୬୭ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ : ନନ୍ଦନକାନନରେ ଗଡ଼ିଲା ଟୟ ଟ୍ରେନ୍‌

ଗଡ଼ିଲା ଟୟ ଟ୍ରେନ୍‌-1

ନନ୍ଦନକାନନରେ ୧୫୬ ପ୍ରଜାତିର ବନ୍ୟପ୍ରାଣୀ ସଂରକ୍ଷଣ

ବାରଙ୍ଗ : ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ନନ୍ଦନକାନନରେ ଶୁକ୍ରବାରଠୁ ଗଡ଼ିଛି ଟୟ ଟ୍ରେନ୍‌। ଏହି ଟ୍ରେନ୍‌ ଲାଗି ୪ କୋଟି ୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରୋପ୍‌-ୱେ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ‌ଯେଉଁଠି ପ୍ରାକୃତିକ ପରିବେଶରେ ୩ଟି ପ୍ରଜାତିର କୁମ୍ଭୀର, କଳା ମହାବଳ ବାଘ, ଲକ୍ଷାଧିକ ବିଦେଶାଗତ ପକ୍ଷୀ, ହେନ୍ତାଳ ବଣ ଓ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମାଗମ ହୋଇଥାଏ। ବିଭିନ୍ନ ବନ୍ୟଜନ୍ତୁ ଓ ଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ପାଇଁ ଓଡ଼ିଶାରେ ୧୯ଟି ଅଭୟାରଣ୍ୟ, ୨ଟି ବ୍ୟାଘ୍ର ପ୍ରକଳ୍ପ, ୩ଟି ହସ୍ତୀ ପ୍ରକଳ୍ପ ଓ ଗୋଟିଏ ଲେଖାଏଁ ଜାତୀୟ ଉଦ୍ୟାନ ଓ ଜୈବମଣ୍ଡଳ ସ୍ଥାପନ କରାଯାଇଛି। ନନ୍ଦନକାନନରେ ୪୯ ଲୁପ୍ତପ୍ରାୟ ପ୍ରଜାତି ସମେତ ୧୫୬ ପ୍ରଜାତିର ବନ୍ୟପ୍ରାଣୀ ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଇଛି। ଏହା ଦ୍ବାରା ରାଜ୍ୟରେ ବଉଳା ଓ ମଗର ପ୍ରଜାତିର କୁମ୍ଭୀର, ଇରାୱାଡି ଓ ବଟଲ୍‌ ନୋଜ୍‌ ଡଲ୍‌ଫିନ୍‌, କୃଷ୍ଣସାର ମୃଗ, ଚିତାବାଘ ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜଙ୍ଗଲ ନିକଟ ଗ୍ରାମବାସୀଙ୍କର ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ରାଜ୍ୟର ୧୮ଟି ଜିଲ୍ଲାର ୪୭ଟି ସ୍ଥାନରେ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକରୀ କରାଯାଉଛି। ବନ୍ୟଜନ୍ତୁଙ୍କ ଦ୍ବାରା କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ଉଦ୍ଦେଶ୍ୟରେ ‘ଅନୁକମ୍ପା’ ନାମକ ଏକ ପୋର୍ଟାଲ ବିକଶିତ କରାଯାଇଛି। ୨୦୧୪ରୁ ବନ୍ଦ ଥିବା ଟୟ ଟ୍ରେନ୍‌ର ଚଳାଚଳ ଦାୟିତ୍ବ ରାଇଟସ କମ୍ପାନିକୁ ଦିଆଯାଇଛି। ପରବର୍ତ୍ତୀ ସମୟରେ ନନ୍ଦନକାନନ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ୧୯୯୪ରୁ ଆରମ୍ଭ ହୋଇଥିବା ରୋପ-ୱେ ୨୦୧୧ରୁ ଅଚଳ ହୋଇ ପଡ଼ିଥିଲା। ଆସନ୍ତା ୧୮ ମାସ ମଧ୍ୟରେ ଏହାର କାମ ସରିବ। ‘ଜନ ସୁରକ୍ଷା, ଗଜ ରକ୍ଷା’ କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ୟଜନ୍ତୁ ପ୍ରବଣ ଅଞ୍ଚଳଗୁଡ଼ିକରେ ଚାଷ ଜମି ଚାରିପଟେ ସୌରଚାଳିତ ତାର ବାଡ଼ ଦେବାର ବ୍ୟବସ୍ଥାକୁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି। ଏଥିସହ ମଣିଷ ଓ ବନ୍ୟଜନ୍ତୁ ସଂଘର୍ଷ ପ୍ରବଣ ଗାଁଗୁଡ଼ିକରେ ସୌରଚାଳିତ ରାସ୍ତା ‌ଆଲୋକୀକରଣ ବ୍ୟବସ୍ଥା ହୋଇଛି। ‘ଗଜ ବନ୍ଧୁ’, ‘ଗଜ ସାଥୀ’ ପରି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି।

ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଲେ, ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ଯୋଗୁଁ ନନ୍ଦନକାନନରେ ବ୍ୟାପକ କ୍ଷତି ହୋଇଛି। ଏହାସତ୍ତ୍ବେ ରାଜ୍ୟ ସରକାର ଏହି ପ୍ରାଣୀ ଉଦ୍ୟାନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିଛନ୍ତି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନନ୍ଦନକାନନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ବିଭାଗର ସ୍ବତନ୍ତ୍ର ସଚିବ ଲିଙ୍ଗରାଜ ଓତା, ପିସିସିଏଫ୍‌ ଶିଶିର କୁମାର ରଥ, ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶି ପଲ୍‌, ମୁଖ୍ୟ ବନ ସଂରକ୍ଷକ ସତ୍ୟ ନାରାୟଣ ବେହୁରା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ନନ୍ଦନକାନନର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ୍ କୁମାର ଓ ଏସିଏଫ୍ ଅମୂଲ୍ୟ କୁମାର ପରିଡ଼ା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ବାରା ପ୍ରକାଶିତ ‘ୱାଇଲ୍‌ଡ ଲାଇଫ୍‌ ଓଡ଼ିଶା-୨୦୨୧’ ଓ ‘ହ୍ୟାଣ୍ଡବୁକ୍‌ ଅନ୍‌ ଡିଜିଜେସ୍‌ ଅଫ୍‌ ଆନିମଲ୍‌ସ୍‌ ବାର୍ଡସ୍‌’ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ ନନ୍ଦ କିଶୋର ଭୂଜବଳଙ୍କୁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ସମ୍ମାନ ପ୍ରଦାନ ସହ ବକ୍ତୃତା ଓ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଆସିଲେ ଚିଙ୍କାରା, ଚିତାବାଘ ସମେତ ୪ ପ୍ରଜାତିର ୮ ଜୀବ
ରାଜସ୍ଥାନ କୈଳାସପୁରସ୍ଥିତ ଜୟପୁର ଚିଡ଼ିଆଖାନାରୁ ଆଜି ୪ଟି ପ୍ରଜାତିର ମୋଟ ୮ ଜୀବ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି। ସେଥିମଧ୍ୟରେ ହଳେ ଚିଙ୍କାରା ହରିଣ ( ଅଣ୍ଡିରା ଓ ମାଈ), ହଳେ ଚିତାବାଘ (ଅଣ୍ଡିରା ଓ ମାଈ), ୨ଟି ଭାରତୀୟ ଧୂସର ଗଧିଆ (ଅଣ୍ଡିରା ଓ ମାଈ) ଓ ୨ଟି ଅଣ୍ଡିରା ଥଣ୍ଟିଆ କୁମ୍ଭୀର। ଏହି ପ୍ରାଣୀମାନଙ୍କୁ ଆଣିବା ଲାଗି ଗତ ୨୯ତାରିଖରେ ନନ୍ଦନକାନନରୁ ସୁରକ୍ଷା ବିଭାଗ ରେଞ୍ଜର ବିନ୍ଦୁ ପ୍ରସାଦ ପ୍ରଧାନ, ଡ. ସନ୍ତୋଷ ଗୁପ୍ତା, ପ୍ରାଣୀଧନ ଅଧିକାରୀ ବେଦପ୍ରକାଶ ସାହୁ, ଜନ୍ତୁରକ୍ଷକ ପ୍ରଫୁଲ୍ଲ ବାଗ, ଭାସ୍କର ସାମଲ ଓ ୨ଜଣ ଶ୍ରମିକଙ୍କୁ ମିଶାଇ ମୋଟ ୭ଜଣିଆ ଦଳ ରାଜସ୍ଥାନ ଗସ୍ତ କରିଥିଲେ। ସେମାନେ ସେଠାରୁ ସ୍ବତନ୍ତ୍ର ଗାଡ଼ି ଯୋଗେ ପ୍ରାଣୀମାନଙ୍କୁ ଆଣି ଶୁକ୍ରବାର ରାତି ୮ଟାରେ ନନ୍ଦନକାନନରେ ପହଞ୍ଚିଛନ୍ତି। ସେମାନଙ୍କୁ ଆଜି ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟରେ ରଖାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଆସନ୍ତାକାଲି ସକାଳେ ସେମାନଙ୍କ ଲାଗି ଲାଗି ଉଦ୍ଦିଷ୍ଟ ଖୁଆଡ଼ରେ ଛଡ଼ାଯିବ।

Share Now:

Kalinga News Beuro

Next Post

୧୮ ହଜାର କୋଟିରେ ଏୟାର ଇଣ୍ଡିଆକୁ କିଣିଲା ଟାଟା

Sat Oct 9 , 2021
ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଉଦ୍ୟମ ପରେ ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ଟାଟା ଗୃପ ୧୮ ହଜାର କୋଟି ଟଙ୍କାରେ ଏହାକୁ କିଣିଛି। ୬୮ ବର୍ଷର ବ୍ୟବଧାନ ପରେ ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ। ୧୯୩୨ରେ ଟାଟା ଏୟାରଲାଇନ୍ସ ଭାବେ ଏହାକୁ ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ। ୧୯୫୩ରେ ତାହାର ଜାତୀୟକରଣ କରାଯାଇଥିଲା। ଏୟାର ଇଣ୍ଡିଆକୁ ପୁଣି […]
ଟାଟା ପାଖକୁ ଫେରିଲା ଏୟାର ଇଣ୍ଡିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial