୮୪ ବର୍ଷରେ ସ୍ୱତନ୍ତ୍ର ଉତ୍କଳ ବା ଓଡିଶା : କରୋନା ପାଇଁ ସବୁ ଫିକା

ସ୍ୱପ୍ନ ଆଙ୍କିଛେ କେତେ, ସାକାର କରିଛେ କେତେ?

ଭୁବନେଶ୍ୱର: ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୮୪ ବର୍ଷରେ ପାଦ ଥାପିଛି । ମାତ୍ର ଓଡ଼ିଶା ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ ଫିକା ପଡିଛି। ନା ସହର ଆଲୋକମାଳାରେ ଝଲସୁଛି ନା କୋଉଠି ସଭା ସମିତିରେ ଉତ୍କଳ ମାତାର ଗୁଣଗାନ ହୋଇପାରୁଛି। ଉତ୍କଳ ଦିବସ ଆସିଲେ ଅନେକ ବୁଦ୍ଧିଜୀବୀ, ଓଡ଼ିଆ ଓ ଓଡ଼ିଶା ପ୍ରେମୀ, ସରକାର ଚେଇଁ ଉଠନ୍ତି। ଅନେକ କଥା ଘୋଷଣା କରିପକାନ୍ତି। ମାତ୍ର କରୋନା ହାୱାରେ ଏତକ ବି ଏଥର ହୋଇପାରିଲା ନାହିଁ। ଓଡ଼ିଶା ଓ ଓଡିଆତ୍ୱକୁ ନେଇ ବର୍ଷ ବର୍ଷ ଧରି ଦେଖାଯାଇଥିବା ସ୍ୱପ୍ନ ଯେ କରୋନା ନ ଆସିଥିଲେ ସାକାର ରୂପ ନେଇ ଯାଇଥାଆନ୍ତା ତାହା ବି ସରକାରୀ କଳର କେହି ଜଣେ କହିପାରିବେ ନାହିଁ।
ଯୋଜନା ଯେ ହେଉ ହେଉ ଫଳପ୍ରସୂ ହୋଇଯିବ ତାହା କୁହାଯାଇନପାରେ କିନ୍ତୁ ଆନ୍ତରିକତା ଓ ନିଷ୍ଠା କୌଣସି ଯୋଜନାକୁ କାର୍ଯ୍ୟରେ ପରିଣତ କରିବାରେ ବେଶି ସମୟ ନିଏ ନାହିଁ। ମାତ୍ର ଓଡ଼ିଶା ମାଟି କ୍ଷେତ୍ରରେ ତାହା ଯେମିତି ମରୀଚିକା ପାଲଟିଛି। ୧୯୯୪ ମସିହାରୁ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ବିଧାନସଭା ଅଧିବେଶନ ଶେଷ ଦିନରେ ଗାଇ ସମ୍ମାନ ଦେବାକୁ ନିଷ୍ପତ୍ତି ହେଲା। ପରେ ଶରତ କର ଓ ମହେଶ୍ୱର ମହାନ୍ତି ବାଚସ୍ପତି ଥିବା ବେଳେ ଏହି ଗୀତକୁ ରାଜ୍ୟ ସଂଗୀତ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ବୈଠକ ବସିଲା। ଏହାପରେ ଏହାର ଗୀତ, ସଂଗୀତ, ସମୟସୀମାକୁ ନେଇ ବହୁ ଆଲୋଚନା ପର୍ଯ୍ୟାଲୋଚନା ହେଲା। ମାତ୍ର ଏ ବାବଦରେ ଦୀର୍ଘ ବର୍ଷ ପରେ ମଧ୍ୟ ସରକାର କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲେ ନାହିଁ। ୬ ବର୍ଷ ତଳୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲାଣି। ମାତ୍ର ଆଜି ପର୍ଯ୍ୟନ୍ତ ଭାଷା କେବଳ ମାନ୍ୟତାରେ ହିଁ ସୀମିତ ରହିଯାଇଛି। କେନ୍ଦ୍ର ସରକାର ସଂସ୍କୃତ ଭାଷା ପାଇଁ ୬୪୩.୮୪ କୋଟି ଟଙ୍କା ଖର୍ଚ କରିବାକୁ ଆଗେଇ ଆସିଛନ୍ତି। ଅନ୍ୟ ୫ଟି ଭାଷା ପାଇଁ ୨୯ କୋଟି ଖର୍ଚ୍ଚ ହେବାକୁ ବରାଦ ହୋଇଛି। ମାତ୍ର ଓଡ଼ିଆ ଭାଷା ପାଇଁ କିଛି ନାହିଁ। ସୀମା ବିବାଦ ବି ଏପର୍ଯ୍ୟନ୍ତ ତୁଟି ପାରିଲା ନାହିଁ। ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖାର ସଭାପତି ଦିଲ୍ଲୀପ ଦାଶଶର୍ମା କହିଛନ୍ତି, କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ବହୁ ବାଦ ବିବାଦ ଲାଗି ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାର ବହୁ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ପଶ୍ଚିମବଙ୍ଗ ସରକାରର ଲୋଲୁପ ଦୃଷ୍ଟି ରହିଛି। ଛତିଶଗଡ଼ ସରକାର ଓଡ଼ିଶାର ଗଜମାର ପାହାଡ଼ ସହିତ ଝାରଗାଁକୁ ନିଜର ଦର୍ଶାଇ ପାହାଡ଼ କାଟି ଶିଳ୍ପ ସଂସ୍ଥା ପାଇଁ ବେଆଇନ ଭାବେ ରେଳ ଧାରଣା ବିଛାଇବାକୁ ଚେଷ୍ଟା କରୁଛି। ତେଣୁ ଓଡ଼ିଶା ପ୍ରଦେଶ ଏବେ ବି ତା’ର ସୀମାକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଛି ବୋଲି ଶ୍ରୀ ଦାଶଶର୍ମା କହିଛନ୍ତି।
ଅନ୍ୟପକ୍ଷରେ ନାମ ଫଳକ ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ବି ଅନେକ ଯେମିତି ନମାନିବାକୁ ରାଣ ଖାଇଛନ୍ତି। ପ୍ରତ୍ୟେକ ସ୍ତରରେ ନାମ ଫଳକକୁ ଓଡ଼ିଆରେ ଲେଖିବା ପାଇଁ ଆଇନ୍‌ ହୋଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ୨୦୧୧ ମସିହା ଅଗଷ୍ଟ ୨୯ରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେଲାଣି। ସମସ୍ତ କାର୍ଯ୍ୟାଳୟ ନାମ ଫଳକ ଓଡ଼ିଆରେ ଲେଖିବା ପାଇଁ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ହେଲେ ଏହାକୁ ଅଧିକାଂଶ ସ୍ଥାନରେ କଡ଼ାକଡ଼ି ପାଳନ କରାଗଲା ନାହିଁ। ଭାଷା ପ୍ରତିଷ୍ଠାନ ବି କେବଳ ଚିଠି କରିଦେଇ ବସିଯାଇଛି। କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ବି ଏହାକୁ ସ୍ୱତଃ ପାଳନ କରି ଉତ୍କଳ ଜନନୀ ପ୍ରତି ଶ୍ରଦ୍ଧା ଦେଖାଇବାକୁ ଆଗଭର ହେଲେ ନାହିଁ। ସେହିପରି ଓଡ଼ିଶା ଭାଷା ଆୟୋଗ ଗଠନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଓଡ଼ିଆ ଭର୍ଚୁଆଲ ଏକାଡେମି ଗଠନ କରାଯାଇଛି। ଓଡ଼ିଆ ଭାଷାରେ ଶାସନ ପାଇଁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସରକାରୀ ସ୍ତରରେ ସମସ୍ତ ନଥି ପତ୍ର ଓଡ଼ିଆରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତାହା କିନ୍ତୁ ସାକାର ରୂପ ନେଇ ପାରିନାହିଁ। ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଆଜି ଯାଏ ଇଟା ଖଣ୍ଡେ ପଡ଼ି ପାରିନାହିଁ। ଅନେକ କଥା କେବଳ ଆଇନ ଓ ଯୋଜନାରେ ସୀମିତ ରହିଯାଇଛି। ତେଣୁ ସ୍ୱପ୍ନ କେବେ ସାକାର ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share Now:

Kalinga News Beuro

Leave a Reply

Next Post

ଭାରତରେ କରୋନାଭାଇରସ୍: ୧୪୬୬ ଆକ୍ରାନ୍ତ ଓ ୩୮ ମୃତ

Wed Apr 1 , 2020
ନୂଆଦିଲ୍ଲୀ: ଏପ୍ରିଲ୍ ୧ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୧୪୬୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୮ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବିହାରରେ ୧ଜଣ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial