ସରକାରୀ ସ୍କୁଲରେ ପଢ଼ିଥିଲେ ସଂରକ୍ଷଣ: ମେଡିକାଲ ଓ ଇଞ୍ଜିନିୟରିଂରେ ମିଳିବ ସ୍ବତନ୍ତ୍ର ସୁବିଧା

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା (କଳାହାଣ୍ଡି) ଗସ୍ତ

କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ଯାଇ ଓଡ଼ିଶା ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ସଂପତ୍ତି ତାଲିକା ପ୍ରଦାନକୁ ବାଧ୍ୟତାମୂଳକ କରିଛନ୍ତି। କେବଳ ସେତିକି ନୁହେଁ, ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ଆସନ୍ତାବର୍ଷ ଠାରୁ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷାରେ ନାମଲେଖା ସଂରକ୍ଷଣ ରହିବ। ସେହିଭଳି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବରପୁତ୍ର ଜନ୍ମ ହୋଇଥିବା ଗ୍ରାମକୁ ଆଦର୍ଶ ଗ୍ରାମ କରିବାକୁ ସ୍ଥିର ହୋଇଛି। ଏହିଭଳି ମୋଟ ୧୨ଟି ପ୍ରସ୍ତାବକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି।
ରାଜନୈତିକ ଦୃଷ୍ଟିକୋଣରୁ ଆଜିର କ୍ୟାବିନେଟ୍‌କୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି। ଏଇଥିପାଇଁ ଯେ ବିଜେଡି କାର୍ଯ୍ୟକାରିଣୀରେ ହୋଇଥିବା ସବୁ ବଡ଼ ନିଷ୍ପତ୍ତିକୁ ସରକାର କ୍ୟାବିନେଟ୍ ଦ୍ବାରା ଅନୁମୋଦନ କରାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ, ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ଆଡ଼କୁ ଟାଣିବା, ମହାପୁରୁଷଙ୍କ ସ୍ମୃତି, ସର୍ବୋପରି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଚିରସ୍ମରଣୀୟ କରିବା ଲାଗି ଠୋସ୍ ପଦକ୍ଷେପ ନିଆଯାଇଛି। ପୂର୍ବରୁ ନବୀନ ଦଳର ଇସ୍ତାହାରକୁ ସରକାର ଗଠନ ଦିନ ମନ୍ତ୍ରୀ ପରିଷଦ ବୈଠକ କରାଇ ଅନୁମୋଦନ କରାଇଥିଲେ। ଏହି ପ୍ରକ୍ରିୟାରେ ଏବେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଏଥିସହିତ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କର ଥିଲା ଶେଷ କ୍ୟାବିନେଟ୍ ବୈଠକ। ଆସନ୍ତା ୩୧ ତାରିଖ ଦିନ ସେ ଅବସର ନେବେ। କ୍ୟାବିନେଟ୍ ନିଷ୍ପତ୍ତି ପରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ଭଳି ଏକକ ପରୀକ୍ଷା ପ୍ରବର୍ତନ କରାଯାଇଛି। କିନ୍ତୁ ଓଡ଼ିଶାର ସରକାରୀ ହାଇସ୍କୁଲ ଓ କଲେଜମାନଙ୍କରେ ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏହି ପାଠ୍ୟକ୍ରମରେ ହ୍ରାସ ପାଉଛି। ତେବେ ମେଧାବୀ ଛାତ୍ରଛାତ୍ରୀଙ୍କ ଅଭାବ କାରଣରୁ ନୁହେଁ, ବରଂ ଗ୍ରାମାଞ୍ଚଳ ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବା କାରଣରୁ ଏସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏସବୁ ପରୀକ୍ଷା ପାଇଁ କୋଚିଂ ସେଣ୍ଟର ବା ଅନ୍ ଲାଇନ୍ କୋଚିଂ ଦିଆଯାଏ। ଯେହେତୁ କୋଚିଂ ଆଦି ସହାରଞ୍ଚଳରେ ରହିଛି ଓ ତାଲିମ ବ୍ୟୟବହୁଳ, ଏଣୁ ଗ୍ରାମାଞ୍ଚଳ ତଥା ସରକାରୀ ସ୍କୁଲ ପିଲାମାନେ ବଞ୍ଚିତ ହେଉଛନ୍ତି। ଫଳରେ ସେମାନେ ପ୍ରବେଶିକା ପରୀକ୍ଷାରେ ଦକ୍ଷତାର ସର୍ବୋତ୍ତମ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଓଡ଼ିଶାର ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜମାନଙ୍କରେ ସରକାରୀ ହାଇସ୍କୁଲ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାବର୍ଷ ଠାରୁ ଏହା ଲାଗୁ ହେବ। ତେେବ କେତେ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଆଯିବ, କିଭଳି ପଦ୍ଧତି ଗ୍ରହଣ କରାଯିବ, ତାହା ଉପରେ ଚୂଡାନ୍ତ ପଦକ୍ଷେପ ନେବା ଲାଗି ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ ହେବ। ଏହି କମିଟିରେ ଖ୍ୟାତିସଂପନ୍ନ ଶିକ୍ଷାବିତ୍‌ଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ରହିବେ। ୩ମାସ ମଧ୍ୟରେ ସେମାନେ ରିପୋର୍ଟ ଦେବେ, ଯାହା ଫଳରେ ଆସନ୍ତାବର୍ଷରୁ ସରକାର ଏହାକୁ ଲାଗୁ କରିବେ ବୋଲି କ୍ୟାବିନେଟ୍ ପରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ଅଧିକ ଶାଣିତ କରିବା ଲାଗି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ସର୍ବକନିଷ୍ଠ ସ୍ତରର କର୍ମଚାରୀଙ୍କ ଠାରୁ ମୁଖ୍ୟଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ସଂପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ଏହାକୁ ଜନସାଧାରଣଙ୍କ ସୂଚନା ପାଇଁ ୱେବ୍‌ସାଇଟ୍‌ରେ ରଖାଯିବ ଓ ଏହାର ଏକ ନକଲ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯିବ। ସରକାରଙ୍କ ପକ୍ଷରୁ କୁହାଯାଇଛି, ଗଣତନ୍ତ୍ରରେ ଉତ୍ତରଦାୟିତ୍ବ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଦୁର୍ନୀତି ବିରୋଧରେ ଲଢ଼େଇ ସମାଜରେ ଥିବା ଅସମତା, ବିଭିନ୍ନ ବର୍ଗ ପ୍ରତି ହେଉଥିବା ଅନ୍ୟାୟ ଓ ଦାରିଦ୍ର୍ୟ ପରି ଅନେକ ସମସ୍ୟାର ସମାଧାନରେ ସକ୍ଷମ ହେବ। ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ସାଲିସ୍ ବିହୀନ ଲଢ଼େଇ ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣିଛି ବୋଲି ସରକାର ଦାବି କରିଛନ୍ତି ଓ ଏ କ୍ଷେତ୍ରରେ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ ପୂର୍ବକ ଏଭଳି କଠୋର ବ୍ୟବସ୍ଥା ଗ୍ରହଣ କରାଯାଇଛି। କ୍ୟାବିନେଟ୍ ଆହୁରି ନିଷ୍ପତ୍ତି ନେଇଛନ୍ତି ଯେ ମହାତ୍ମାଗାନ୍ଧୀ ୧୯୨୧ ମସିହାରୁ ୧୯୪୬ ମସିହା ମଧ୍ୟରେ ୮ଥର ଓଡ଼ିଶା ଆସିଛନ୍ତି। ୧୯୨୧ ମାର୍ଚ୍ଚ ୩୧ ତାରିଖରେ ସେ ପ୍ରଥମ ଥର ଓଡ଼ିଶା ଆସି କଟକ କାଠଯୋଡି ନଦୀ ବାଲିରେ ଆୟୋଜିତ ଏକ ଐତିହାସିକ ସମାବେଶରେ ଯୋଗଦେଇଥିଲେ। ଓଡ଼ିଶାରେ ଗାନ୍ଧୀଜୀଙ୍କ ପ୍ରଥମ ପଦାର୍ପଣରେ ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ ରଖିବା ପାଇଁ ୨୧ ମାର୍ଚ୍ଚ ୨୦୨୧ରୁ ଏକବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅର୍ଥାତ୍ ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ କରାଯିବ। ମହାତ୍ମାଙ୍କ ନୀତି, ଆଦର୍ଶ ଏବଂ ଅହିଂସା ମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍‌ବୁଦ୍ଧ କରିବାରେ ଏହା ସହାୟକ ହେବ।
ଉଲ୍ଲେଖଥାଉକି, ମହାତ୍ମାଗାନ୍ଧୀଙ୍କ ୧୫୦ବର୍ଷ ଜୟନ୍ତୀ ଦୁଇବର୍ଷ ଧରି ପାଳନ ହୋଇଥିଲେ ହେଁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏବେ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ଏସବୁ ବକେୟା କାର୍ଯ୍ୟ କରାଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେହିଭଳି କ୍ୟାବିନେଟ୍ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ଉପରେ ଜୋର ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପାଇକ ବିଦ୍ରୋହ ଠାରୁ ଆରମ୍ଭକରି ସ୍ବାଧୀନତା ସଂଗ୍ରାମ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଆଧୁନିକ ଓଡ଼ିଶାର ନବ ନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ରମାନେ ହେଉଛନ୍ତି ପ୍ରେରଣାର ଉତ୍ସ। ଏହି ମହାପୁରୁଷମାନଙ୍କ ସ୍ମୃତିକୁ ଚିରସ୍ମରଣୀୟ କରି ରଖିବା ଏବଂ ଏମାନଙ୍କର ଜାତି ପ୍ରୀତି ସଂପର୍କରେ ଉତ୍ତର ପିଢିକୁ ଅବଗତ କରିବା ହେଉଛି ସରକାରଙ୍କ ଦାୟିତ୍ବ। ଏବେ ଡିଜିଟାଲ୍ ଵାର୍ଲଡ୍ ଓ ସୋସିଆଲ ମିଡ଼ିଆ ଆସିବା ପରେ ସେମାନଙ୍କର ତ୍ୟାଗପୂତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟପୁସ୍ତକରେ ସ୍ଥାନିତ ପାଇଁ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ। ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନର ବିଷୟବସ୍ତୁ ଏକାଠି କରାଯାଇ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ଓ ଅତିରିକ୍ତ ପାଠ୍ୟକ୍ରମରେ ସାମିଲ କରାଯିବ। ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଏହି ବିଷୟ ଏକ ସ୍ବତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ସମ୍ମାନ ଦେବା ସହିତ ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷାବିତ୍‌ଙ୍କୁ ନେଇ ଏକ କମିଟି ହେବ। ଏହାବ୍ୟତୀତ ବରପୁତ୍ରମାନଙ୍କୁ ଉତ୍ତରପିଢି ନିକଟରେ ଚିରସ୍ମରଣୀୟ ରଖିବା ପାଇଁ ସେମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ। ସେମାନଙ୍କ ଜନ୍ମ ଓ ତିରୋଧାନ ଦିବସ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରାଯିବ। ଗତକାଲିର କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ଖଣି ସଚିବ ସୁରେନ୍ଦ୍ର କୁମାର, ଆଇନ ସଚିବ ଶଶିକାନ୍ତା ମିଶ୍ର, ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ନୂଆ ବର୍ଷ ପାଇଁ କଟକଣା ବଢ଼ିଲା: ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ରୋକ୍‌, ବଡ଼ ସହରରେ ସତର୍କତା

Tue Dec 29 , 2020
ନୂଆଦିଲ୍ଲୀ : ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା ନୂଆ ପ୍ରଜାତିର କରୋନା ଭୂତାଣୁ ବିଶ୍ବର ‌ଅନେକ ଦେଶରେ ଭୟ ଖେଳାଇ ଦେଲାଣି। ଏଥିଯୋଗୁ କେତେକ ଦେଶ ଓ ରାଜ୍ୟରେ ଏବେ ପୁଣି ନୂଆ କଟକଣା ଆରମ୍ଭ ହୋଇଯାଇଛି। ଭାରତର କେତେକ ରାଜ୍ୟରେ ଏଥିପାଇଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ରୋକ୍‌ ଲାଗିଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି। ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରାଖଣ୍ଡ ଭଳି ୫ଟି ରାଜ୍ୟରେ କଟକଣା […]
ନୂଆ ବର୍ଷ ପାଇଁ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial