ନିର୍ଭୟା ମାମଲାରେ ନୂଆମୋଡ଼: ବିଚାର ଶେଷ ହୋଇଥିବା ୩ ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ତିହାର ଜେଲ ଅଦାଲତଙ୍କୁ ମାଗିଲା ଅନୁମତି

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟ ଗଣଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶକୁ ଆସନ୍ତାକାଲି (ଫେବ୍ରୁଆରି ୧ ତାରିଖ, ସକାଳ ୬ଟାରେ) କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପାତିଆଲା ହାଉସ କୋର୍ଟ ଦ୍ୱିତୀୟ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି। ଫାଶୀ ଦଣ୍ଡଦେଶରେ ଦଣ୍ଡିତ ଚାରି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ତିହାର ଜେଲ ପରିସର ମଧ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଏପରିକି ଘାତକ ମଧ୍ୟ ଆସି ତିହାର ଜେଲରେ ପହଞ୍ଚି ସାରିଲାଣି। ତେବେ, ଏ ପ୍ରକାର ପରିସ୍ଥିତିରେ ଆଜି ପୁଣି ଆଇନରେ ଗଳାବାଟ ଦେଇ ଫାଶୀ ଘୁଞ୍ଚାଇବାକୁ ଉଦ୍ୟମ କରିଛନ୍ତି ଦୋଷୀଙ୍କ ଓକିଲ। ଫଳରେ ମାମଲା ପୁଣି ଥରେ ନୂଆମୋଡ଼ ନେଇଛି। ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟ ଗଣଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ଦୋଷୀର ରାଜକ୍ଷମା ଆବେଦନ ଏବେ ବିଚାର ଅପେକ୍ଷାରେ ରହିଥିବାରୁ ଅନ୍ୟ ତିନି ଦୋଷୀ ସେମାନଙ୍କର ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାକୁ ଆଜି ଦିଲ୍ଲୀର ଏକ ଅଦାଲତରେ ଆବେଦନ କରିଛନ୍ତି। ତେବେ, ତିହାର ଜେଲ କର୍ତ୍ତୃପକ୍ଷ ଆଜି ଏହି ମାମଲାରେ ପକ୍ଷଭୁକ୍ତ ହୋଇ ଅଦାଲତଙ୍କୁ କହିଛନ୍ତି ଯେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ଦୋଷୀଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ ମାମଲା ବିଚାର ଅପେକ୍ଷାରେ ରହିଛି ସତ, କିନ୍ତୁ, ଅନ୍ୟ ତିନି ଦୋଷୀଙ୍କର ସବୁ ମାମଲାର ବିଚାର ବିଭିନ୍ନ ଅଦାଲତରେ ବିଭିନ୍ନ ପର୍ଯ୍ୟାୟରେ ଶେଷ ହୋଇ ସାରିଛି। ଏହି ତିନି ଦୋଷୀଙ୍କ ନିକଟରେ ଏବେ ଆଉ ଅନ୍ୟ କୌଣସି ପ୍ରକାର ବିକଳ୍ପ ନାହିଁ। ତେଣୁ, ବିଚାର ସରିଥିବା ଏହି ତିନି ଦୋଷୀଙ୍କର ଫାଶୀ ଦଣ୍ଡାଦେଶକୁ ଆସନ୍ତାକାଲି ହିଁ କାର୍ଯ୍ୟକାରୀ କରିବାକୁ ଅଦାଲତଙ୍କୁ ଅନୁମତି ମାଗିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ।
ଉଭୟ ପକ୍ଷର ଯୁକ୍ତି ଶୁଣି ସାରିବା ପରେ ଦିଲ୍ଲୀ ଅଦାଲତର ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦ୍ର ରାଣା ଏହି ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆଜିଠୁ ୱାନ୍‌ ୱେ ଘୋଷଣା ହେଲା ବାପୁଜୀନଗର:ନମାନିଲେ ଜରିମାନା

Sun Feb 2 , 2020
ରାଜମହଲ-ଏଜି ରାସ୍ତାର ଉଭୟ ପାର୍ଶ୍ଵରେ କଟକଣା, ବାଇକ୍‌ ପାର୍କିଂ କଲେ ୧ ହଜାର ଜରିମାନା ଭୁବନେଶ୍ୱର: ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍‌ ପ୍ଲାନ୍‌ ଆଜିଠାରୁ କାର୍ଯ୍ୟକ‌ାରୀ ହେବାକୁ ଯାଉଛି। ଗତ ୨୧ ତାରିଖରେ ଏ ନେଇ ପ୍ରସ୍ତୁତ ନକ୍ସାକୁ ବିଏମ୍‌ସି ମୋହର ମାରିବା ପରେ ରବିବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ବାପୁଜୀନଗର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial