ବିଏମସିର ମହାଦୁର୍ନୀତି :ଲୁଟିବାକୁ ଗଛକୁ କଲେ ମାଧ୍ୟମ

କାଗଜ କଲମରେ ଗଛ ଲଗାଇଛି ବିଡିଏ

ଭୁବନେଶ୍ୱର: ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବାକୁ ସରକାର ଆହ୍ଵାନ ଦେଇଛନ୍ତି। ଏଥିପାଇଁ ସରକାରୀ ସଂସ୍ଥାଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ରାଜଧାନୀରେ ଗଛ ଲଗାଇବାରେ ବ୍ୟସ୍ତ। ବିଏମ୍‌ସି, ବିଡିଏ, ଜଙ୍ଗଲ ଓ ପରିବେଶ ବିଭାଗ ଏଥିପାଇଁ ସରକାରୀ ତହବିଲ୍‌ରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି। ଯେଉଁ ଗଛ ଲଗାଇବା ପାଇଁ ବିଡିଏ ୧୭ରୁ ୨୦ଟଙ୍କା ଖର୍ଚ କରିଛି। ବିଏମ୍‌ସି ସେଥିପାଇଁ ୨୪୮ରୁ ୯୫୯ଟଙ୍କା ପର୍ଯ୍ୟନ୍ତ ଖର୍ଚ କରିଛି। ଜଙ୍ଗଲ ବିଭାଗ ତ ସବୁ ଗଛ ଲଗାଉଛି ବୋଲି କହି ଟଙ୍କା ଲୁଟି ଚାଲିଛି। ଅଧିକାରୀଙ୍କୁ ହିସାବ ମାଗିଲେ ଦେଇ ହେବନି ବୋଲି କହି ରୋକଠୋକ୍‌ ମନା କରିଦେଉଛନ୍ତି।

ସରକାରଙ୍କ ତିନିଟି ବିଭାଗ କିପରି ଗଛ ଲଗାଇବା ପାଇଁ ଭିନ୍ନ ଭିନ୍ନ ସ୍କିମ୍‌ରେ ଟଙ୍କା ଲୁଟୁଛନ୍ତି ତାହା ଚକିତ କରୁଛି। ଏପରିକି ପ୍ରତିବର୍ଷ ଯଦି ରାଜଧାନୀରେ ପ୍ରାୟ ୫୦ହଜାରରୁ ଅଧିକ ଗଛ ଲାଗୁଛି ତେବେ ଏତେ ଗଛ ଯାଉଛି କୁଆଡ଼େ ବୋଲି ପ୍ରଶ୍ନ ଉଠିଲାଣି। ତିନିଟି ଯାକ ସରକାରୀ ସଂସ୍ଥା ରାସ୍ତାରେ ଗଛ ଲଗାଇବାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ରାଜଧାନୀରେ ଯେତିକି ଗଛ ଲାଗିଛି ତାକୁ ଦେଖିଲେ ଏବଂ ଏହି ତିନିଟି ସଂସ୍ଥାର ହିସାବ ଦେଖିଲେ ଲାଗୁଛି ଯେଉଁ ଗଛ ଲାଗିଛି ତାକୁ ଉପାଡ଼ିକି ନୂଆ ଗଛ ଲଗାଯାଉଛି। ନଚେତ୍‌ ଗଛ ଲାଗିବା ପରେ ତା’ର ଯତ୍ନ ନିଆଯାଉନି କିମ୍ବା ତିନିଟି ଯାକ ସଂସ୍ଥା ଗଛ ଲଗାଇବାର ମିଛ ରିପୋର୍ଟ ଉପସ୍ଥାପନ କରୁଛନ୍ତି। ବିଏମ୍‌ସି କହୁଛି ଆମେ ଯେତିକି ଗଛ ଲଗାଉଛୁ ତା’ର ୯୦% ବଞ୍ଚିଛି। ବିଡିଏ କହୁଛି ଆମର ୯୦% ବଞ୍ଚୁଛି। ଜଙ୍ଗଲ ବିଭାଗ କହୁଛି ଆମର ସବୁ ଗଛ ବଞ୍ଚିଛି। ଯଦି ଯେତିକି ଗଛ ଲାଗୁଛି ତା’ର ୯୦%ରୁ ଅଧିକ ଗଛ ବଞ୍ଚୁଛି ତେବେ ଭୁବନେଶ୍ୱର ସହରାଞ୍ଚଳ ମଧ୍ୟରେ କିପରି ପ୍ରତିବର୍ଷ ୫୦ହଜାର ଗଛ ଲାଗୁଛି? ଗଛ ରାସ୍ତାରେ ଲାଗୁଛି ନା କାଗଜ କଲମରେ ଲାଗୁଛି?

ବିଏମ୍‌ସିର ବର୍ଷକରେ ଗଛ ପିଛା ଖର୍ଚ ୪୪୫ଟଙ୍କା ବଢ଼ିଗଲା
ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୬-୦୭ରେ ରାସ୍ତା କଡ଼ରେ ୪୭୦୦ ଗଛ ଲାଗିଥିବାବେଳେ ଏଥିରେ ଆର୍‌ସିସି ବାଡ଼ ଦିଆଯାଇଛି। ଏଥିପାଇଁ ୪୪ଲକ୍ଷ ୮୯ହଜାର ୧୬ଟଙ୍କା ଖର୍ଚ ହୋଇଛି। ଏହି ହିସାବ ଦେଖିଲେ ଗୋଟେ ଗଛ ପିଛା ୯୫୫ଟଙ୍କା ଖର୍ଚ ହୋଇଛି। ସେହିବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୫ହଜାର ଗଛ ଦିଆଯାଇଥିବାବେଳେ ଏଥିପାଇଁ ୨ଲକ୍ଷ ୧୯ହଜାର ୩୯୪ଟଙ୍କା ଖର୍ଚ ହୋଇଛି। ଏଠାରେ ପ୍ରତି ଗଛ ପିଛା ୪୪ଟଙ୍କା ଖର୍ଚ ହୋଇଛି। ଜଙ୍ଗଲ ବିଭାଗ ମାଗଣାରେ ଗଛ ଦେଉଥିବାବେଳେ ବିଏମ୍‌ସି କିପରି ଗୋଟେ ଗଛ ପିଛା ୪୪ଟଙ୍କା ଖର୍ଚ କଲା ତାହା ଚକିତ କରୁଛି। ଯଦି ବିଏମ୍‌ସି ଗଛ କିଣିଛି ତେବେ କେଉଁ ଗଛ କିଣିଲା ଯେ, ଗୋଟେ ଗଛ ପିଛା ୪୪ଟଙ୍କା ଖର୍ଚ କଲା ତାହାର ଉତ୍ତର କର୍ତୃପକ୍ଷଙ୍କ ନିକଟରେ ନାହିଁ। କେବଳ ଏତିକି ନୁହେଁ ୨୦୦୭-୦୮ରୁ ୨୦୧୦-୧୧ ମଧ୍ୟରେ ତିନିବର୍ଷରେ ଗୋଟିଏ ବି ଗଛ ଲାଗିନି। ଏହାପରେ ୨୦୧୧-୧୨ରେ ଗଛ ଲଗାଇ ତିନିଟା ବାଉଁଶ ପୋତି ଜରି ଅଖା ପୂରାଇ ଦେଲେ। ଏହିଭଳି ୮୨୪ଟି ଗଛ ରାସ୍ତା କଡ଼ରେ ଲଗାଇଥିବାବେଳେ ଏଥିପାଇଁ ୨ଲକ୍ଷ ୪ହଜାର ୫୮୫ଟଙ୍କା ଖର୍ଚ କଲେ। ଗଛ ପିଛା ୨୪୮ଟଙ୍କା ଖର୍ଚ ହେଲା। କିନ୍ତୁ ୨୦୧୨-୧୩ରେ ଏହିଭଳି ବାଉଁଶ ପୋତି ହଜାରେ ଗଛ ଲଗାଇବାକୁ ୬ଲକ୍ଷ ୪୯ହଜାର ୬୮୮ଟଙ୍କା ଖର୍ଚ ହେଲା। ଗଛ ପିଛା ଖର୍ଚ ୬୫୦ଟଙ୍କା ଖର୍ଚ କଲେ। ୨୦୧୩-୧୪ରେ ଏହିଭଳି ଗଛ ଲଗାଇବା ପାଇଁ ହଜାରେ ଗଛକୁ ୬ଲକ୍ଷ ୯୭ହଜାର ୩୫୪ଟଙ୍କା ଖର୍ଚ ହେଲା। ଗଛ ପିଛା ୬୯୭ଟଙ୍କା ଖର୍ଚ କଲେ। ୨୦୧୪-୧୫ରେ ଏହିଭଳି ବାଉଁଶ ପୋତି ଗଛ ଲଗାଇଲେ। ଏହିବର୍ଷ ୧୪ଶହ ଗଛ ଲଗାଇବାକୁ ୭ଲକ୍ଷ ଟଙ୍କା ଖର୍ଚ କଲେ। ଆଶ୍ଚର୍ଯ୍ୟର ବିଷୟ ଏହି ୪ବର୍ଷରେ ଗୋଟିଏ ଢାଞ୍ଚାରେ ଗଛ ଲଗାଯାଇଛି, ଏଥିପାଇଁ ଜଙ୍ଗଲ ବିଭାଗ ମାଗଣାରେ ଗଛ ଦେଇଛି। କିନ୍ତୁ ଗଛ ପିଛା ଖର୍ଚ ଅହେତୁକ ଭାବେ ବଢ଼ି ବଢ଼ି ଯାଇଛି। ୨୦୧୧-୧୨ରେ ଗଛ ପିଛା ୨୪୮ଟଙ୍କା ଖର୍ଚ ହୋଇଥିବାବେଳେ ୨୦୧୩-୧୪ରେ ଗଛ ପିଛା ୬୯୭ଟଙ୍କା ଖର୍ଚ ହେଲା। ଦୁଇ ବର୍ଷରେ ବାଉଁଶ ଦାମ୍‌ ନା ଅଖା ଦାମ୍‌ ନା ମଜୁରି ବଢ଼ିଲା ଯେ, ଗୋଟେ ଗଛ ପିଛା ୪୪୫ଟଙ୍କା ଅଧିକ ଖର୍ଚ ହେଲା।

ଏହାପରେ ୨୦୧୫-୧୬ରେ ଲୁହା ବାଡ଼ରେ ଫାଇବର ଜାଲି ଦେଇ ଗଛ ଲଗାଗଲା। ଏଥିରେ ୨୯୭୬ଗଛ ଲଗାଇବାକୁ ୨୮ଲକ୍ଷ ୫୪ହଜାର ୫୦୦ଟଙ୍କା ଖର୍ଚ ହେଲା। ଗଛ ପିଛା ୯୫୯ଟଙ୍କା ଖର୍ଚ ହୋଇଛି। ୨୦୧୬-୧୭ରେ ଗଛ ଲଗାଯାଇନି। ୨୦୧୭-୧୮ରେ ପ୍ରାୟ ୧୪୦୦ ଗଛ ଲାଗିଛି। ଏନେଇ ବିଏମ୍‌ସିର ଏନ୍‌ଭାର୍ଣ୍ଣମେଣ୍ଟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ପୂର୍ବରୁ କେମିତି କ’ଣ ଗଛ ଲାଗିଛି ମୁଁ ଜାଣିନି। ଆମେ ଯେତିକି ଗଛ ଲଗାଇଛୁ ତା’ର ୯୦% ଗଛ ବଞ୍ଚିଛି। ବିଏମ୍‌ସି କର୍ତୃପକ୍ଷ କହୁଛନ୍ତି ଆମେ ସହର ଭିତରେ କେବଳ ଗଛ ଲଗାଇଛୁ। ବାଣୀବିହାରରୁ ଶିଶୁ ଭବନ ପର୍ଯ୍ୟନ୍ତ ରାସ୍ତା, କଳ୍ପନାରୁ ରାଜଭବନ, ବିମାନବନ୍ଦର ଛକରୁ ନାଲକୋ ଛକ, ନାଲକୋ ଛକରୁ ପଟିଆ, ରାଜଭବନ ଛକରୁ ଜୟଦେବ ବିହାର ଛକ। ବାସ୍ତବରେ ଏଥିରୁ ଅଧିକାଂଶ ଅଞ୍ଚଳରେ ଗତ କିଛି ବର୍ଷ ମଧ୍ୟରେ ଯେତିକି ଗଛ କହୁଛନ୍ତି ସେତିକି ଗଛ ଲାଗିନି। ଜଙ୍ଗଲ ବିଭାଗ ବି କହୁଛି ଏହି ସବୁ ଅଞ୍ଚଳରେ ଆମେ ଗଛ ଲଗାଇଛୁ।

ଜଙ୍ଗଲ ବିଭାଗ ତିନି ବର୍ଷରେ ୧.୪୩ ଲକ୍ଷ ଗଛ ଲଗାଇଛି, କେତେ ବଞ୍ଚିଛି ଜାଣିନି
ଜଙ୍ଗଲ ବିଭାଗ ଗତ ତିନିବର୍ଷ ମଧ୍ୟରେ ରାଜଧାନୀ ଭିତରେ ପ୍ରାୟ ୧ଲକ୍ଷ ୪୩ହଜାର ଗଛ ଲଗାଇଛି। ରାସ୍ତା କଡ଼ରେ କମ୍‌ ଗଛ ଲାଗିଛି। ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ଭିତରେ ଗଛ ଲାଗିଛି ବୋଲି କୁହାଯାଇଛି। ଯେତେବେଳେ କି ବିଏମ୍‌ସି ଏହି ରାସ୍ତାରେ ଗଛ ଲାଗିଛି ବୋଲି କହୁଛି। ଏହାବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ପ୍ରତିଷ୍ଠାନ ଆଦିରେ ଗଛ ଲାଗିଛି ବୋଲି ସିଟି ଡିଏଫ୍‌ଓଙ୍କ କାର୍ଯ୍ୟାଳୟ କହୁଛି। ଭୁବନେଶ୍ୱର ସିଟି ଡିଏଫ୍‌ଓଙ୍କ ପକ୍ଷରୁ ୨୦୧୪-୧୫ରେ ୪୫ହଜାର ଗଛ ଲାଗିଥିବାବେଳେ ୨୦୧୫-୧୬ରେ ୪୭୦୦୦ ଏବଂ ୨୦୧୬-୧୭ରେ ୫୦ହଜାର ଗଛ ଲାଗିଛି। କିନ୍ତୁ କେତେ ଗଛ ବଞ୍ଚିଛି ତା’ର ହିସାବ ନାହିଁ। ଏପରିକି ଗଛ ପିଛା କେତେ ଟଙ୍କା ଖର୍ଚ ହୋଇଛି ତା’ର ହିସାବ କର୍ତୃପକ୍ଷ ଦେଇପାରିବେନି ବୋଲି କହିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ଯେଉଁଠି ଗଛ ଲଗାଇ ରକ୍ଷଣାବେକ୍ଷଣ କରାଯାଉଛି ବୋଲି କୁହାଯାଇଛି ସେଠାରେ ଗଛ ପିଛା ୫୦୦ରୁ ୭୦୦ଟଙ୍କା ଖର୍ଚ ହୋଇଛି। ଏନେଇ କର୍ତୃପକ୍ଷଙ୍କ ଯୁକ୍ତି ଯେ, ଆମେ ଗଛ ମୂଳ ସଫା ରଖିବା ସହ ପ୍ରତିଦିନ ପାଣି ଦେଉଛୁ। ଦୁଇ ବର୍ଷ ପର୍ଯ୍ୟନ୍ତ ଯତ୍ନ ନିଆଯାଉଛି। ଯେଉଁଥିପାଇଁ ଅଧିକ ଖର୍ଚ ହେଉଛି। ଜଙ୍ଗଲ ବିଭାଗ ପକ୍ଷରୁ ଗଛରେ ପାଣି ଦିଆଯାଉଥିବା କେହି ଦେଖି ନଥିବାବେଳେ କର୍ତୃପକ୍ଷ କିନ୍ତୁ ପାଣି ଦେଉଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, କେବଳ ଖରାଦିନେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ଗଛରେ ପାଣି ଦିଆଯାଇଥାଏ। ଏସବୁ ବାଦ୍‌ ରାଜଧାନୀରେ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ ସିଏସ୍‌ଆର୍‌ରେ ଗଛ ଲଗାଉଥିବାବେଳେ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବି ଗଛ ଲଗାଉଛନ୍ତି। କିନ୍ତୁ ଏତେ ଗଛ କେଉଁଠି ଲାଗୁଛି ତାହା ଲୋକଙ୍କୁ ଚକିତ କଲାଣି।

କାଗଜ କଲମରେ ଗଛ ଲଗାଇଛି ବିଡିଏ
ବିଡିଏରେ ଗଛ ଲଗାଇବା କେଳେଙ୍କାରୀ କିଛି କମ୍‌ ନୁହେଁ। ଗତ ୫ବର୍ଷରେ ପ୍ରାୟ ୧ଲକ୍ଷ ଗଛ ଲଗାଯାଇଛି ବୋଲି କର୍ତୃପକ୍ଷ କହୁଛନ୍ତି। ବିଡିଏ ଉଦ୍ୟାନକୃଷି ବିଭାଗ ଏମିତି ଚଞ୍ଚକତାର ସହ ଏହି କେଳେଙ୍କାରୀ କରିଛି ତା’ର ଟେର୍‌ ଉପରିସ୍ଥ ଅଧିକାରୀ ପାଇବା ସହଜ ନୁହେଁ। କେଉଁଠି କେତେ ଗଛ ଲଗାଇଛ ପଚାରିଲେ ଉତ୍ତର ମିଳୁଛି ସବୁ ପାର୍କରେ ଗଛ ଲାଗିଛି। କେଉଁ ପାର୍କରେ କେଉଁ ଗଛ କେତେ ଲାଗିଛି ପଚାରିିଲେ ତା’ର ଉତ୍ତର ମିଳୁନି। ବିଡିଏର ଉଦ୍ୟାନକୃଷି ବିଭାଗ ମୁଖ୍ୟ ଏ.କେ ଧରଙ୍କୁ ଏନେଇ ପଚାରିବାରୁ ସେ କହିଥିଲେ କେତେ ଗଛ ଲାଗିଛି ତାକୁ କ’ଣ ଗଣିଛୁ। ଗଛ ଲଗାଇ ଦେଇଛୁ। ଅଧିକାରୀଙ୍କ ଉତ୍ତରରେ ଗଛ ଲଗାଇବାର କେଳେଙ୍କାରୀ ଥିବା ଆଭାସ୍‌ ମିଳୁଥିଲେ ହେଁ ସେ ଅଧିକ କିଛି କହି ନଥିଲେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଡିଏ ପ୍ରତି ଗଛ ପିଛା ୧୭ରୁ ୨୦ଟଙ୍କା ଖର୍ଚ କରିଛି। କିନ୍ତୁ କେବଳ କାଗଜ କଲମରେ ଗଛ ଲାଗିଛି। ନୂଆ ପାର୍କରେ ଗଛ ଲାଗୁଥିବାବେଳେ ପୁରୁଣା ପାର୍କରେ ପ୍ରତିବର୍ଷ ଗଛ ଲାଗୁଥିବା ମିଛ ହିସାବ ଦିଆଯାଉଛି ବୋଲି ଜାଣିବାକୁ ମିଳିଛି।

Share Now:

Kalinga News Beuro

Leave a Reply

Next Post

ଉଦଯାପିତ ହେଲା ରାଜ୍ୟଗୋଷ୍ଠୀ କ୍ରୀଡା

Mon Apr 16 , 2018
ଗୋଲ୍‌ଡକୋଷ୍ଟ୍‍ : ରବିବାର ଦିନ ଉଦ୍‌ଯାପିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ତୃତୀୟ ସ୍ଥାନ ଦଖଲ କରିଛି। ୨୬ ସ୍ୱର୍ଣ୍ଣ ସହିତ ଭାରତ ମୋଟ ୬୬ ପଦକ ଜିତିଛି। ଅଷ୍ଟ୍ରେଲିଆ (୧୯୮) ଏବଂ ଇଂଲଣ୍ଡ (୧୩୬) ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତ ସର୍ବକାଳିନ ସଫଳତାରେ ମଧ୍ୟ ତୃତୀୟ ଶ୍ରେଷ୍ଠ ସଫଳତା ଅର୍ଜନ କରିଛି। ଭାରତ ପୂର୍ବରୁ କେବଳ ୨୦୧୦ ନୂଆଦିଲ୍ଲୀ ଏବଂ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial