ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ୨୪ ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଉତ୍ତର ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ବିଶେଷ କରି ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ବରଗଡ଼, ନବରଙ୍ଗପୁର, ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୭ ତାରିଖ ଦିନ ମଧ୍ୟ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ରେକର୍ଡ ହୋଇଛି। ଜଗତସିଂହପୁର, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ପୁରୀ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି। ସର୍ବାଧିକ ବର୍ଷା ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ ହୋଇଛି। ସେଠାରେ ପ୍ରାୟ ୧୪୦.୦ ମିମି ବର୍ଷା ‌ରେକର୍ଡ କରାଯାଇଛି। ଜଗତସିଂହପୁରରେ ୧୧୯.୦ ମିମି, ନବରଙ୍ଗପୁରର କୋଷାଗୁମୁଡ଼ାରେ ୯୬.୪ ମିମି, ବୌଦ୍ଧରେ ୮୪.୪ ମିମି ଓ ପୁରୀ ଜିଲ୍ଲା କାକଟପୁରରେ ୬୭.୦ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ୪୦ରୁ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଣୁ ଏହି ଅଞ୍ଚଳର ଗଭୀର ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।

Share Now:

Kalinga News Beuro

Next Post

ସବୁ କଟକଣାକୁ ଦଳି ଦେଲେ : ରଥ ଉପରେ ନକଲି ସେବାୟତ

Mon Jul 6 , 2020
ମହିଳା ଅଧିକାରୀଙ୍କ ସ୍ବାମୀ ବି ଥିଲେ ପୁରୀ : ଏଥର କୋଭିଡ୍‌ କଟକଣା ଭିତରେ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ସଫଳ ହୋଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ପ୍ରଶାସନ ରଥଯାତ୍ରାକୁ ଶୃଙ୍ଖଳାର ସହିତ ଆୟୋଜନ କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେବକଙ୍କ ନିଷ୍ଠା ଓ ସେବା ମନୋଭାବକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଲା। ପୁରୀବାସୀଙ୍କ ସହ ସମଗ୍ର ଜଗନ୍ନାଥ ପ୍ରେମୀ ଘରେ ରହି ରଥଯାତ୍ରା ଦେଖିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial