ପିଇଟି ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ପାରିଲେନି, ସ୍କୁଲର ୩ ମହଲା ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ

ଅବସ୍ଥା ସଂକଟାପନ୍ନ, ଆଇସିୟୁରେ ଭର୍ତ୍ତି, ଅଭିଭାବକମହଲରେ ତୀବ୍ର ପ୍ରତିକ୍ରିୟା, ଆଜି ସ୍କୁଲ୍ ଡିସି କାର୍ଯ୍ୟାଳୟ ଘେରାଉ

ଚନ୍ଦ୍ରଶେଖରପୁର : ବିନା କାରଣରେ ସର୍ବ ସମ୍ମୁଖରେ ପିଇଟି ଶିକ୍ଷୟିତ୍ରୀଙ୍କଠାରୁ ମାଡ଼ ଖାଇଥିବା ଜଣେ ଛାତ୍ରୀ ଆଜି ସ୍କୁଲର ୩ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ପରିବାରଲୋକେ ତାଙ୍କୁ ନାଲ୍‌କୋ ଛକ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେ ବର୍ତ୍ତମାନ ଉକ୍ତ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି। ତାଙ୍କ ଦୁଇ ଗୋଡ଼ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଛି। ଏହାବ୍ୟତୀତ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଥିବା ପରିବାରଲୋକେ କହିଛନ୍ତି। ତେବେ ଶେଷ ଖବର ଲେଖା ହେବା ବେଳକୁ ଏନେଇ ରେଳବାଇ ଥାନାରେ ଏତଲା ଦିଆଯାଇନଥିଲା। ଅପରପକ୍ଷେ ଏହି ଖବର ପ୍ରଚାରିତ ହେବା ପରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଶନିବାର ସ୍କୁଲ ପରିସରରେ ଥିବା ଡିସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଅଭିଭାବକ ସଂଘ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକାଦଶ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ରୀଜଣଙ୍କ ଆଜି ଅପରାହଣ୍‌ରେ ସ୍କୁଲ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ। ଏହି ସମୟରେ ସ୍କୁଲ୍‌ର ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ସର୍ବସମ୍ମୁଖରେ ବିନା କାରଣରେ ଗାଳି ଓ ମାଡ଼ ଖାଇବାରୁ ଛାତ୍ରୀଜଣଙ୍କ ଅପମାନରେ ସ୍କୁଲର ୩ ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଛାତ୍ରୀଜଣଙ୍କ ଏକ ସିମେଣ୍ଟ ପକ୍କା ଚଟାଣରେ ପଡ଼ିବାରୁ ତାଙ୍କ ଦୁଇ ଗୋଡ଼ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଥିଲା।
ଅଭିଭାବକଙ୍କ ସୂଚନା ଅନୁଯାୟୀ, ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଛାତ୍ରୀଜଣଙ୍କ ଏପରି ଅବସ୍ଥା ଦେଖି ପିଇଟି ଶିକ୍ଷୟିତ୍ରୀ ସ୍କୁଲ୍ ଛାଡ଼ି ପଳାଇଥିବାରୁ ସ୍କୁଲ୍ ପରିସରରେ ଉତ୍ତେଜନା ଦେଖାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଏମିତି କାର୍ଯ୍ୟନୁଷ୍ଠାନ ନିଅ, ଯେମିତି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ବ୍ୟକ୍ତି ଭୟରେ କମ୍ପି ଉଠିବେ: ଉମାଭାରତୀ

Sat Dec 7 , 2019
ନୂଆଦିଲ୍ଲୀ: ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଖପ୍ପା ହୋଇଛନ୍ତି | ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିବା ସହ କହିଛନ୍ତି ଯେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ଯେପରି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ଲୋକ ଭୟରେ କମ୍ପି ଉଠିବେ | ଏଠାରେ ସୂଚନା ଥାଉ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial