ବୁଗୁଡ଼ା ଇନ୍ଦ୍ରଦ୍ୟୁମ୍ନ ପୋଖରୀରୁ ଲୋପ ପାଇଯିବେ କୂର୍ମ

ବାରଣ ସତ୍ତ୍ୱେ ପୋଖରୀରେ ପଡ଼ୁଛି ଜାଲ, ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଗୋଲିଆ ଗ୍ରାମର ଶିବମନ୍ଦିର ନିକଟରେ ରହିଛି ନୀଳ ପୋଖରୀ। ଓଡ଼ିଶାର ଦ୍ବିତୀୟ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଭାବେ ଏହା ପରିଚିତ। ପୁରୀର ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରେ ରାଜ୍ୟର ଏହା ଦ୍ଵିତୀୟ ପୋଖରୀ ଯେଉଁଠି ବିରଳ ପ୍ରଜାତିର କୂର୍ମ (ବଡ଼ କଇଁଛ) ଦେଖାଯାଆନ୍ତି। ଏହି ବ୍ୟତୀତ ଅନ୍ୟ କୌଣସି ପୋଖରୀରେ କୂର୍ମ ବଞ୍ଚିପାରନ୍ତି ନାହିଁ। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ସଂପ୍ରତି ନୀଳ ପୋଖରୀ ଅବ‌ହେଳିତ ହୋଇପଡ଼ିଥିବାରୁ କୂର୍ମଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ପୋଖରୀରେ ମାଛ ଧରିବାକୁ ବାରଣ ସତ୍ତ୍ବେ ସୁରକ୍ଷାକର୍ମୀ ନଥିବାରୁ ‌ଲୋକେ ଜାଲ ପକାଉଛନ୍ତି। ଜାଲରେ ଲାଗି କୂର୍ମ ଆଘାତ ପାଇବା ସହ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏମାନଙ୍କ ସୁରକ୍ଷା ଦାୟିତ୍ବ ବନ ବିଭାଗ ନେଇଛି ସତ, କିନ୍ତୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନି। ଏଭଳି ସ୍ଥିତି ଜାରି ରହିଲେ ଏହି ପୋଖରୀରୁ ‌କୂର୍ମ ବଂଶ ଲୋପ ପାଇଯିବ ବୋଲି ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି।
ଇତିହାସକୁ ଅବଲୋକନ କଲେ, ଖ୍ରୀଷ୍ଟାବ୍ଦ ୧୮୨୫ରୁ ୧୮୪୫ ମଧ୍ୟରେ ଏହି ଗ୍ରାମର ଡି. ଏଙ୍କଟ ମୂର୍ତ୍ତି ଦୋରା ନାମକ ଜଣେ ବଳବାନ ଯୁବକ ରଥଯାତ୍ରା ଦେଖିବାକୁ ପୁରୀ ଯାଇଥିଲେ। ସେଠାରେ ଏକ ପାଗଳ ହାତୀ ସମସ୍ତଙ୍କୁ ନାକେଦମ୍ କରିଦେଇଥିଲା। କିନ୍ତୁ ଏଙ୍କଟ ସାହସ ଜୁଟାଇ ହାତୀକୁ ଆୟତ୍ତ କରିବାରୁ ପୁରୀ ଗଜପତି ତାଙ୍କୁ ପ୍ରଶଂସା କରିଥିଲେ। ଏଥିରେ ଖୁସି ହୋଇ ‘କଣ ମାଗୁଛ ମାଗ’ ବୋଲି କହିଥିଲେ। ଏଙ୍କଟ ଇନ୍ଦ୍ରଦ୍ୟୁମ୍ନ ପୋଖରୀରୁ ୨ଟି କୂର୍ମ ମାଗିଥିଲେ। ପୁରୀ ଗଜପତି ତାଙ୍କୁ ଦେଇଥିବା ଦୁଇଟି କୂର୍ମକୁ ଆଣି ଏଙ୍କଟ ନୀଳ ପୋଖରୀରେ ଛାଡ଼ିଦେଇଥିଲେ। ସେବେଠୁ ଗ୍ରାମରେ ଲୋକେ ଏଙ୍କଟଙ୍କୁ ହାତୀରାମ ଦୋରା ବୋଲି ଡାକିବା ଆରମ୍ଭ କରିଥିଲେ। ପୋଖରୀରେ କୂର୍ମ ବଂଶ ବି ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏଠାରେ ଶତାଧିକ କୂର୍ମ ଅଛନ୍ତି। ଏହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି। ବନ ବିଭାଗ ୧୦ ବର୍ଷ ତଳେ ‌ଏହି ପୋଖରୀକୁ ନିଜ ଅଧୀନକୁ ନେଇଛି। କୂର୍ମଙ୍କ ସୁରକ୍ଷା ଏବଂ ପୋଖରୀର ସୌନ୍ଦର୍ଯ୍ୟୀକରଣ ପାଇଁ ବନ ବିଭାଗ ଓ ଗ୍ରାମବାସୀଙ୍କ ସହଯୋଗରେ ଏକ କମିଟି ଗଠନ କରାଯାଇଥିଲା।
ପୋଖରୀ ଚାରିପାଖ ସଫେଇ ସହ ହୁଡ଼ାରେ ଆଲୋକ ବ୍ୟବସ୍ଥା ଏବଂ ତାର ବାଡ଼ ବିଛାଯାଇ ବନ ବିଭାଗ ପକ୍ଷରୁ ୨ ଜଣ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ କୌଣସି କାରଣବଶତଃ ଦୁଇବର୍ଷ ହେଲା ସୁରକ୍ଷାକର୍ମୀଙ୍କୁ ଏଠାରୁ ବାହାର କରିଦିଆଯାଇଛି। ପୋଖରୀ ହୁଡ଼ାରେ ଆଲୁଅ ମଧ୍ୟ ଜଳୁନି। ଜାଲ ପକାଇ ମାଛ ଧରାଯାଉଥିବାରୁ କୂର୍ମଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ପଞ୍ଚାୟତ ପକ୍ଷରୁ କେବଳ ପୋଖରୀ ଚାରିପାଖକୁ ସଫେଇ କରାଯାଉଛି। ତଥାପି ଲୋକେ ଅଳିଆ ପକାଇ ପାଣିକୁ ପ୍ରଦୂଷଣ କରୁଛନ୍ତି। ଯଦି ପଞ୍ଚାୟତକୁ ଏହାର ସଂପୂର୍ଣ୍ଣ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଆନ୍ତା, ତାହେଲେ ସ୍ବତନ୍ତ୍ର ଯୋଜନାରେ ଏହାର ଉନ୍ନତି ହୋଇପାରନ୍ତା ବୋଲି ଗୋଲିଆ ସମିତିସଭ୍ୟ ତଥା ବୁଗୁଡ଼ା ବ୍ଲକ୍ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ କହିଛନ୍ତି। ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର କହିଛନ୍ତି, ବହୁବର୍ଷ ତଳେ ଏଥି ପାଇଁ ଥରେ ମାତ୍ର ଯାହା ଅନୁଦାନ ଆସିଥିଲା। ସେଥିରେ ପୋଖରୀର ରକ୍ଷଣାବେକ୍ଷଣ ସଂକ୍ରାନ୍ତରେ କିଛି କାର୍ଯ୍ୟ ହୋଇଛି। ପୁଣି ଅନୁଦାନ ପାଇଁ ବହୁବାର ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ଅନୁଦାନ ମିଳିନି।

Share Now:

Kalinga News Beuro

Next Post

ସଂସଦରେ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

Thu Dec 14 , 2023
ନୂଆଦିଲ୍ଲୀ: ସଂସଦରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସେପଟେ ଘଟିଥିବା ତ୍ରୁଟିର ତଦନ୍ତ ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଲୋକସଭାରେ ଅନୁପ୍ରବେଶ କରି କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଆଜି ସଂସଦର ଉଭୟ ଗୃହ ଆରମ୍ଭ ହେବା ପରେ ବିରୋଧୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial