ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଭିଡିଓ ଭାଇରାଲ ମାମଲା : ଓଟିଭି ସାମ୍ବାଦିକଙ୍କୁ ୪ ଘଣ୍ଟା ଜେରା

ଓଟିଭି ସାମ୍ବାଦିକଙ୍କୁ ୪ ଘଣ୍ଟା ଜେରା

୨୧ରେ କେନ୍ଦୁଝର ଟାଉନ୍‌ ଥାନାରେ ହାଜର ପାଇଁ ନୋଟିସ

ଭୁବନେଶ୍ୱର : କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଥ୍ୟା ଭିଡିଓ ଭାଇରାଲ ଘଟଣାରେ ଗତକାଲି କେନ୍ଦୁଝର ପୁଲିସର ଏକ ଟିମ୍ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରିଛି। ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହାସହ କେନ୍ଦୁଝର ପୁଲିସ ପକ୍ଷରୁ ଶ୍ରୀ ରଥଙ୍କୁ ସିଆରପିସି ଧାରା ୪୧ ଅନୁସାରେ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୨୧ ତାରିଖରେ କେନ୍ଦୁଝର ଟାଉନ ଥାନାରେ ହାଜର ହେବା ପାଇଁ ନୋଟିସରେ କୁହାଯାଇଛି। ଅପରପକ୍ଷେ ପୁଲିସ ଓଟିଭି କାର୍ଯ୍ୟାଳୟରୁ ଏକ ହାର୍ଡଡିସ୍କ ମଧ୍ୟ ଜବତ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ରଥ ଗତକାଲି ଅପରାହ୍ନ ୩ଟାରେ ଅଫିସ୍‌ ଯାଉଥିବା ସମୟରେ ଡମଣା ଓ ମ୍ୟାଗ୍ନେଟିକ୍ ଛକ ରାସ୍ତାରୁ ପୁଲିସ‌ର ଏକ ଟିମ୍ ତାଙ୍କୁ ଉଠାଇ ନେଇଥିଲା। ଓଟିଭିର ଜଣେ ମହିଳା କର୍ମଚାରୀ ଏହା ଦେଖିବା ପରେ ଘଟଣା ପଦାକୁ ଆସିଥିଲା। ଶ୍ରୀ ରଥଙ୍କୁ ପୁଲିସ ଚନ୍ଦ୍ରଶେଖରପୁର ଥାନାକୁ ନେଇ ପଚରାଉଚରା କରିଥିଲା। ଭାଇରାଲ୍ ଭିଡିଓ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ସାମ୍ବାଦିକ ସୀମାଞ୍ଚଳ ପାତ୍ରଙ୍କ ବୟାନକୁ ଭିତ୍ତି କରି ଶ୍ରୀ ରଥଙ୍କୁ ପୁଲିସ ଜେରା କରାଯାଇଥିବା ଜଣାପଡ଼ିଛି। ତେବେ ସନ୍ଧ୍ୟା ପ୍ରାୟ ୭ଟାରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲ ୯ ତାରିଖରେ ସାଂସଦଙ୍କ ମାମୁ ସୌଭାଗ୍ୟ ସୋରେନ କେନ୍ଦୁଝର ଟାଉନ୍‌ ଥାନାରେ ଏହି ମିଥ୍ୟା ଭାଇରାଲ ଭିଡିଓ ସଂପର୍କରେ ଅଭିଯୋଗ କରିଥିଲେ। ଏହାପରେ ଟାଉନ୍‌ ଥାନା ପୁଲିସ ଆଇପିସିର ବିଭିନ୍ନ ଦଫା ଏବଂ ଆଇଟି ଆକ୍ଟ, ୬୭, ୬୭(ଡି)ରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ପ୍ରଥମେ ବିଜେପିର ଦୁଇଜଣ କର୍ମୀ ଢେଙ୍କିକୋଟର ଜୟଦେବ ଗିରି, ଶୁଆକାଟିର ବିଷ୍ଣୁଦତ୍ତ ବାରିକଙ୍କୁ ଏପ୍ରିଲ ୧୦ ତାରିଖରେ ଗିରଫ କରିଥିଲା। ଏହାପରେ ୧୧ ତାରିଖରେ ଭଦ୍ରକର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହରିଶଙ୍କରପୁର ଗାଁର ଚିନ୍ମୟ ସେନାପତି, ଏପ୍ରିଲ ୧୪ ତାରିଖରେ ଏଟିଆର ନ୍ୟୁଜ୍‌ର ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଓ ୧୯ତାରିଖ‌ରେ ଓଟିଭିର ତତ୍କାଳୀନ ସାମ୍ବାଦିକ ସୀମାଞ୍ଚଳ ପାତ୍ରଙ୍କୁ ଗିରଫ କରାଯାଇଥିଲା। କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ସୂଚନା ଅନୁସାରେ, ସୀମାଞ୍ଚଳ ବୟାନ ଦେଇଥିଲେ ଯେ ଉକ୍ତ ଭାଇରାଲ ଭିଡିଓ ସେ ରମେଶ ରଥଙ୍କଠାରୁ ପାଇଥିଲେ। ତେଣୁ ସେହି ବୟାନକୁ ଭିତ୍ତି କରି ରମେଶଙ୍କୁ ପଚରାଉଚରା କରାଯାଇଛି। ୨୧ ତାରିଖରେ ଟାଉନ୍‌ ଥାନାରେ ହାଜର ପାଇଁ ନୋଟିସ ଜାରି କରାଯାଇଛି।

Share Now:

Kalinga News Beuro

Next Post

ଏନଇଇଟି ପରୀକ୍ଷାରେ ଇତିହାସ ସୃଷ୍ଟି କଲେ ଓଡ଼ିଶାର ସୋଏବ ଆଫତାବ

Fri Oct 16 , 2020
ଭୁବନେଶ୍ୱର : ଶୁକ୍ରବାର ପ୍ରକାଶିତ ଏନଟିଏ-ଏନଇଇଟି ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଇତିହାସ ସୃଷ୍ଟି କରିଛନ୍ତି। ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ୧୦୦ ପ୍ରତିଶତ ସଫଳତା ପାଇଛନ୍ତି। ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି। ଟାଇମ୍ସନାଓକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ତାଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ଅଛନ୍ତି। ତେବେ ତାଙ୍କର ପଠପଢା ପାଇଁ ତାଙ୍କ ମା’ […]
ଇତିହାସ ସୃଷ୍ଟି କଲେ ଓଡ଼ିଶାର ସୋଏବ ଆଫତାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial