ଜାମିଆ ଛାତ୍ରଙ୍କ ଉପରକୁ ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଗୁରୁବାର ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ସେମାନଙ୍କ ଉପରକୁ ଗୁଳିଚାଳନା କରିବା ଘଟଣାକୁ କେନ୍ଦ୍ର କରି ଦେଶର ରାଜନୀତି ଆଜି ଉଷ୍ମ ହୋଇ ପଡ଼ିଛି। ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପିକୁ ଘେରିଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏସଂପର୍କରେ ଟୁଇଟ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି ଯେ ଏପରି ଘଟଣାକୁ କେନ୍ଦ୍ର ସରକାର ଆଦୌ ବରଦାସ୍ତ କରିବେ ନାହିଁ। ତେଣୁ, ଏଘଟଣାରେ ଅଟକ ଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମନ୍ତ୍ରୀ ଶ୍ରୀ ଶାହା। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନଶୃଙ୍ଖଳା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତେବେ, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ବାତିଲ କରିବା ଲକ୍ଷ୍ୟରେ ଏହା ଶାସକ ବିଜେପି ଦଳର ଏକ ଚାଲ ଥିଲା ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଗୁରୁବାର ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲା। ଜାମିଆ ଛାତ୍ରମାନଙ୍କ ରାଲି ନିକଟକୁ ଆସି ଉକ୍ତ ଯୁବକ ଜଣକ ବଡ଼ ପାଟିରେ ଚିତ୍କାର କରି କହିଥିଲା- ‘କାହାକୁ ସ୍ୱାଧୀନତା ଦରକାର? ମୁଁ ଦେବି ସ୍ୱାଧୀନତା!’ ଏହା କହି ସାରି ସେ ଏକ ପିସ୍ତଲ ବାହାର କରି ଗୁଳିଚାଳନା କରିଥିଲା। ଏହି ଘଟଣାରେ ଜଣେ ଛାତ୍ର ଆହତ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ପବିତ୍ର ତିଥି ଅବସରରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଦିଲ୍ଲୀର ଜାମିଆ ଅଞ୍ଚଳରୁ ସିଏଏ ଏବଂ ଏନଆରସି ବିରୋଧରେ ଏକ ରାଲି ବାହାର କରି ରାଜଘାଟ ଆଡ଼କୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏହାପରେ ଗୁଳିଚାଳନା କରିଥିବା ଯୁବକଙ୍କୁ ପୁଲିସ ଗିରଫ କରି ନେଇଥିଲା। ଗିରଫଦାରି ପରେ ଯୁବକ ଜଣକ ନିଜ ନାମ ଗୋପାଳ ବୋଲି କହୁଥିବା ବେଳେ ତାଙ୍କ ପରିଚୟ ନେଇ ପୁଲିସ ତଦନ୍ତ କରୁଛି। ଏହି ଘଟଣାର ଭିଡିଓ ଭାଇରାଲ୍‌ ହୋଇଛି।

Share Now:

Kalinga News Beuro

Leave a Reply

Next Post

ଓମ୍‌ଫେଡ୍‌ ବୁଥ୍‌ରୁ ଗୁଟ୍‌ଖା ବିକ୍ରି ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ଓଏଚ୍‌ଆରସି

Fri Jan 31 , 2020
ଭୁବନେଶ୍ୱର: ରାଜ୍ୟରେ ଥିବା ଓମଫେଡ ବୁଥ୍‌ଗୁଡ଼ିକରେ ଗୁଟ୍‌ଖା ଓ ତମାଖୁରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି। ତେଣୁ ବୁଥ୍‌ଗୁଡ଼ିକରେ ତମାଖୁ ଜାତୀୟ ଦ୍ରବ୍ୟ ହଟାଇବା ପାଇଁ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)। ଯଦି ଓମଫେଡ୍‌ ବୁଥଗୁଡିକ ଏହାକୁ ନ ହଟାନ୍ତି କିମ୍ବା ଆଦେଶନାମାକୁ ଅବମାନନା କରନ୍ତି ତେବେ ସେମାନଙ୍କ ଲାଇସେନ୍‌ସ ପ୍ରତ୍ୟାହାର କରିବା ପାଇଁ କମିସନ କହିଛନ୍ତି। ପରବର୍ତ୍ତୀ ସମୟ‌ରେ ଏହି ନିର୍ଦ୍ଦେଶାନାମାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial