ମହିଳା ବିଡିଓଙ୍କୁ ଦୁର୍ନୀତିଗ୍ରସ୍ଥ ଅଧିକାରୀ ବୋଲି କହିଲେ ତାରା : କ୍ଷମା ପ୍ରାର୍ଥନା କଲେ ଅଧିକାରିଣୀ

ମହିଳା ବିଡିଓଙ୍କୁ ଦୁର୍ନୀତିଗ୍ରସ୍ଥ

୧୬ ଦଫା ଦାବି ନେଇ କଂଗ୍ରେସର ଧାରଣା

ପାପଡାହାଣ୍ଡି/ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସମ୍ମୁଖରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ ପାପଡାହାଣ୍ଡି ବ୍ଲକ ମହିଳା ବିଡିଓ ରଞ୍ଜିତା ମଲ୍ଲିକ ମୁହାଁ ମୁହିଁ ହୋଇଛନ୍ତି। ବିଡିଓଙ୍କୁ ସିଧାସଳଖ ଟାର୍ଗେଟ କରି ତାରା କହିଥିଲେ ମୁଁ କହୁଛି, ତୁମେ ଜଣେ ଦୁର୍ନୀତିଗ୍ରସ୍ଥ ଅଧିକାରୀ। ଏହି ବିଡିଓଙ୍କ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଗରିବ ଲୋକଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରାଯାଇଛି। ଲୋଳକଙ୍କୁ ନ୍ୟାୟ ମିଳୁନି। ହଜାର ହଜାର ଲୋକଙ୍କ ଠାରୁ ବିଡିଓ ଅର୍ଥ ଖାଇଛନ୍ତି। ଗରିବ ଲୋକଙ୍କ ଆବାସ ଯୋଜନାରେ ଦୁର୍ନୀତି ହୋଇ ଲୋକଙ୍କୁ ଦିଆଯାଇନାହିଁ। ଲୋକଙ୍କୁ କହିଥିଲେ, ଏ ବିଡିଓଙ୍କ ସହ କଥା ହୁଅନ୍ତୁନି। ସେ ଦରକାର ପଡିଲେ ଆଟ୍ରାସିଟ୍ କେସ କରିବେ। ତାଙ୍କ ଆଗପଛ ବୋଲି କିଛି ନାହିଁ। ତାଙ୍କର କେବଳ ପଇସା ଦରକାର। ଏ ଜଣେ ମହିଳା ଓ ଦଳିତ ନାମରେ ଲୋକଙ୍କୁ କେସ କରିବା ପାଇଁ ଧମକାଇ ରଖିଛନ୍ତି। ଏ ମଧ୍ୟରେ ବିଡିଓ ତାରାଙ୍କୁ କାଉଣ୍ଟର ଦେଇ କହି କହିଥିଲେ ତୁମେ ମୋତେ ଦଳିତ ବୋଲି କହୁଛ। ମୁଁ ନିଜକୁ ଦଳିତ ବୋଲି ଭାବୁନି। ବିଡିଓଙ୍କୁ ତାରା ପାଲଟା ଜବାବ ଦେଇ କହିଥିଲେ ତୁମେ ଆଙ୍ଗୁଠି ଉଠାଇ କଥା ହେଉଛ। ତୁମେ ସଂସ୍କାର ଶିଖିନ ବୋଲି କହିବାରୁ ବିଡିଓ ବି ତାରାକୁ କହିଥିଲେ ତୁମେ ସଂସ୍କାର ଶିଖିନ। ତୁମ ବାପା-ମା’ ତୁମକୁ ଭଲ ବ୍ୟବହାର ଦେବାର ଶିଖାଇନାହାନ୍ତି ବୋଲି ତାରା କହିଥିଲେ। ତାରା କହିଥିଲେ, ବିଡିଓ ଏ ଅଞ୍ଚଳରେ ବହୁତ ଶୋଷଣ କରିଛନ୍ତି। ବିଡିଓ ରଞ୍ଜିତା ମଲ୍ଲିକ ଜୟପୁରରେ ତହସିଲଦାର ଥିବା ବେଳେ ବି ବହୁ ଦୁର୍ନୀତି କରିଛ ବୋଲି କହିଥିଲେ।
ସୂଚନା ଥାଉକି ଗତକାଲି ଠାରୁ ୧୬ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଆଜି ଧାରଣାସ୍ଥଳକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିଲେ। ପ୍ରାୟ ପୂର୍ବାହ୍ନ ୧ ଘଣ୍ଟା ବେଳକୁ ବିଡିଓ ରଞ୍ଜିତା ମଲ୍ଲିକ ଖାଇବା ପାଇଁ ଅଫିସରୁ ବାହାରିବା ସମୟରେ ବିଧାୟକ କହିଥିଲେ, ଆମେ ଧାରଣାରେ ବସିଥିବା ସମୟରେ ଦାବିର ସମାଧାନ ନକରି କିପରି ଚାଲି ଯାଉଛନ୍ତି। ଏପରି ସମୟରେ ବିଧାୟକ ଓ ବିଡିଓଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କିଛି ସମୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ ହସ୍ତକ୍ଷେପ କରି ବିଡିଓଙ୍କୁ ତାଙ୍କ ଚାମ୍ବରକୁ ନେଇଯାଇଥିଲା। ଏହି ସମୟରେ ବିଧାୟକ ଶ୍ରୀ ବାହିନିପତି ଓ କଂଗ୍ରେସ କର୍ମିୀମାନେ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିରେ ଧାରଣାରେ ବସିରହିଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧାରଣାରେ ବସିରହିବା ପରେ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଧାରଣାସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଡିଓଙ୍କୁ ବୁଝାସୁଝା କରିବା ପରେ ବିଡିଓ ଧାରଣାସ୍ଥଳକୁ ଆସି କ୍ଷମା ପ୍ରାର୍ଥନା କରିଥିଲେ। ଶେଷରେ ୧୬ ଦଫା ଦାବି ନେଇ ବିଧାୟକ ଶ୍ରୀ ବାହିନିପତି ମୁଖ୍ୟ ଶାସନ ସଚିବ, ପଞ୍ଚାୟତରାଜ ସଚିବ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ଦାବିଗୁଡିକ ପୁରଣ ନେଇ ଉଦ୍ୟମ କରାଯିବ ବୋଲି ପ୍ରତିଶୁତି ମିଳିବା ପରେ କଂଗ୍ରେସ ପକ୍ଷରୁ ଧାରଣା ଭଙ୍ଗ କରାଯାଇଥିଲା।

Share Now:

Kalinga News Beuro

Next Post

କର୍କଟ ପୀଡ଼ିତଙ୍କୁ କୁନି ଝିଅର ସହାୟତା: ରାଜ୍ୟପାଳଙ୍କୁ ପ୍ରଦାନ କଲେ ୧୦ ହଜାର ଟଙ୍କା

Thu May 5 , 2022
ଭୁବନେଶ୍ବର: କର୍କଟ ରୋଗରୁ ନିଜେ ସୁସ୍ଥ ହେବାପରେ ଏହି ରୋଗରେ ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ୭ବର୍ଷର କୁନି ଝିଅ ମୟୁରୀ ଚୌଧରୀ। ଭାବନା ଫାଉଣ୍ଡେସନ ସହଯୋଗରେ ମୟୁରୀ ବିଭିନ୍ନ ସ୍ଥାନରେ ଗୀତ ଗାଇ କର୍କଟ ପୀଡ଼ିତଙ୍କ ପାଇଁ ୧୦ହଜାର ଟଙ୍କା ଯୋଗାଡ଼ କରିଛନ୍ତି। ମିଳିଥିବା ଅର୍ଥକୁ ଆଜି ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କୁ ଅର୍ଥ ପ୍ରଦାନ ସମୟରେ ବିଜୁ ଜନତା ଦଳର […]
କର୍କଟ ପୀଡ଼ିତଙ୍କୁ କୁନି ଝିଅର ସହାୟତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial