ପ୍ରଜାକୋର୍ଟରେ ବିବାହ ବନ୍ଧନରୁ ମୁକ୍ତ ହେଲେ ନବବିବାହିତା

ଜଳେଶ୍ୱର : ଚତୁର୍ଥୀ ପୂର୍ବରୁ ଫେରାର୍‌ ହୋଇଯାଇଥିବା ଜଣେ ନବବଧୂ ପ୍ରଜାକୋର୍ଟରେ ବିବାହ ବନ୍ଧନରୁ ମୁକୁଳିଛନ୍ତି। ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚାର ବିଷୟ ହୋଇଛି।

ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ଖୁଲୁଡ଼ା ଅଞ୍ଚଳର ଜଣେ ଯୁବକ ବାଲିଆପାଳ ଅଞ୍ଚଳର ଜଣେ ଯୁବତୀଙ୍କୁ ବାଲିଆପାଳ ସ୍ପିନିଂ ମିଲ୍‌ କାଳୀ ମନ୍ଦିରରେ ବିବାହ କରିଥିଲେ। ଗତ ୧୩ ତାରିଖ ଦିନ ହେବାକୁ ଥିବା ଚତୁର୍ଥୀକୁ ନେଇ ଘରେ ସମସ୍ତ ପ୍ରକାର ଆୟୋଜନ ଚାଲିଥିବା ବେଳେ ନବବଧୂ କାହାକୁ କିଛି ନ ଜଣାଇ ୧୨ ତାରିଖ ଅଧରାତିରେ ବର ଘରୁ ଗାଏବ୍‌ ହୋଇଯାଇଥିଲେ। ତେବେ ଖୁଲୁଡ଼ା କଲେଜ ଛକ ନିକଟରେ ୨ ଜଣ ବ୍ୟକ୍ତି ନବବିବାହିତାଙ୍କୁ ଏକୁଟିଆ ଦେଖି ବର ଘରକୁ ଖବର ଦେଇଥିଲେ। ବର ଘର ଲୋକେ ରାତିରେ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ କନିଆର ପତ୍ତା ପାଇ ନ ଥିଲେ। ଅପରପକ୍ଷେ କନିଆ ଅଧରାତିରେ ରାସ୍ତା ନ ପାଇ ସ୍ଥାନୀୟ ବଡ଼ନଗର ଗାଁର ଜଣେ ଲୋକଙ୍କ ଘରେ ପହଞ୍ଚି କବାଟ ବାଡ଼େଇଥିଲେ। ସେହି ଘର ଲୋକେ ନିଦରୁ ଉଠି କନିଆଙ୍କଠାରୁ ସବୁ କଥା ଶୁଣିଥିଲେ। ସେ ଆଉ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ତାଙ୍କ ଇଚ୍ଛା ବିରୋଧରେ ବାପା, ଭାଇ ଅନ୍ୟତ୍ର ବିବାହ କରାଇ ଥିବାରୁ ସେ ସବୁଦିନ ପାଇଁ ସ୍ୱାମୀଘର ଛାଡ଼ି ଚାଲି ଆସିଥିବା କହିଥିଲେ। ନବବଧୂକୁ ରାତିରେ ଆଶ୍ରୟ ଦେଇଥିବା ବ୍ୟକ୍ତିଜଣକ ପରଦିନ ଏ ନେଇ ବର ଘର ଓ କନ୍ୟା ପିତାଙ୍କୁ ଖବର ଦେଇଥିଲେ। ବର ଘର ଲୋକେ ଭୋର ସମୟରେ ପହଞ୍ଚି ନବବଧୂଙ୍କୁ ଘରକୁ ନେଇଯାଇଥିଲେ। ତେବେ ଏ ନେଇ ଅଞ୍ଚଳର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରଜାକୋର୍ଟ ବସିଥିଲା। ପ୍ରଜାକୋର୍ଟରେ ଲେଖାପଢ଼ା କରାଯାଇ ନବବଧୂକୁ ବିବାହ ବନ୍ଧନରୁ ସବୁଦିନ ପାଇଁ ମୁକ୍ତ କରାଯାଇଥିଲା। କନିଆ ପକ୍ଷ ଯୌତୁକ ଆକାରରେ ଦେଇଥିବା ସବୁ ସାମଗ୍ରୀକୁ ବରପକ୍ଷ ଦେବାକୁ ମନା କରିଦେଇଥିଲେ। ବିବାହ ଖର୍ଚ୍ଚ ଦେଲେ ସେସବୁ ଫେରାଇ ଦେବେ ବୋଲି କହିଥିଲେ। ଉଭୟ ପକ୍ଷଙ୍କ ସହମତିରେ ଏ ନେଇ ଏକ ଛାଡ଼ପତ୍ର ମାମଲା ପରିବାର ଅଦାଲତରେ ଆବେଦନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ପଟିଆରେ ହେବ ସିଟି ବସ୍‌ ଡିପୋ : କ୍ଷେତ୍ର ପରିଦର୍ଶନ କଲେ ବିଡିଏ ଅଧିକାରୀ

Tue May 15 , 2018
ଭୁବନେଶ୍ୱର : ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀରେ ୨୦୦ଟି ନୂଆ ସିଟି ବସ୍‌ ଚାଲିବାକୁ ଥିବାବେଳେ ଏହାର ରହଣି ପାଇଁ ପଟିଆ ଓ ପାତ୍ରପଡ଼ାରେ ଦୁଇଟି ଟର୍ମିନାଲ ବା ବସ୍‌ ଡିପୋ ହେବ। ଏଥିପାଇଁ ବିଡିଏ ପକ୍ଷରୁ ଜମି ଅଧିଗ୍ରହଣ ହୋଇଥିବାବେଳେ ଆଜି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରିଛନ୍ତି। କିପରି ବସ୍‌ ପାର୍କିଂ ହେବ, କେଉଁଠି କ’ଣ କ’ଣ ସୁବିଧା ଉପଲବ୍ଧ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial