ଫାର୍ମଗେଟ୍‌ ବସ୍ତିର ନୂଆ ଠିକଣା ପଣ୍ଡାକୁଦିଆ, ପ୍ରଶାସନ କଥା ମାନି ଛାଡ଼ିଦେଲେ

ଖଣ୍ଡଗିରି: ମାଟ୍ରିକ୍ ପରୀକ୍ଷା ସରିବା ପର୍ଯ୍ୟନ୍ତ ରହିଥିଲେ ଭଲ ହୋଇଥାଆନ୍ତା। ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇନଥାନ୍ତା। ମାତ୍ର କରାଇ ଦେଲେନି। ପ୍ରଶାସନର ଜିଦ୍ ରହିଲା। ପ୍ରଶାସନ ସହ ଲଢ଼ି ଜିତିବା ସମ୍ଭବ ନୁହେଁ। ପୁଲିସ ବଳ ଆଗରେ ସେମାନଙ୍କ ବଳ ବା କେତେ! ତେଣୁ ବାଧ୍ୟ ହୋଇ ପ୍ରଶାସନର କଥା ମାନି ବସ୍ତି ଛାଡ଼ିଦେଲେ। ସୋମବାରଠାରୁ ସେମାନଙ୍କ ନୂଆ ଠିକଣା ପାଲଟିଗଲା ପଣ୍ଡାକୁଦିଆ ବସ୍ତି। ଘର ଖଣ୍ଡେ କଲା ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ଦିନରାତି କଟିବ। ଏଥିରେ ପିଲାଙ୍କ ପାଠପଢ଼ା ଯାହା ହେବ! ଆଜି ଶିରିପୁର ଫାର୍ମ ଗେଟ୍‌ ବସ୍ତି ଛାଡ଼ିବାବେଳେ ଏମିତି ଥିଲା ବସ୍ତିବାସିନ୍ଦାଙ୍କ ମନର କଥା। ଗତକାଲି ବସ୍ତିବାସିନ୍ଦାମାନେ ବସ୍ତି ନ ଛାଡ଼ିବାକୁ ଜିଦ୍ କରି ତୀବ୍ର ବିରୋଧ କରିଥିଲେ। ଫଳରେ ବିଡିଏ-ବିଏମ୍‌ସି ଓ ପୁଲିସ ବାଧ୍ୟ ହୋଇ ଫେରିଥିଲେ। ବସ୍ତିବାସିନ୍ଦାମାନଙ୍କୁ କିଛି ବିଜେପି ନେତା ସମର୍ଥନ କରିଥିଲେ। ତେଣୁ ଗଣ୍ଡଗୋଳ ଆଶଙ୍କାରେ ଉଚ୍ଛେଦ ସ୍କ୍ବାଡ୍‌ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲା। ମାତ୍ର ଆଜି ସକାଳ ଚିତ୍ର ଥିଲା ଭିନ୍ନ। ବସ୍ତିବାସିନ୍ଦାମାନେ ପ୍ରଶାସନଠାରୁ ଟୋକନ୍ ଗ୍ରହଣ କରି ପଣ୍ଡାକୁଦିଆ ଅଭିମୁଖେ ବାହାରି ପଡ଼ିଥିଲେ। ଘରର ଆସବାବପତ୍ର ତଥା ସମସ୍ତ ଜିନିଷପତ୍ର ପରିବହନ ପାଇଁ ବିଏମ୍‌ସି ଓ ବିଡିଏ ପକ୍ଷରୁ ଗାଡ଼ି ଯୋଗାଇ ଦିଆଯାଇଥିଲା। ଏଣେ ଘର ଖାଲି ହେବା ମାତ୍ରେ ଜେସିବି ଘର ଭାଙ୍ଗି ପକାଇଥିଲା। ଆଜି ପ୍ରାୟ ୩୦ ଘର ଭଙ୍ଗା ଯାଇଛି। ବିଡିଏ-ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁସାରେ ସେମାନଙ୍କ ପାଇଁ ପଣ୍ଡାକୁଦିଆରେ ନିର୍ମିତ ଅସ୍ଥାୟୀ ଶିବିରରେ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଛି। ମୋଟ୍ ୧୧୦ ପରିବାର ମଧ୍ୟରୁ ୧୦୪ ଜଣ ଟୋକନ୍ ନେଇଛନ୍ତି ଓ ଆଜି ବହୁ ପରିବାର ଫାର୍ମଗେଟ୍‌ ବସ୍ତି ଛାଡ଼ିଛନ୍ତି। ଆସନ୍ତାକାଲି ଅନ୍ୟମାନଙ୍କୁ ସ୍ଥାନାନ୍ତର କରାଯିବ। ସେମାନଙ୍କ ପାଇଁ ପଣ୍ଡାକୁଦିଆରେ ୨୪୦ ବର୍ଗଫୁଟ୍‌ ଲେଖାଏ ଜମି ଦିଆଯାଇଛି ଓ ଗୃହ ନିର୍ମାଣ ପାଇଁ ୩୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ତେବେ ଗୃହ ନିର୍ମାଣ ସମୟ ସାପେକ୍ଷ ହୋଇଥିବାରୁ ସେମାନଙ୍କୁ ଏବେ ସାମୟିକଭାବେ ଉକ୍ତ ଅସ୍ଥାୟୀ ଶିବିରରେ ରହିବାକୁ ପଡ଼ିବ। ତେଣୁ ପ୍ରାୟ ମାସକ ପାଇଁ ସେମାନଙ୍କୁ ମାଗଣାରେ ଖାଇବାକୁ ପିଇବାକୁ ଦିଆଯିବ ବୋଲି ପ୍ରସ୍ତାବ ରହିଛି ବୋଲି ସୂଚନା ମିଳିଛି। ଏମିତିକି ପିଲାଙ୍କୁ ସ୍କୁଲ ନେବା ଆଣିବା ପାଇଁ ମଧ୍ୟ ଗାଡ଼ି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ବିମ‌ାନ ବନ୍ଦର ସମ୍ପ୍ରସାରଣ ପାଇଁ ଏହି ବସ୍ତି ଉଚ୍ଛେଦ କରାଯାଉଛି।

Share Now:

Kalinga News Beuro

Leave a Reply

Next Post

ଭୁବନେଶ୍ୱର ରେଳ‌ଷ୍ଟେସନରୁ ନିଖୋଜ ଶିଶୁପୁତ୍ର ଉଦ୍ଧାର

Wed Jan 22 , 2020
ଭୁବନେଶ୍ୱର: ଦୀର୍ଘ ୧୨ ଦିନ ଧରି ମାଷ୍ଟର କ୍ୟାଣ୍ଟିନ୍‌ରୁ ନିଖୋଜ ହୋଇଯାଇଥିବା ଅଣଓଡ଼ିଆ ଶିଶୁପୁତ୍ର ଆଜି ରହସ୍ୟଜନକ ଭାବରେ ଭୁବନେଶ୍ୱର ରେଳ‌ଷ୍ଟେସନରୁ ମିଳିଛି। ଶିଶୁପୁତ୍ରର ପରିଜନ ବିଶ୍ରାମ ନେବା ପାଇଁ ଷ୍ଟେସନ ଯାଇଥିବା ବେଳେ ପୁଅକୁ ପାଇଥିଲେ। ଖବର ପାଇ ଖାରବେଳ ନଗର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଖବର ପ୍ରଚାରିତ ହେବା ପରେ ଗିରଫ ଭୟରେ ଅପହର୍ତ୍ତା ଶିଶୁପୁତ୍ରକୁ ଛାଡ଼ି ଚାଲି ଯାଇଥିବା ପୁଲିସ ସନ୍ଦେହ କରୁଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial