ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓସେପା ନିର୍ଦ୍ଦେଶକଙ୍କ ଚିଠି : ଖରାଛୁଟି ପରେ ନୂଆ ନିୟମାବଳୀ

ଖରାଛୁଟି ପରେ ନୂଆ ନିୟମାବଳୀ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଠିକଣା ଢଙ୍ଗରେ ଶିକ୍ଷାଦାନ ଆରମ୍ଭ କରିବାକୁ ନିୟମାବଳୀ ଦିଆଯାଇଛି। ଶତପ୍ରତିଶତ ପାଠ୍ୟଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠ ପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ। କିଭଳି ଭାବେ ସଠିକ୍ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ। କରୋନା କାଳରେ କ୍ଷତିଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶ୍ରେଣୀ ଓ ବିଷୟଭିତ୍ତିକ ପାଠପଢା ସମୟ ସାରଣୀ ପ୍ରତି ଶ୍ରେଣୀଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ। ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ। ଶିକ୍ଷକମାନେ ପାଠପଢାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ବତନ୍ତ୍ର ଯୋଜନା କରିବେ। ସିଆରସିସି ମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। ବିଦ୍ୟାର୍ଥୀଙ୍କ ଉପଯୋଗୀ ପରିବେଶ ବିଦ୍ୟାଳୟରେ ସୃଷ୍ଟି କରାଯିବ। ଶିକ୍ଷକ ଶିକ୍ଷୟିତ୍ରୀ ଠିକ୍ ଭାବେ ପଢାଉଛନ୍ତି କି ନାହିଁ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶିକ୍ଷକଙ୍କ ପାଠପଢା ତଥ୍ୟ ବିଦ୍ୟାଳୟରେ ସ୍ବତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରହିବ। ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ ପିଲାଙ୍କ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ। ଏଦିଗରେ ପଦକ୍ଷେପ ନେବାକୁ ସବୁ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Next Post

ତିନିମାସ ହେଲା ମୁକୁଳା ପଡ଼ିଛି ମାଛୁଆବଜାର-ନୂଆପାଟଣା ଡ୍ରେନ୍‌

Sat Jun 11 , 2022
କଟକ: ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ତିନିମାସ ହେଲା ମୁକୁଳା ପଡ଼ିଛି ମାଛୁଆବଜାର ନୂଆପାଟଣା ମୁଖ୍ୟ ଡ୍ରେନ୍। ପ୍ରତିଦିନ ଦୁର୍ଘଟଣା ଘଟିବା ସହିତ ସ୍ଥାନୀୟ ଲୋକେ ଘରୁ ବାହାରି ପାରୁ ନଥିବା ଅଭିଯୋଗ ହେଉଛି। ମଙ୍ଗଳାବାଗ୍-ମାଛୁଆବଜାର ରାସ୍ତାପାର୍ଶ୍ବ ଡ୍ରେନ୍‌ ନିର୍ମାଣ ସରିଥିଲେ ମଧ୍ୟ ଏଯାଏ ଏହା ଉପରେ ସ୍ଲାବ୍‌ ପଡ଼ିନାହିଁ। ସ୍ଲାବ୍‌ ନପଡ଼ିବା ଯୋଗୁଁ ଛୋଟବଡ଼ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। […]
ତିନିମାସ ହେଲା ମୁକୁଳା ପଡ଼ିଛି ଡ୍ରେନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial