ରାଜଧାନୀ ରାସ୍ତା କହିବାକୁ ଲାଜ ଲାଗୁଛି

ସବୁ ରାସ୍ତା ଅବସ୍ଥା ଶୋଚନୀୟ, ପୂର୍ତ୍ତ ଓ ବିଏମ୍‌ସି ଅଧିକାରୀ କୁମ୍ଭକର୍ଣ୍ଣ ନିଦରେ

ଭୁବନେଶ୍ୱର: ଯୁଆଡ଼େ ଚାହିଁବ, ସେଠି ଖାଲ। କେଉଁଠି ଫୁଟିକିଆ ତ କେଉଁଠି ତିନି ଫୁଟିଆ। କେତେକ ସ୍ଥାନରେ ତ ପିଚୁ ରାସ୍ତା କି ମାଟି ରାସ୍ତା ଜଣାପଡ଼ୁନି। ଏଭଳି ସ୍ଥିତିରେ ଏବେ ରାଜଧାନୀର ରାସ୍ତା ଅଛି। କୌଣସି ଉପାନ୍ତ ଅଞ୍ଚଳ ହୋଇଥିଲେ ସରକାରୀ ଅଧିକାରୀମାନଙ୍କ ନଜର ପଡ଼ୁନି କି ଅର୍ଥ ଅଭାବରୁ ରାସ୍ତା ହୋଇପାରୁନି ବୋଲି କହି ହୁଅନ୍ତା। କିନ୍ତୁ ଯେଉଁଠି ପୂର୍ତ୍ତ ବିଭାଗ ଓ ବିଏମ୍‌ସି ବର୍ଷକୁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା କେବଳ ରାସ୍ତା ନିର୍ମାଣ ଓ ମରାମତିରେ ଖର୍ଚ୍ଚ କରୁଛନ୍ତି, ସେଠାରେ ଏହିଭଳି ଦୟନୀୟ ରାସ୍ତା ଆଦୌ ଗ୍ରହଣୀୟ ନୁହେଁ। ଏପରି ଭଙ୍ଗା ଦଦରା ରାସ୍ତା ରାଜଧାନୀରେ ଅଛି ବୋଲି କହିବାକୁ ଏବେ ରାଜଧାନୀବାସୀଙ୍କୁ ଲାଜ ମାଡ଼ିଲାଣି। ରାଜଧାନୀବାସୀ ରାସ୍ତାକୁ ନେଇ ଲଜ୍ଜା ଅନୁଭବ କଲେଣି। କିନ୍ତୁ ପୂର୍ତ୍ତ ବିଭାଗ ଏବଂ ବିଏମ୍‌ସି ଅଧିକାରୀଙ୍କୁ ଏନେଇ ଟିକେ ବି ଲାଜ ଲାଗୁନି। ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ ନୂଆ ରୂପ ପାଇଲାଣି। ପୂରା ସହରର ସୌନ୍ଦର୍ଯ୍ୟକରଣ କରିବାକୁ ଯୋଜନା ଅଛି। ହେଲେ ଏହି ରାସ୍ତା ଅବସ୍ଥା କେବେ ସୁଧୁରିବ ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ରାସ୍ତା ମରାମତି କେବେ ହେବ ତାହା ତ ଜଣାପଡ଼ୁନି ବରଂ ଯେଉଁ ରାସ୍ତା ମରାମତି ହୋଇଥିଲା, ତାହା ପୁଣି ଖୋଳା ହେଲାଣି। ସେପ୍ଟେମ୍ବର ୧୫ସୁଦ୍ଧା ସମସ୍ତ ଖୋଳାଖୋଳି ବନ୍ଦ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ ବିଭିନ୍ନ ବିଭାଗ ଫୁ’ କରି ଦେଇଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତ ପୂରା ବେଫିକର। ଲୋକ ରାସ୍ତାରେ ପଡ଼ି ମରନ୍ତୁ କି ଖଣ୍ଡିଆ ଖାବରା ହୁଅନ୍ତୁ, ସେମାନଙ୍କର କିଛି ଯା’ଆସ ନାହିଁ। ରସୁଲଗଡ଼ରୁ ପଳାସୁଣି ଓ ପଳାସୁଣିରୁ ରସୁଲଗଡ଼କୁ ପଡ଼ିଥିବା ସର୍ଭିସ୍‌ ରୋଡ୍‌ ଦୀର୍ଘ ବର୍ଷ ହେଲା ମରଣଯନ୍ତା ପାଲଟିଥିଲେ ହେଁ କର୍ତ୍ତୃପକ୍ଷ ଏହାର ସମାଧାନ କରିବାରେ ଫେଲ୍‌ ମାରିଛନ୍ତି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୧୫ସୁଦ୍ଧା ସମସ୍ତ ରାସ୍ତା ମରାମତି ହେବ। ସେପ୍ଟେମ୍ବର ୩୦ ପରେ ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତା ମରାମତି ଆରମ୍ଭ ହେବ। କିନ୍ତୁ ଗଳିକନ୍ଦିରେ କଙ୍କ୍ରିଟ ରାସ୍ତା ଫାଟି ଆଁ କରିଥିବା ବେଳେ ପିଚୁ ରାସ୍ତାରେ ଚାଲିକି ଯିବା ବି ସମ୍ଭବ ହେଉନି।

Share Now:

Kalinga News Beuro

Leave a Reply

Next Post

ଅଗଷ୍ଟା ହେଲିକ୍ୟାପ୍ଟର ବିବାଦ : ମଧ୍ୟସ୍ଥିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି

Wed Sep 19 , 2018
ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକ୍ୟାପ୍ଟର କ୍ରୟ ବିବାଦରେ ମଧ୍ୟସ୍ଥି ଖ୍ରିଷ୍ଟିଆନ୍‌ ମିସେଲ୍‌ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଆଜି ଦୁବାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦୀୟ ହେଲିକ୍ୟାପ୍ଟର କ୍ରୟ ମାମଲାରେ ମିସେଲଙ୍କୁ ଜେରା ପାଇଁ ଭାରତ ଆଣିବାକୁ ତଦନ୍ତକାରୀ ସଂସ୍ଥାମାନେ ଲଗାତାର ପ୍ରୟାସ ଜାରି ରଖିଥିଲେ। ଫେବ୍ରୁଆରି ୨୦୧୭ରେ ମିସେଲଙ୍କୁ ୟୁଏଇରୁ ଗିରଫ କରାଯାଇଥିଲା। ମିସେଲଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ସିବିଆଇ ମିସେଲଙ୍କ ଉପରେ ପ୍ରବଳ ଚାପ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial