ସତ୍ୟନଗର ଲେକ୍‌ ଜୋନ୍‌ରେ ୨୦ କୋଟିର ଜମି କେଳେଙ୍କାରୀ

ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ, ସରକାରଙ୍କ ଖାତାକୁ ନେଲେନି

ଭୁବନେଶ୍ୱର: ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ। ହେଲେ ସରକାରୀ ଖାତାକୁ ନେଲେ ନାହିଁ କିମ୍ବା ବ୍ୟବହାର ମଧ୍ୟ କଲେ ନାହିଁ। ବର୍ଷ ବର୍ଷ ପଡ଼ିବା ପରେ ଦଲାଲ ଲାଗିଗଲେ। ମୂଳ ମାଲିକଙ୍କ କାଗଜପତ୍ର ଜାଲ୍‌ କରି ସରକାରଙ୍କ ଜମିକୁ ବିକିଦେଲେ। ମୂଳ ମାଲିକ କ୍ଷତିପୂରଣ ‌ନେଇ ଚାଲିଗଲେ। ଦଲାଲ୍‌ କୋଟି କୋଟି ଟଙ୍କା ରୋଜଗାର କଲା। ଏହା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଭୁବନେଶ୍ୱର ଛାତି ଉପର ସତ୍ୟନଗରରେ ଘଟିଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଏବେ ଯେଉଁଠାରେ ଲେକ୍‌ ନ୍ୟୁଟ୍ରାଲ୍‌ ପ୍ରକଳ୍ପ ପ୍ରସ୍ତୁତ କରୁଛି ସେଠାରେ ଦଲାଲ୍‌ ୧୦ ଏକରରୁ ଉର୍ଦ୍ଧ୍ୱ ସରକାରୀ ଜାଗା ବିକି ଦେଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଳ୍ଲାପାଳଙ୍କୁ ଏ ନେଇ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ଏଥିରେ ୨୦ କୋଟିରୁ ଉର୍ଦ୍ଧ୍ୱ କେଳେଙ୍କାରୀ ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ହେଲେ ଦଲାଲଙ୍କ ପଛରେ ଥିବା ବଡ଼ବଡ଼ିଆ ଓ ସରକାରୀ ଅଧିକାରୀ ଧରାପଡ଼ିବେ ବୋଲି କୁହାଯାଉଛି।
ପୂର୍ବରୁ ଘଙ୍ଗାପାଟଣାରେ ଏଭଳି ହୋଇଥିଲା। ସରକାର ଜମି ଅଧିଗ୍ରହଣ କଲା ପରେ ସରକାରୀ ଖାତାକୁ ଜମି ନ ଯିବାରୁ ଦଲାଲ୍‌ ଓ ମୂଳମାଲିକ ମିଶି ଏହି ସରକାରୀ ଜମିକୁ ବିକି ଦେଇଥିଲେ। ଯାହା ସାରା ରାଜ୍ୟରେ ଚହଳ ପକାଇଥିଲା। ଏଥିରେ ସରକାରୀ ଅଧିକାରୀ ଗିରଫ ହୋଇଥିଲେ। ସେହିଭଳି ବରମୁଣ୍ଡାରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ରାସ୍ତା ନିର୍ମାଣ ପାଇଁ ସରକାର ଜମି ଅଧିଗ୍ରହଣ କଲେ। କିନ୍ତୁ ଦଖଲକୁ ନେଲେ ନାହିଁ କିମ୍ବା‌ ସରକାରୀ ଖାତାକୁ ମଧ୍ୟ ନେଲେ ନାହିଁ। ଫଳରେ ଦଲାଲ୍‌ ସରକାରଙ୍କ ଜମିକୁ ପୁଣି ଥରେ ସରକାରଙ୍କୁ ବିକିଦେଲା। ସରକାର ଏହି ରାସ୍ତା କଡ଼ରେ ସ୍ୱେରେଜ ଲାଇନ୍‌ ବିଛାଇବା ପାଇଁ ପୁଣି ଥରେ ସେହି ଜାଗାକୁ କ୍ଷତିପୂରଣ ଦେଇ ଅଧିଗ୍ରହଣ କଲେ। ଏହି ମାମଲା ଏବେ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ବିଚାରାଧୀନ ରହିଛି। ସରକାରୀ ଅଧିକାରୀଙ୍କ ସଲାସୁତରାରେ ଦଲାଲ୍‌ମାନେ ଏଭଳି କରିଥିବା ଘଙ୍ଗାପାଟଣା ମାମଲାରେ ପ୍ରମାଣିତ ହୋଇଛି। ଘଙ୍ଗାପାଟଣା ଘଟଣା ପରେ ବି ବରମୁଣ୍ଡାରେ ଘଟଣାର ପୁନରାବୃତ୍ତି ହେବା ସରକାରୀ ବ୍ୟବସ୍ଥା ପାଇଁ ଆହ୍ୱାନ ହୋଇଛି।

Share Now:

Kalinga News Beuro

Next Post

ଅଯୋଧ୍ୟା ରାମ ମନ୍ଦିରରେ ପ୍ରବେଶ ପାଇଁ କ୍ୟୁଆର କୋର୍ଡ ବାଧ୍ୟତାମୂଳକ

Fri Jan 19 , 2024
ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରି ୨୨ ତାରିଖରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଗତଗୁରୁବାର ରାମଲଲ୍ଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସମ୍ପୂର୍ଣ୍ଣ ୪ଘଣ୍ଟାର ରୀତିନୀତି ଅନୁସାରେ ସ୍ଥାପନ କରାଯାଇଛି। ରାମନଗରୀ ଏହି ଭବ୍ୟ ଆୟୋଜନ ପାଇଁ ଅଯୋଧ୍ୟାକୁ ଖୁବ ସୁନ୍ଦର ଭାବେ ସଜା ଯାଇଛି। ଏହା ବ୍ୟତୀତ ସ୍ଥାନେସ୍ଥାନେ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି।ଅଯୋଧ୍ୟା ରାମ ମନ୍ଦିରରେ ପ୍ରବେଶ ପାଇଁ ଲୋକଙ୍କୁ ସ୍ବତନ୍ତ୍ର ଏଣ୍ଟ୍ରି ପାସ ପ୍ରଦାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial