କ୍ଷମା ମାଗିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ : ମହଙ୍ଗା ପଡିଲା ନେହରୁ-ଗାନ୍ଧୀ ଟିପ୍ପଣୀ

କ୍ଷମା ମାଗିଲେ ଅନୁରାଗ

ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ,ଗୃହ ୪ ଥର ମୁଲତବୀ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେହରୁ-ଗାନ୍ଧୀ ଟିପ୍ପଣୀକୁ ନେଇ ଗତକାଲି ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ପ୍ରଥମ ଥର ପାଇଁ ସଂସଦର ମୈସୁମୀ ଅଧିବେଶନରେ ଗୃହ କାର୍ଯ୍ୟରେ ବାଧା ଉପୁଜିଛି ଏବଂ ଗୃହକୁ ୪ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ପିଏମ୍‌ କେୟା‌ର୍‌ସ ଫଣ୍ଡ୍‌ରେ ସ୍ବଚ୍ଛତା ନଥିବା ନେଇ ବିରୋଧୀ ଦଳ ନେତାମାନେ ସ୍ବର ଉଠାଇଥିବାବେଳେ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପାଣ୍ଠି ସପକ୍ଷରେ ନିଜ ମତ ରଖିଥିଲେ। ସେ କହିଥିଲେ ହାଇକୋର୍ଟଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମସ୍ତ ଅଦାଲତ ପିଏମ୍‌ କେୟାର୍‌ସ ପାଣ୍ଠିର ବୈଧତାକୁ ସବୁଜ ସଙ୍କେତ ଦେଇଛନ୍ତି। ଛୋଟ ପିଲାମାନେ ମଧ୍ୟ ‌ପିଏମ୍‌ କେୟାର୍‌ସ ପାଣ୍ଠିକୁ ଦାନ କରିଛନ୍ତି। ତେବେ ଯଦି ଆପଣମାନେ ପିଏମ୍‌ କେୟାର୍‌ସ ସଂକ୍ରାନ୍ତରେ ଆଲୋଚନା କରିବାକୁ ଆସିଛନ୍ତି ତେବେ ପ୍ରଥମେ ପିଏମ୍‌ ନ୍ୟାସନାଲ୍‌ ରିଲିଫ୍‌ ଫଣ୍ଡ୍‌ (ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି) ଉପରେ ଦୃଷ୍ଟି ଦିଅନ୍ତୁ। ୧୯୪୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି ସୃଷ୍ଟି ପାଇଁ ଘୋଷଣା କରିଥିଲେ। ୧୯୪୮ରୁ ଏଯାବତ୍‌ ଏହା ପଞ୍ଜିକୃତ ହୋଇନାହିଁ। ଏହାକୁ କିପରି ଏଫ୍‌ସିଆରଏ ମଞ୍ଜୁରୀ ମିଳିଲା। କିନ୍ତୁ ପିଏମ୍‌ କେୟାର୍‌ସ ଏକ ପଞ୍ଜିକୃତ ଦାତବ୍ୟ ଟ୍ରଷ୍ଟ୍‌। ଏହା ୧୩୦ କୋଟି ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ତୁମେମାନେ ଗାନ୍ଧୀ ପରିବାର ପାଇଁ ଏକ ଟ୍ରଷ୍ଟ୍‌ ଗଠନ କରିଥିଲ। ନେହରୁ, ସୋନିଆ ଗାନ୍ଧୀ ପିଏମ୍‌ ଜାତୀୟ ରିଲିଫ୍‌ ପାଣ୍ଠିର ସଦସ୍ୟ ଥିଲେ। ଏହାର ତଦନ୍ତ ହେବା ଉଚିତ୍‌ ବୋଲି ଅନୁରାଗ ଠାକୁର କହିଥିଲେ।
ଅନୁରାଗଙ୍କର ଏହି ଟିପ୍ପଣୀକୁ ବିରୋଧୀ ଦଳ ନେତାମା‌ନେ ପ୍ରବଳ ବିରୋଧ କରିଥିଲେ। ବିଶେଷ କରି କଂଗ୍ରେସ ସାଂସଦମାନେ ଠାକୁରଙ୍କ ବ‌ୟାନକୁ ପ୍ରବଳ ବିରୋଧ କରିଥିଲେ। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଠାକୁରଙ୍କ ଉପରେ ପ୍ରବଳ ବର୍ଷିଥିଲେ। ସେ କହିଥିଲେ ହିମାଚଳର ଏହି ବାଳକ ଜଣଙ୍କ କିଏ? ଆଲୋଚନା ମଧ୍ୟକୁ ନେହରୁ ଆସିଲେ କେମିତି ? ଆମେ କ’ଣ ମୋଦୀଙ୍କ ନାମ ନେଇଥିଲୁ କି ବୋଲି ଅଧୀର ପ୍ରଶ୍ନ କରିଥିଲେ। କଂଗ୍ରେସ ନେତାମାନେ ମନ୍ତ୍ରୀ ଅନୁରାଗଙ୍କଠାରୁ କ୍ଷମା ଦାବି କରିବା ସହ ପ୍ରବଳ ବିରୋଧ ପ୍ରଦର୍ଶନ କରିଥିଲେ। ‘ଗୋଲି ମାରୋ ମନ୍ତ୍ରୀ ରିଜାଇନ୍‌’ ସ୍ଲୋଗାନ୍‌ ଦେଇଥିଲେ। ଏହି ସମୟରେ କିଛି ନେତା ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା। ତେବେ ବାଚସ୍ପତି ଓମ୍‌ ବିର୍ଲା ଏହାକୁ ବିରୋଧ କରିଥିଲେ। ମାସ୍କ ନପିନ୍ଧିଲେ ଗୃହରୁ ବାହାର କରି ଦିଆଯିବ ବୋଲି ଓମ୍‌ ବିର୍ଲା‌ ଚେତାବନୀ ଦେଇଥିଲେ ଏବଂ ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ। ବାଚସ୍ପତି ସମସ୍ୟାର ସମାଧାନ ପାଇଁ ନେତାମାନଙ୍କର ଏକ ‌ଅନୌପଚାରିକ ବୈଠକ ଡାକିଥିଲେ। କନ୍ତୁ ସଦସ୍ୟମାନେ ଗୃହକୁ ଫେରିବାପରେ ବାରମ୍ବାର ଏଭଳି ବିଶୃ୍ଙ୍ଖଳା ଦେଖାଦେବାରୁ ଗୃହକୁ ୪ ଥର ମୁଲତବୀ କରିବାକୁ ପଡ଼ିଥିଲା। ତେବେ ପରେ ମନ୍ତ୍ରୀ ଅନୁରାଗ ତାଙ୍କର ନେହରୁ-ଗାନ୍ଧୀ ମନ୍ତବ୍ୟ ପାଇଁ କ୍ଷମା ମାଗିବା ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା।

Share Now:

Kalinga News Beuro

Next Post

ଧରାକୋଟ ଷ୍ଟେଟବ୍ୟାଙ୍କର ସ୍ଥିତି ସୁଧୁରିବ କେବେ : ଏଟିଏମ ଅଚଳ,ସାଧାରଣ ଲୋକ ହନ୍ତସନ୍ତ

Sat Sep 19 , 2020
ଧରାକୋଟ : ଧରାକୋଟରେ ଥିବା ଷ୍ଟେଟବ୍ୟାଙ୍କ ଉପରେ ପ୍ରାୟ ୩୦ହଜାରରୁ ଅଧିକ ଗ୍ରାହକ ନିର୍ଭର କରିଥାନ୍ତି। ସ୍ଥାନୀୟ ଅଂଚଳରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟର ଦେଣନେଣ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାଏ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ବ୍ୟାଙ୍କ ଅନେକ ସମୟରେ ସାଧାରଣ ଲୋକଙ୍କ କାମରେ ଆସୁନାହିଁ। ଏଠାରେ ଥିବା ଏକମାତ୍ର ଏଟିଏମ ମେସିନଟି ପ୍ରାୟ ସମୟରେ ସଟର ପଡିଥିବାର ଦେଖାଯାଉଛି ଓ […]
Dharakote ATM (2)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial