ନିୟମ କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା ମହାନଗର ନିଗମ ଉପରେ ବି ଲକ୍ଡାଉନ୍ କଟକଣା ଲଗାଇଛନ୍ତି ସରକାର। ଆଜି ରାତି ୯ଟାରୁ ୩୧ ଜୁଲାଇ ମଧ୍ୟରାତ୍ର ପର୍ଯ୍ୟନ୍ତ ୧୪ ଦିନିଆ ଲକ୍ଡାଉନ କଟକଣା ଜାରି ରହିବ। ଏହି ଲକ୍ଡାଉନ ସମୟରେ ଲୋକଙ୍କ ଯାଆସ ବନ୍ଦ ରହିବ। ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନ୍ୟ ଅନୁଷ୍ଠାନ ବନ୍ଦ ରହିବ। କ୍ଷୀର, ପରିବା, ତେଜରାତି ଦୋକାନ ଆଦି ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ। ଏହି ୪ଟି ଜିଲ୍ଲା ଓ ରାଉରକେଲାରେ ୧୪ ଦିନ ଲକ୍ଡାଉନ ବେଳେ ସପ୍ତାହାନ୍ତ ସଟ୍ଡାଉନ କଟକଣା ଲାଗୁ ହେବ ନାହିଁ। ଲକ୍ଡାଉନ୍ କଟକଣା ନେଇ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନରେ କେତେକ ଅତ୍ୟାବଶକୀୟ ସେବାକୁ ବାଦ୍ ଦିଆଯାଇଛି। କଟକଣାରୁ ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ବଳ ବାଦ୍ ପଡ଼ିଥିବା ବେଳେ ଟେଲିକମ୍, ପୋଷ୍ଟ ଅଫିସ ଓ ଟ୍ରେଜେରୀ, ପାଣିପାଗ ବିଭାଗ ଓ ଜାତୀୟ ସୂଚନା କେନ୍ଦ୍ରକୁ କଟକଣାରୁ ମୁକ୍ତ କରଯାଇଛି। ଏଥିସହିତ ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଖୋଲା ରହିବ, କ୍ଲିନିକ୍, ନର୍ସିଂହୋମ୍ ଓ ଔଷଧ ଦୋକାନ ଖୋଲା ରହିବ। ସେହିଭଳି ଆମ୍ବୁଲାନ୍ସ, ଡାକ୍ତର, ପାରା ମେଡିକାଲ ଓ ସ୍ୱାସ୍ଥ୍ୟକର୍ମୀ, ପରିମଳ, ଜଳ ଯୋଗାଣ, ସ୍ୱରେଜ କାର୍ଯ୍ୟ କଟକଣାରୁ ମୁକ୍ତ କରାଯାଇଛି। ସେହିଭଳି ହୋମ୍ଡେଲିଭରି ପାଇଁ ମଧ୍ୟ ଛାଡ଼ କରିଛନ୍ତି ସରକାର। ବିଭିନ୍ନ ସଂସ୍ଥା ମାଧ୍ୟମରେ ଘରକୁ ଖାଦ୍ୟ ହୋମ୍ ଡେଲିଭରି ହୋଇପାରିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ। ଗ୍ରୋସେରୀ, ପରିବା, ଅଣ୍ଡା, ମାଛ ଓ ମାଂସ ହୋମ୍ ଡେଲିଭରି ହୋଇପାରିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏଥିସହିତ ଘରୋଇ ପରିବହନ ଓ ଟ୍ୟାକ୍ସି ଓଲା, ଉବେରକୁ ଅନୁମତି ମିଳିଛି।