ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ : ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ଆଜି ବି ଅସମ୍ପୂର୍ଣ୍ଣ

ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳିରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୨୦୧୩ରେ ହୋଇଥିଲା ଶିଳାନ୍ୟାସ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ନାବାର୍ଡ ପକ୍ଷରୁ ଏଥିପାଇଁ ୪୯ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଶିଳାନ୍ୟାସ ହେବାର ବର୍ଷ ପରେ ବର୍ଷ ବିତିଯାଇ ଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୨୦୧୪ ମସିହାରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରେଙ୍ଗାଳିରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିଲେ ତତ୍କାଳୀନ ସରକାର। ଏହି ସେତୁ ନିର୍ମାଣ ହେଲେ କଣିହାଁ ବ୍ଲକ ସମେତ ଛେଣ୍ଡିପଦା, ଦେବଗଡ଼ ଓ ପାଳଲହଡ଼ା ବ୍ଲକ୍‌ ସମେତ ଅନ୍ୟ ଜିଲ୍ଲାର ଲୋକମାନେ ଉପକୃତ ହେବେ। କିନ୍ତୁ, ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି। ସୂଚନା ଅନୁସାରେ, ୨୦୧୩ ମସିହାରେ ଏହି ସେତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଠିକାଦାରଙ୍କୁ ଜମି ଯୋଗାଇ ଦେବାପାଇଁ ୪ ବର୍ଷ ସମୟ ଲାଗି ଯାଇଥିଲା। ତଥାପି ମଧ୍ୟ ଠିକାଦାରଙ୍କୁ ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଯାଇ ପାରି ନଥିଲା। ଫଳରେ, ଠିକାଦାର କାମ ଛାଡ଼ିଦେଇ ପଳାଇ ଯାଇଥିଲେ। ପରେ ୨୦୧୮ମସିହାରେ ପୁନଃ ଟେଣ୍ଡର୍‌ ଆହ୍ବାନ କରାଯାଇ ବ୍ରିଜେଶ ଅଗ୍ରୱାଲା ନାମକ ଏକ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ୨୦୨୦ ମସିହା ଜୁଲାଇ ୧୮ସୁଦ୍ଧା କାମ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ , ଆଜି ପର୍ଯ୍ୟନ୍ତ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। କାମ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସେପରି ତତ୍ପରତା ଦେଖାଯାଉ ନଥିବା ଦେଖାଯାଇଛି। ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ରେଙ୍ଗାଳିଠାରେ ବ୍ରାହ୍ମଣୀ ନଦୀରେ ଏକ ନଦୀବନ୍ଧ ଯୋଜନା କରିଛନ୍ତି। ଏହି ନଦୀବନ୍ଧ ଯୋଜନା ଉପରେ ଭାରୀଯାନ ଚଳାଚଳ କରିବା ସମ୍ପୂର୍ଣ୍ଣ ନିଷେଧ ରହିଥିବା ବେଳେ ରେଙ୍ଗାଳି ପଞ୍ଚାୟତ ସମେତ ଆଖ ପାଖ ଅଞ୍ଚଳର ଲୋକେ ବ୍ରାହ୍ମଣୀ ନଦୀ ଅପର ପାର୍ଶ୍ୱରେ ଥିବା ଗାଁ କିମ୍ବା ପଞ୍ଚାୟତ, ଖାମର ଡାକ୍ତରଖାନାକୁ ଯିବାକୁ ହେଲେ ରେଙ୍ଗାଳିରୁ କଣିହାଁ, ସମଲ ଦେଇ ୪୦ କିଲୋମିଟର ବୁଲିବୁଲି ଯିବାକୁ ପଡ଼ିଥାଏ। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ହେଲେ ଲୋକମାନଙ୍କୁ ଏତେ ବାଟ ବୁଲିବାକୁ ପଡ଼ିବ ନାହିଁ। ଲୋକଙ୍କ ସମସ୍ୟାକୁ ଦୃ୍ଷ୍ଟିରେ ରଖି ସେତୁ କାମ ଶୀଘ୍ର ଶେଷ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Share Now:

Kalinga News Beuro

Next Post

ଆରମ୍ଭ ହେଲା ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କୋଭିଡ୍‌ ଚିକିତ୍ସା ସଂପର୍କିତ ମକ୍‌ ଡ୍ରିଲ୍‌

Tue Dec 27 , 2022
ନୂଆଦିଲ୍ଲୀ: ବିଭିନ୍ନ ଦେଶରେ, ବିଶେଷ କରି ଚୀନରେ ପୁଣି ଥର କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଉଛି। ଏହି ମକ୍‌ ଡ୍ରିଲ୍‌ ସମୟରେ ଦେଶର ସବୁ ସ୍ବାସ୍ଥ୍ୟାନୁଷ୍ଠାନମାନେ ନିଜ ନିଜର ମାନବ ସମ୍ବଳ ସ୍ଥିତି, ମହଜୁଦ ଔଷଧ, ପରୀକ୍ଷା କିଟ୍‌, ରିଏଜେଣ୍ଟ ସ୍ଥିତି, ଶଯ୍ୟା, ଅକ୍ସିଜେନ୍ ପ୍ଲାଣ୍ଟ, ଭେଣ୍ଟିଲେଟର ଆଦି ସଂପର୍କରେ ସୂଚନା ପ୍ରଦାନ […]
ଆରମ୍ଭ ହେଲା କୋଭିଡ୍‌ ଚିକିତ୍ସା ସଂପର୍କିତ ମକ୍‌ ଡ୍ରିଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial