ନନ୍ଦନକାନନ ନିକଟରୁ ବସ୍ତା ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଡାକ୍ତରଖାନାରେ ଭର୍ତ୍ତି

ବସ୍ତା ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ଵର: ଦୁହିତା ଦୁଇକୁଳକୁ ହିତା। ସମାଜ ପାଇଁ ପୁଅର ଯେତିକି ଆବଶ୍ୟକତା ଅଛି, ଝିଅର ମଧ୍ୟ ସେତିକି ଦରକାର ରହିଛି। ଏସବୁ ଜାଣି ବି ଏକବିଂଶ ଶତାଦ୍ଦୀର ଲୋକେ କନ୍ୟାକୁ ଅନାଦର କରୁଛନ୍ତି। ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଞ୍ଚଳରେ ଆଜି ସକାଳୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଭଗବାନପୁର ନିବାସୀ ପବିତ୍ର କୁମାର ଦାସ ଆଜି ସକାଳୁ ଘାସ କାଟୁଥିବା ‌ବେଳେ କାନ୍ଦୁଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ ଭଗବାନପୁରରେ ରୁହନ୍ତି ପବିତ୍ର କୁମାର ଦାସ। ଆଜି ସକାଳ ୫.୩୦ରେ ନନ୍ଦନକାନନ ଥାନା ପାଖ ବ୍ରିଜ ତଳେ ଘାସ କାଟୁଥିଲେ। ଏହି ସମୟରେ ନବଜାତ ଶିଶୁକନ୍ୟାର କ୍ରନ୍ଦନ ଶୁଣିବାକୁ ପାଇଥିଲେ। ପାଖରେ ଥିବା ନର୍ଦ୍ଦମା ପାଖରୁ ଛୋଟ ପିଲାର କାନ୍ଦ ଶୁଣିଥିଲେ। ନବଜାତ ଶିଶୁକନ୍ୟା‌ ଗୋଟିଏ ବସ୍ତାରେ ବନ୍ଧା ହୋଇ ପଡ଼ିରହିଲା। ଶିଶୁକୁ ଉଦ୍ଧାର କରି ସେ ତୁରନ୍ତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ପରେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଶଙ୍କଟାପନ୍ନ ହେବାରୁ ଘରୋଇ ହସ୍ପିଟାଲରୁ ଶିଶୁକନ୍ୟାକୁ ରାଜଧାନୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାକାର ଶିଶୁବିଭାଗରେ ଶିଶୁକନ୍ୟାର ଚିକିତ୍ସା ଜାରି ରହିଛି। ଏବେ ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ନବଜାତ ଶିଶୁକନ୍ୟାକୁ ଦେଖିବାକୁ ଡାକ୍ତର ଛାଡ଼ୁ ନଥିବା ପବିତ୍ର କୁମାର ଦାସଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି। ସୁସ୍ଥ ହେବା ପରେ ଶିଶୁକନ୍ୟାକୁ ନିଜ ସହ ଘରକୁ ନେଇ ଲାଳନ ପାଳନ କରିବାକୁ ଜିଦ୍‌ରେ ଅଟଳ ଅଛନ୍ତି ଏହି ଦମ୍ପତି। ପବିତ୍ରଙ୍କ ପତ୍ନୀ ପ୍ରଭାତୀ ଦାସ ମେଡ଼ିକାଲରେ କୋହ ସମ୍ଭାଳି ନ ପାରି କାନ୍ଦି କାନ୍ଦି ନବଜାତ ଶିଶୁକନ୍ୟାକୁ ତାଙ୍କୁ ନେବା ପାଇଁ ସରକାରଙ୍କୁ ଅନୁରୋଧ କରୁଛିନ୍ତି। କିନ୍ତୁ ସରକାରୀ ନିୟମ ଅନୁସାରେ ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯିବ ବୋଲି ମେଡିକାଲ ପକ୍ଷରୁ ସୂଚନା ରହିଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ପରିବା ସଙ୍କଟ : ଦର ଆକାଶ ଛୁଆଁ

Fri Jun 30 , 2023
ଭୁବନେଶ୍ଵର: ରାଜଧାନୀ ଏକନମ୍ବର ପରିବାର ବଜାରରେ ପରିବା ଦର ଆକାଶ ଛୁଆଁ। ସବୁ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଓଡ଼ିଶାରେ ପରିବା ସଙ୍କଟ ସୃଷ୍ଟି ହୋଇଛି। ଆଜି ଏକନମ୍ବର ହାଟରେ ବିନ୍ କିଲୋ ୨୫୦ ଟଙ୍କା, ଝୁଡୁଙ୍ଗ କିଲୋ, ୧୨୦, କ୍ୟାପସିକମ୍ କିଲୋ ୧୫୦, ଫୁଲ କୋବି ଗୋଟେ ୫୦ ଟଙ୍କା, ବାଇଗଣ କିଲୋ, ୫୦, ପୋଟଳ କିଲୋ ୮୦, ବିଲାତି କିଲୋ […]
ପରିବା ଦର ଆକାଶ ଛୁଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial