚୟ ପୁଲିସ ଠାବ କରିଛି, ଏମାନେ ଦୁଷ୍ମନ୍ତଙ୍କ ସହିତ ଦୈନିକ ଫୋନରେ ଯୋଗାଯୋଗରେ ଥିବାରୁ ପୁଲିସର ସନ୍ଦେହ ବଢ଼ିଛି। ଆହୁରି ୧୦ରୁ ଅଧିକ ବ୍ୟକ୍ତି ଦୁଷ୍ମନ୍ତଙ୍କ ସହିତ ନିୟମିତ ଯୋଗାଯୋଗରେ ଥିବା କୁହାଯାଉଛି। ଗୋଟିଏ ପଟେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ ବଡ଼ ଡାକ୍ତରଖାନାର ୭ ଜଣିଆ ତଦନ୍ତ କମିଟି ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରି ସାରିଥିବା ବେଳେ ଏବେ ପୁଲିସର ତଦନ୍ତକୁ ଅପେକ୍ଷା କରାଯାଇଛି। ବଡ଼ ମେଡିକାଲ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଦୁଷ୍ମନ୍ତ ଚିକିତ୍ସା ହେବାକୁ ରାଜି ନହେବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସ ଯିବାକୁ ଗଲା ୬ ତାରିଖରେ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଏଭଳି ଜଣେ ଗୁରୁତର ରୋଗୀଙ୍କୁ ବିନା ଆମ୍ବୁଲାନ୍ସରେ ଏମ୍‌ସ୍ ପଠାଇବା ଘଟଣାରେ ବଡ଼ ଡାକ୍ତରଖାନାର ଖାମଖିଆଲପଣ ବି ଆଲୋଚନାର ପ୍ରସଙ୍ଗ ହୋଇଛି। ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁଯାୟୀ ଦୁଷ୍ମନ୍ତଙ୍କୁ ଗଲା ୬ ତାରିଖରେ ଡିସଚାର୍ଜ କରାଯାଇଥିଲା। ସେ କିନ୍ତୁ ୮ ତାରିଖରେ ବିଧାନସଭା ସାମନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ମଝି ଦୁଇ ଦିନ ଦୁଷ୍ମନ୍ତ କେଉଁଠାରେ ଥିଲେ, ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଦୁଷ୍ମନ୍ତଙ୍କ ମୋବାଇଲ୍ ଲୋକେସନ୍ ଓ କଲ୍ ଡିଟେଲ୍ ପୁଲିସ ପାଇଁ ବଳିଷ୍ଠ ପ୍ରମାଣ ହେବାକୁ ଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ତ୍ରି‌କୋଣୀୟ ପ୍ରେମରୁ ଅପହରଣ ନାଟକ

Wed Sep 15 , 2021
ମିଛ କ୍ରାଇମ୍‌ ସ୍ପଟ୍ ତିଆରି କରିଥିଲା ଚିକୁନ୍‌, ଧରା ପକାଇଦେଲା ଟ୍ରେନ୍ ଟିକେଟ ଭୁବନେଶ୍ବର/ଧଉଳି: ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ ଅପହରଣ ନାଟକର ପର୍ଦ୍ଦାଫାସ୍ ପରେ ଏହା ପଛରେ ଚଳଚ୍ଚିତ୍ର ଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀ ରହିଥିବା ଜଣାପଡ଼ିଛି। କଲେଜରେ ପଢ଼ୁଥିବାବେଳେ ଚିକୁନ୍ ଦୁଇଜଣ ଯୁବତୀଙ୍କୁ ଏକା ସାଙ୍ଗରେ ପ୍ରେମ କରୁଥିଲା। ଯୁବତୀ ଦ୍ବୟ ଗୋଟିଏ କଲେଜରେ ଏକା ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଉ ବର୍ଷକ […]
ତ୍ରି‌କୋଣୀୟ ପ୍ରେମରୁ ଅପହରଣ ନାଟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial