ଭୁବନେଶ୍ୱର: ଏପ୍ରିଲ ୧୫ରୁ ୨୨ ପର୍ଯ୍ୟନ୍ତ ରାତିଅଧିଆ ରାଜଧାନୀର ସମସ୍ତ ପ୍ରମୁଖ ହାଟ ଓ ବଜାର ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ବିଶୋଧକ ସିଞ୍ଚନ କରିବା ପରେ ଏବେ ରାଜଧାନୀର ସମସ୍ତ ପ୍ରମୁଖ ଛକକୁ ଟାର୍ଗେଟ୍ କରାଯାଇଛି। ବିଏମ୍ସି ପକ୍ଷରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସହାୟତାରେ ସମସ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମ୍ସିର ଉତ୍ତର ଜୋନରେ ଆଜି ରାତିରୁ ଏହି କେମିକାଲ ସିଞ୍ଚନ ଆରମ୍ଭ ହୋଇଛି। ଆଶ୍ଚର୍ଯ୍ୟର ବିଷୟ, ଯେଉଁ ସବୁ ଅଞ୍ଚଳରେ ଅଗ୍ନିଶମ ବିଭାଗ ଗାଡ଼ି ସୋଡିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ କରିଥିଲା, ଏବେ ସେଥିରୁ ଅଧିକାଂଶ ଅଞ୍ଚଳରେ ଡ୍ରୋନ୍ ବୁଲାଇ ସିଞ୍ଚନ କରାଯିବ। ଯେଉଁଠି ମୂଷଳ ବର୍ଷା ହେଲା ଭଳି ଅଗ୍ନିଶମ ବିଭାଗ କେମିକାଲ ସିଞ୍ଚନ କରିଥିଲା, ଲିଟର ଲିଟର କେମିକାଲ ସିଞ୍ଚନ କରିଥିଲା, ସେଠାରେ ଏବେ ଡ୍ରୋନ୍ କୁଣ୍ଡା ଝାଡ଼ିଲା ଭଳି କେମିକାଲ୍ ସିଞ୍ଚନ କରିବ। ଅଗ୍ନିଶମ ବିଭାଗ ଗାଡ଼ି କେମିକାଲ ସିଞ୍ଚନ କରିବା ପରେ ଡ୍ରୋନ୍ର କ’ଣ ଆବଶ୍ୟକତା ସେନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଯାହାକୁ ପଚାରିଲେ ତାଙ୍କ ପାଟି ଥଙ୍ଗମଙ୍ଗ ହୋଇଯାଉଛି। ହେଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ସ୍ମାର୍ଟ କରାନାମା ଆଗରେ ସମସ୍ତେ ଚୁପ୍। ସରକାରୀ ଅର୍ଥକୁ ଅପଚୟ କରିବା ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ମୋହରା କରାଯାଇଛି। ବରିଷ୍ଠ ଅଧିକାରୀଙ୍କ ଚାପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ପାଟି ଫିଟାଇ ପାରୁନଥିଲେ ହେଁ ବଡ଼ ଦୁର୍ନୀତିକୁ ମୁଣ୍ଡପାତି ଆଦରି ନେଇଛନ୍ତି।
ରାଜ୍ୟ ସରକାରଙ୍କ ଜନୈକ ବରିଷ୍ଠ ଅଧିକାରୀଙ୍କ ଚାପରେ ବିଏସ୍ସିଏଲ୍ ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚୁପ୍ ରହିଛନ୍ତି। ବେଙ୍ଗାଲୁରର ଗୋଟିଏ ସଂସ୍ଥାକୁ କାହିଁକି ଭୁବନେଶ୍ୱରକୁ ଆଣି ଡ୍ରୋନ୍ ଦ୍ୱାରା ସିଞ୍ଚନ କରାଯାଉଛି, ଏହାଦ୍ୱାରା କି ଲାଭ ମିଳିବ ତାହା ଜଣାପଡ଼ୁନି। ଏପରିକି କୌଣସି ଅଧିକାରୀଙ୍କୁ ଏନେଇ ପଚାରିଲେ କେହି ଉତ୍ତର ଦେବାକୁ ନାରାଜ। ସମସ୍ତେ ଅଦୃଶ୍ୟ ଚାପରେ ଚୁପ୍। କରୋନା ସଂକ୍ରମଣ ବେଳେ ସମସ୍ତେ କରୋନା ମନସ୍କ ଥିବା ବେଳେ କିଛି ଅଧିକାରୀ ଏହାକୁ ଆଳ କରି ଲୁଟିବାରେ ମାତିଛନ୍ତି। ଡ୍ରୋନ୍ ଦ୍ୱାରା ସିଞ୍ଚନ କଲେ କେତେ ଟଙ୍କା ଖର୍ଚ୍ଚ ହେଉଛି, କେତେ ସମୟ ପାଇଁ କେତେ ଟଙ୍କା ଦିଆଯାଉଛି, ରାତିରେ ସିଞ୍ଚନ ହେଉଛି କି ନାହିଁ, କିଏ ଯାଞ୍ଚ କରୁଛି, ସେନେଇ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ ଉଠିବା ପରେ କର୍ତ୍ତୃପକ୍ଷ ଏବେ ଡ୍ରୋନ୍ ସିଞ୍ଚନର ରେକର୍ଡିଂ କରିବା ସହ ଲାଇଭ୍ ଭିଡ଼ିଓ ଭୁବନେଶ୍ୱର ଅପରେସନ୍ ସେଣ୍ଟରକୁ ଦେବାକୁ କହିଛନ୍ତି। ସେହିପରି ଏହି ଡ୍ରୋନ୍ କେଉଁ ଦିନ କେତେ ସମୟ ଉଡ଼ିଲା, କେତେ ଅଞ୍ଚଳରେ କେତେ ସମୟରେ ବିଶୋଧକ ସିଞ୍ଚନ କଲା, ତା’ର ରିପୋର୍ଟ ସିଷ୍ଟମ ଜେନେରେଟେଡ୍ ହୋଇଥିବ ବୋଲି କୁହାଯାଇଛି। ଏହାଦ୍ୱାରା ଡ୍ରୋନ୍ ଉଡ଼ାଉଥିବା ସଂସ୍ଥା ଠକି ପାରିବନି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ହେଲେ ଡ୍ରୋନ୍ର ଆବଶ୍ୟକତା କ’ଣ, ସେ ଉତ୍ତର କିନ୍ତୁ କର୍ତ୍ତୃପକ୍ଷ ଦେଇନାହାନ୍ତି। ବରଂ କିପରି ଅଧିକ ଅର୍ଥ ଏହି ସଂସ୍ଥା ପାଇଁ ବିଲ୍ କରିହେବ ସେଥିପାଇଁ ପୂରା ରାଜଧାନୀରେ ଏହି ଡ୍ରୋନ୍ ବୁଲାଇବାକୁ ମସୁଧା ହୋଇଛି। ଆଜିଠାରୁ ୭ଦିନ ପର୍ଯ୍ୟନ୍ତ ବିଏମ୍ସିର ଉତ୍ତର ଜୋନରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ ହେବ। ଏହାପରେ ଦକ୍ଷିଣ-ପଶ୍ଚିମ ଜୋନ୍ ଓ ଦକ୍ଷିଣ-ପୂର୍ବ ଜୋନ୍ରେ ଏହି କେମିକାଲ ସିଞ୍ଚନ ହେବ। କେମିକାଲ ସିଞ୍ଚନ ପାଇଁ ଦୁଇଟି ଡ୍ରୋନ୍ ବ୍ୟବହାର ହେଉଥିବା ବେଳେ ଗୋଟିଏ ଡ୍ରୋନ୍ ଥରକରେ ୨୫ମିନିଟ ପର୍ଯ୍ୟନ୍ତ ଉଡ଼ି ପାରିବ। ୧.୫କିମି ଯାଏ ୭.୫ଲିଟର ବିଶୋଧକ ଛିଞ୍ଚି ପାରିବ। ଅନ୍ୟ ଡ୍ରୋନ୍ଟି ଏହା ଉପରେ ରହି ଲୋକଙ୍କ ଉପରେ ନଜର ରଖିବା ସହ ବିଭିନ୍ନ ପ୍ରଚାର କରିବ। କିନ୍ତୁ ସବୁ କାମ ରାତି ୯ଟା ପରେ ହେବ। ଲକ୍ଡାଉନ୍ ପାଇଁ ଲୋକ ଘରୁ ବାହାରୁନଥିବାରୁ ରାସ୍ତାରେ କେମିକାଲ୍ ସିଞ୍ଚନ ହେଉଛି କି ଖାଲି ଡ୍ରୋନ୍ ଉଡ଼ୁଛି ତାହାକୁ କିଏ ଦେଖିବ ବୋଲି ପ୍ରଶ୍ନ ଉଠିଲାଣି।
ସାରା ରାଜଧାନୀରେ ବୁଲିବ ଡ୍ରୋନ୍: ଦମକଳ ପାରିଲାନି, ଡ୍ରୋନ୍ ପାରିବ…?
Share Now: