ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ମାଓପ୍ରବଣ ଭେଜାଙ୍ଗିବାଡ଼ା ଗ୍ରାମର ଜଣେ ନାବାଳିକା (୧୫ବର୍ଷ)କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଗତକାଲି ସଂଧ୍ୟାରେ ଘର ଠାରୁ ଅଳ୍ପ ଦୂରରେ ଶବ ଠାବ୍‌ କରାଯାଇଥିଲା। ଆଜି ସକାଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଘଟଣା ସ୍ଥଳରୁ କୌଣସି ସୁରାକ ପାଇ ନାହିଁ। ତେବେ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ପ୍ରଥମେ ନାବାଳିକା ସହ ଦୁଷ୍କର୍ମ କରାଯାଇଛି। ଏହାପରେ ଧରା ପଡିଯିବା ଭୟରେ ଦୁର୍ବୃତ୍ତ ଗଳା ଚିପି ହତ୍ୟା କରି ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ଗତ ସୋମବାର ଦିନ ଠାରୁ ନାବାଳିକା ଜଣକ ନିଖୋଜ ଥିଲେ। ହଠାତ୍‌ ଘରୁ ଅନ୍ତର୍ଧାନ ପରିବାର ଲୋକଙ୍କୁ ବିବ୍ରତ କରିଥିଲା। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ବି ସନ୍ଧାନ ପାଇ ନଥିଲେ। ଆଶଙ୍କା ମଧ୍ୟରେ ଥିବା ପରିବାର ଲୋକଙ୍କୁ ଗତକାଲି ସଂଧ୍ୟାରେ ଗାଁର ଜଣେ ଗାଈ ଚରାଳି ନାବାଳିକା ସଂପର୍କରେ ସୂଚନା ଦେଇଥିଲେ। ଏହାପରେ ନାବାଳିକାର ବଡ ଭଉଣୀ ଓ ଭାଇ ଗାଁ ଠାରୁ ୫ଶହ ମିଟର ଦୂରରେ ଥିବା ପଡିଆକୁ ଯାଇଥିଲେ। ସେଠାରେ ଭଉଣୀର ଶବ ପଡିଥିବା ଦେଖିଥିଲେ। ଘଟଣା ସଂପର୍କରେ ନାବାଳିକାର ଭାଇ କାଲିମେଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଉକ୍ତ ସ୍ଥାନଟି ମାଓବାଦୀ ପ୍ରବଣ ହୋଇଥିବାରୁ ପୁଲିସ ବିଳମ୍ବରେ ଘଟଣା ସ୍ଥଳରେ ପହଁଞ୍ଚିଥିଲା। ଉକ୍ତ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ଦୋଷୀକୁ ଗିରଫ କରିବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।
ବାପା ଛେଉଣ୍ଡ ନାବାଳିକା ଜଣକ ମା’, ବଡ ଭାଇ ଓ ଭଉଣୀ ସହ ରହୁଥିଲେ। ଏମପିଭି-୨୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ଫେଲ ହୋଇଯାଇଥିଲେ।ବେଳେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ମଧ୍ୟ ଫେଲ ହୋଇଯାଇଥିଲେ। ନିକଟସ୍ଥ ଚିନ୍ତଲବାଡ଼ା ଗ୍ରାମର ଜଣେ ଯୁବକଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସଂପର୍କ ରହିଥିଲା। ବହୁ ସମୟ ଧରି ଉକ୍ତ ଯୁବକଙ୍କ ସହ ବି ସେ ଫୋନରେ କଥାବର୍ତା କରୁଥିଲେ। ସେହି ଯୁବକ ଜଣକ ହିଁ ନାବାଳିକାଙ୍କୁ ଉସୁକାଇ ଘରୁ ଡାକି ନେଇଥିବା ଅନୁମାନ କରାଯାଉଛି। ତେଣୁ ଉକ୍ତ ଯୁବକଙ୍କୁ ପଚରା କରିଲେ ହିଁ ଘଟଣା ପଛର ରହସ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ହେଲା ନାବାଳିକାର ବେକକୁ ଚିପି ହତ୍ୟା କରାଯାଇଛି। ବେକରେ ନୀଳ ରଂଗର ଓଢ଼ଣୀ ଗୁଡ଼ାଇ ହୋଇ ରହିଛି। ଜିଭ ବାହାରକୁ ବାହାରି ପଡିଛି। ପିନ୍ଧିଥିବା ପୋଷାକ ବି ଚିରି ଯାଇଛି। ଶବ ନିକଟରେ ଗୋଟିଏ ଖାଲି ପାଣି ବୋତଲ ସହ ଫ୍ରୁଟି ପ୍ୟାକେଟ ପଡ଼ିଛି। ତେଣୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଭଉଣୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସୋମବାର ରାତିରୁ ନାବାଳିକା ଜଣକ ନିଖୋଜ ଥିବା ବେଳେ ବୁଧବାର ଦିନ ସଂଧ୍ୟାରେ ଶବ ଠାବ୍‌ କରାଯାଇଥିଲା। ୨୪ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ସେ କେଉଁଠି ଥିଲେ। ସେହିପରି କେଉଁ ସମୟରେ ହତ୍ୟା କରାଗଲା ସେନେଇ କିଛି ସ୍ପଷ୍ଟ ହୋଇପାରୁ ନାହିଁ। ଯାହାକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ନାନା ଆଲୋଚନା ଜୋର ଧରିଲାଣି।

Share Now:

Kalinga News Beuro

Leave a Reply

Next Post

ଜାତିସଂଘ ରିପୋର୍ଟକୁ ଭାରତର ବିରୋଧ

Fri Jun 15 , 2018
କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଶ୍ରୀନଗର: କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ନେଇ ପ୍ରଥମ ଥର ପାଇଁ ଜାତିସଂଘ ଆଜି ରିପୋର୍ଟ ଜାରି କରିଛି। ଏଥିରେ କୁହାଯାଇଛି ଯେ ଉଭୟ ରାଷ୍ଟ୍ରର ନିୟନ୍ତ୍ରଣରେ ଥିବା କଶ୍ମୀରରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ହୋଇଛି ଏବଂ ଏଥିପାଇଁ ସରକାର ଏବଂ ସେନା ଦାୟୀ। କଶ୍ମୀରରେ ଭାରତ ମଧ୍ୟ ଲଗାତାର ମାନବାଧିକାର ଉଲ୍ଲଂଘନ କରିଚାଲିଛି ବୋଲି ଜାତିସଂଘ ରିପୋର୍ଟରେ କୁହାଯିବା ପରେ ଭାରତ ଏନେଇ କଡ଼ା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial