ବିଡିଏରେ ଜମି କେଳେଙ୍କାରୀ : ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ

ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ

ଓଡିଏ କୋର୍ଟରେ ୯ ବର୍ଷ ହେଲା ଗଡ଼ୁଛି ମାମଲା

ଭୁବନେଶ୍ୱର: ପ୍ରଥମେ ଘର ତିଆରି କରିବାକୁ ପ୍ଲାନ୍‌ ମଞ୍ଜୁର କଲେ। ପରେ ଜଙ୍ଗଲ ଜମି କହି ଆପାର୍ଟମେଣ୍ଟକୁ ବେଆଇନ ଘୋଷଣା କଲେ। କେହି ଘର ନ କିଣିବା ପାଇଁ ନୋଟିସ୍‌ ବି କଲେ। ବିଜୁଳି ଓ ପାନୀୟ ଜଳ ସଂଯୋଗ ନ ଦେବା ପାଇଁ ବିଭିନ୍ନ ସଂସ୍ଥାକୁ ଚିଠି ଲେଖିଲେ। ଆପାର୍ଟମେଣ୍ଟ ଭାଙ୍ଗିବା ପାଇଁ ଓଡିଏ କୋର୍ଟରେ ମାମଲା ବି ରୁଜୁ କଲା। ଏନ୍‌ଓସି ନ ଦେବାକୁ ବିଏମ୍‌ସିକୁ କହିଲେ। ହେଲେ କ’ଣ ହେଲା କେଜାଣି, ହଠାତ୍‌ ସବୁ ଚୁପ୍‌ ହେଇଗଲେ। ଆପାର୍ଟମେଣ୍ଟ ତିଆରି ହେଲା। ଲୋକେ ଘର କିଣି ଆରାମରେ ରହିଲେ। ଭୁବନେଶ୍ବରର ପଥରଗାଡ଼ିଆରେ ଦୀର୍ଘ ୮ବର୍ଷ ହେବ ଛିଡ଼ା ହୋଇଛି ଦୁଇଟି ୫ମହଲା ବିଶିଷ୍ଟ ଆପାର୍ଟମେଣ୍ଟ। କିସମ ଏବେ ବି ଜଙ୍ଗଲ ଜମି ରହିଛି। ବିଡିଏ ପ୍ଲାନ୍‌ ବି ମଞ୍ଜୁର କରିଛି। କିନ୍ତୁ କିସମ ଜଙ୍ଗଲ ହୋଇଥିବାରୁ ପରେ ପ୍ଲାନ୍‌ ବାତିଲ କରିଦେଇଛି। ପ୍ରଥମେ କେମିତି ଜମିର କିସମ ଦେଖିପାରିଲେ ନାହିଁ? ଦେଖିବା ପରେ ପ୍ଲାନ୍‌ ବାତିଲ କଲେ ମଧ୍ୟ ଆପାର୍ଟମେଣ୍ଟ ତିଆରି ହେଲା କେମିତି? କେଉଁ ପରିସ୍ଥିତିରେ ବିଡିଏ ସମେତ ବିଏମ୍‌ସି ଓ ଅନ୍ୟ ଲାଇନ୍‌ ଡିପାର୍ଟମେଣ୍ଟ ନିରବ ହୋଇଗଲେ? କାହା ଚାପରେ ନିଜ ଆଦେଶକୁ ପାଳନ କଲାନି ବିଡିଏ? ବିଡିଏର ନିର୍ଦ୍ଦେଶ ପରେ ବି କେମିତି ମିଳିଲା ପାଣି, ବିଦ୍ୟୁତ୍‌ ସଂଯୋଗ ଓ ବିଏମ୍‌ସିର ଏନ୍‌ଓସି? ଏଭଳି ଗଦାଗଦା ପ୍ରଶ୍ନ ବିଡିଏକୁ ବିବାଦକୁ ଟାଣିଥିବା ବେଳେ ଏହା ପଛରେ ମୋଟା ଅଙ୍କର ହାତଗୁଞ୍ଜା କାରବାର ହୋଇଥିବା ଅଭିଯୋଗ ହୋଇଛି। ଇନ୍‌ଫୋସିଟି ଥାନା କଡ଼ରେ ଥିବା ଏହି ଆପାର୍ଟମେଣ୍ଟ ହେଉଛି ଜେଜେ ରାଜ୍‌ଭାଟିକା।
ଜେଜେ ମୁକ୍ତେଶ୍ବର ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ଆପାର୍ଟମେଣ୍ଟ ନିର୍ମାଣ କରିଛି। ୨୦୧୦ ମସିହାରେ ବିଡିଏ ଏହି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପ୍ଲାନ୍‌ ମଞ୍ଜୁରି ଦେଇଥିଲା। ୨୦୧୪ ମସିହାରେ ସଂଶୋଧିତ ପ୍ଲାନ୍‌ ମଞ୍ଜୁରି ବି ମିଳିଥିଲା। କିନ୍ତୁ ୨୦୧୫ମସିହାରେ ବିଡିଏ ଏହି ପ୍ଲାନ୍‌କୁ ହଠାତ୍‌ ବାତିଲ କରିଦେଲା। ପ୍ଲାନ୍‌ ଉଲ୍ଲଂଘନ ହୋଇଥିବା ଦର୍ଶାଇ ପ୍ଲାନ୍‌ ବାତିଲ କରିବା ସହ ଏଠାରେ ଫ୍ଲାଟ୍‌ ନ କିଣିବା ପାଇଁ କ୍ରେତାଙ୍କୁ ଅନୁରୋଧ କରିଥିଲା। ଜେଜେ ମୁକ୍ତେଶ୍ବର କନ୍‌ଷ୍ଟ୍ରକସନ୍‌ ନିର୍ଦ୍ଦେଶକ ଧନଞ୍ଜୟ କୁମାରଙ୍କ ବିରୋଧରେ ଓଡିଏ କୋର୍ଟରେ ଏକ ମାମଲା(ୟୁଏପି-୫୪୩/୨୦୧୪) ମଧ୍ୟ ରୁଜୁ କରିଥିଲା। ପିଏଚ୍‌ଡିକୁ ପାଣି ସଂଯୋଗ ନ ଦେବାକୁ ଚିଠି ଲେଖିଥିଲା। ବିଦ୍ୟୁତ୍‌ ସଂଯୋଗ ଦେଉଥିବା ସଂସ୍ଥା(ସେସୁ)କୁ ମଧ୍ୟ ସଂଯୋଗ ଦେବାକୁ ବାରଣ କରିଥିଲା। ଏନ୍‌ଓସି ଦେବାକୁ ବିଏମ୍‌ସିକୁ ବାରଣ କରିଥିଲା। କିନ୍ତୁ କିଛି ଦିନ ନିର୍ମାଣ ବନ୍ଦ ହେବା ପରେ ପୁଣି ନିର୍ମାଣ ଆରମ୍ଭ ହେଲା। କେହି କିନ୍ତୁ ମୁହଁ ଖୋଲିଲେନି। ବିଡିଏର ଓଡିଏ କୋର୍ଟରେ ମାମଲା ବିଚାର ହେଲା ନାହିଁ। ସେମିତି ପଡ଼ି ରହିଲା। ବିଜୁଳି ସଂଯୋଗ ମିଳିଲା। ପାନୀୟ ଜଳ ସଂଯୋଗ ବି ମିଳିଲା। ବିଏମ୍‌ସି ଏନ୍‌ଓସି ବି ଦେଇଦେଲା। ବିଡିଏର ଉପାଧ୍ୟକ୍ଷ, ସଚିବଙ୍କ ସମେତ ଅନେକ ବଡ଼ବଡ଼ ଅଧିକାରୀ ବଦଳିଗଲେ। ହେଲେ କେହି ଏହି ପ୍ରସଙ୍ଗକୁ ବିଚାର କରିବାକୁ ଚାହିଲେ ନାହିଁ। ଅଦୃଶ୍ୟ ଚାପରେ ସମସ୍ତେ ଆଜି ପର୍ଯ୍ୟନ୍ତ ନିରବ ରହିଛନ୍ତି।
ସରକାରୀ ରେକର୍ଡ ମୁତାବକ, ଭୁବନେଶ୍ବର ତହସିଲ ଅଧୀନ ପଥରଗାଡ଼ିଆ ମୌଜାର ସାବିକ ଖାତା ନମ୍ବର ୩୨୫/୨୮ର ପ୍ଲଟ ନମ୍ବର ୧୨୮୬/୧୬୧୯ରେ ଏହି ଆପାର୍ଟମେଣ୍ଟ ଛିଡ଼ା ହୋଇଛି। ଏହା ‘ହାଲ୍‌’ରେ ୭ଟି ପ୍ଲଟ୍‌ରେ ବିଭକ୍ତ ହୋଇଛି। ଏଥିରେ ପ୍ରାୟ ୯୩୦ ଡିସିମିଲି ଜମି ରହିଛି। ଦୀର୍ଘ ଦିନ ପୂର୍ବେ କୃଷି ପାଇଁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। କିନ୍ତୁ ଲିଜ୍‌ଧାରୀ ଏହାକୁ ବିକ୍ରି କରି ଦେଇଥିଲେ। ପରେ ଏହା ଲିଜ୍‌ ଜମି ଜାଣିବା ପରେ କ୍ରେତା ଏହାକୁ ବିକି ଦେଇଥିଲେ। ଏହା ପରେ ପ୍ରାୟ ୬ ଥର ଏହି ଜମି କିଣାବିକା ହୋଇଛି। ଶେଷରେ ଜେଜେ ମୁକ୍ତେଶ୍ବର କନ୍‌ଷ୍ଟ୍ରକସନ୍‌ ଏହି ଜମି କିଣିଛି। ଜମି କିଣିବା ପରେ ସମ୍ପୃକ୍ତ ସଂସ୍ଥା ବିଡିଏକୁ ଆପାର୍ଟମେଣ୍ଟ ପ୍ଲାନ୍‌ ମଞ୍ଜୁରି ପାଇଁ ଆବେଦନ କରିଥିଲା। ୨୦୧୩ ମସିହାରେ ୧୭୮ତମ ଡିପି ଆଣ୍ଡ ବିପି କମିଟି ବୈଠକରେ ଏହି ପ୍ଲାନ୍‌କୁ ବିଡିଏ ମଞ୍ଜୁରି ମଧ୍ୟ ପ୍ରଦାନ କରିଥିଲା। ବାସ୍ତବରେ ୨୦୧୪ରେ ଏହି ଜମିର ଲିଜ୍‌ ବାତିଲ୍‌ ହୋଇଯାଇଥିଲା। ସେତେବେଳେ ଏହି ଜମିର କିସମ ଜଙ୍ଗଲ ଥିଲା। କିନ୍ତୁ ଏହି ଜଙ୍ଗଲ ଜମିର କିଭଳି କିସମ ପରିବର୍ତ୍ତନ କରାଗଲା, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅକ୍ୟୁପାନ୍‌ସି ସାର୍ଟିଫିକେଟ୍‌ ନ ମି‌ଳିଲେ, ଘର ବିକ୍ରି ହୋଇପାରିବା କଥା ନୁହେଁ। କିନ୍ତୁ ଏଠାରେ ସବୁ ସମ୍ଭବ ହୋଇଛି। ଏହାର ତଦନ୍ତ ହେଲେ ଏହା ପଛରେ ଥିବା ବଡ଼ ବଡ଼ ଅଧିକାରୀଙ୍କ କଳାକାର୍‌ନାମା ପଦାରେ ପଡ଼ିବ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

Tue May 2 , 2023
ଭୁବନେଶ୍ୱର: ଆଗାମୀ ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ଏବଂ ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପାଗ ମେଘୁଆ ରହିବା ସହ ବିଭିନ୍ନ ଜିଲ୍ଲାରେ ଗତ […]
ୟେଲୋଓ୍ଵାର୍ଣ୍ଣିଂ ଜାରି-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial