ଭୁବନେଶ୍ବର: ଧାରାବାହିକର ଇନ୍ଡୋର ସୁଟିଂ ଆରମ୍ଭ ହୋଇଛି। କିନ୍ତୁ ଫିଲ୍ମ ସୁଟିଂ ପାଇଁ ବିଧିବଦ୍ଧ ଅନୁମତି ମିଳି ନାହିଁ। ହେଲେ କିଛି ଅଟକି ରହିଥିବା ପ୍ରୋଜେକ୍ଟ ପୁଣି ଆରମ୍ଭ ହୋଇଛି। କିଛି ପ୍ରଯୋଜନା ସଂସ୍ଥା ସ୍ବଳ୍ପ କର୍ମୀଙ୍କୁ ନେଇ ସୁଟିଂ ଆରମ୍ଭ କରି ଦେଇଛନ୍ତି। କିଛି ନିର୍ଦିଷ୍ଟ ପ୍ରଯୋଜନା ସଂସ୍ଥାର କର୍ମକର୍ତାଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଢେର୍ ଦିନ ଧରି କାମ ଅଟକି ରହିବା ପରେ ନିର୍ଦିଷ୍ଟ ଗାଇଡ୍ଲାଇନ ପାଳନ ସହ କାମ କରିବା ପାଇଁ ଯୋଜନା ହୋଇଥିଲା। ତେଣୁ ଆଖପାଖରେ ଥିବା ବିଭିନ୍ନ ଷ୍ଟୁଡିଓ ମଧ୍ୟରେ ଇନ୍ଡୋର ସୁଟିଂ ଚାଲିଛି। ମିଳିଥିବା ସୂଚନା ମୁତାବକ, ଯେଉଁମାନେ ରଜ ଓ ରଥକୁ ଦୃଷ୍ଟିରେ ରଖି ଫିଲ୍ମ କାମ ଆରମ୍ଭ କରିଥିଲେ, ସେମାନଙ୍କ ଲକ୍ଷ୍ୟ ଏବେ ଦୁର୍ଗାପୂଜା ଉପରେ। ତେବେ କରୋନା ଯେପରି କାୟା ମେଲାଉଛି, ସେଥିରେ ଅକ୍ଟୋବର ବେଳକୁ ଯେ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ କିଛି ବଡ଼ ପ୍ରଯୋଜନା ସଂସ୍ଥା ଓଟିଟି ପ୍ଲାଟଫର୍ମରେ ନିଜର ଫିଲ୍ମ ମୁକ୍ତିଲାଭ କରାଇବାକୁ ଯୋଜନା କରୁଛନ୍ତି। ଆଉ କିଛି ପ୍ରଯୋଜନା ସଂସ୍ଥା ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ସୂଚନା ମୁତାବକ, ଜ୍ୟୋତି ଦାସଙ୍କ ନିର୍ଦ୍ଦେଶନାରେ ବାବୁସାନ ଓ ଶିବାନୀଙ୍କ ଅଭିନୀତ ‘ବିଦ୍ୟାରାଣ’ର ସୁଟିଂ ପାଇଁ ପ୍ରଯୋଜନା ସଂସ୍ଥା ଅନେଇ ବସିଛି। ଏଥିପାଇଁ ସୁଟିଂ ଲୋକେସନର ପ୍ଲାନିଂ ବି ଶେଷ ହୋଇସାରିଛି। ଆଉଟଡୋର୍ ସୁଟିଂ ପାଇଁ ଅନୁମତି ମିଳିବା କ୍ଷଣି ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଣେ କେତେକ ଫିଲ୍ମର ବାକି ରହିଥିବା ପୋଷ୍ଟ ପ୍ରଡକ୍ସନ୍ କାମ ଆରମ୍ଭ ହୋଇଯାଇଛି। ସିନେମା ହଲ୍ ଖୋଲିବା ନେଇ କୌଣସି ନିଶ୍ଚିତତା ନଥିଲେ ମଧ୍ୟ ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହୋଇଯାଇଛି। ସମ୍ପାଦନା ସହ କିଛି ପ୍ରଯୋଜନା ସଂସ୍ଥା ଷ୍ଟୁଡିଓରେ ଡବିଂ ପ୍ରକ୍ରିୟା କାମ ଆରମ୍ଭ କରିଛନ୍ତି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ଆମେ ଓଏଫ୍ଡିସି ପକ୍ଷରୁ ସୁଟିଂ ଆରମ୍ଭ କରିବା ନେଇ ଏସ୍ଆରସିଙ୍କୁ ରିପୋର୍ଟ ପ୍ରଦାନ କରିଛୁ। ଏସ୍ଆରସି ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ତେବେ ଏସ୍ଆର୍ସି ଏପର୍ଯ୍ୟନ୍ତ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍) ରିଲିଜ୍ କରିନାହାନ୍ତି। ଦୁଇ ତିନି ଦିନ ମଧ୍ୟରେ ସ୍ବତନ୍ତ୍ର ଏସ୍ଓପି ଆସିଯାଇପାରେ ବୋଲି ସେ କହିଛନ୍ତି। ଶ୍ରୀ ତ୍ରିପାଠୀଙ୍କ କହିବା ମୁତାବକ, ସେ ନିୟମିତ ଏ ସମ୍ପର୍କରେ ଯୋଗାଯୋଗରେ ଅଛନ୍ତି। ଏସ୍ଓପି ଜାରି ନେଇ ଚାଲିଥିବା ପ୍ରକ୍ରିୟା ଉପରେ ଦୃଷ୍ଟି ରଖିଛନ୍ତି। ତେଣୁ ଖୁବ୍ଶୀଘ୍ର ଏନେଇ ଅନୁମତି ମିଳିଯିବ ବୋଲି କହିଛନ୍ତି। ସେ ଏକଥା ବି କହିଛନ୍ତି, ଯେଉଁମାନେ ଫିଲ୍ମ ସୁଟିଂ କରୁଥିବେ ବା କରୁଛନ୍ତି ସେମାନେ ଓଏଫ୍ଡିସିଠାରୁ ଅନୁମତି ନେଇନାହାନ୍ତି। କେଉଁ ଏସ୍ଓପିକୁ ଅନୁକରଣ କରି ସେମାନେ ସୁଟିଂ କରୁଛନ୍ତି ସେ ସମ୍ପର୍କରେ ଆମର ଧାରଣା ନାହିଁ। ଏତେ ସବୁ ନିରାଶା ଭିତରେ ଫିଲ୍ମ ପ୍ରଯୋଜନା ସଂସ୍ଥା ପୂଜା ବଜାରରେ ନିଜର ଫିଲ୍ମ ରିଲିଜ୍ ପାଇଁ ଚାହିଁ ବସିଛନ୍ତି। ଦିଲ୍ ମୋର ମାନେନା, ଇନ୍ଦ୍ରଜାଲ, ଚୁମ୍କି, ସୁପରବୟ ଭଳି ଚଳଚ୍ଚିତ୍ର ସିନେମା ହଲ୍ ଖୋଲିବା ଉପରେ ନଜର ରଖିଛନ୍ତି। ଯଦି ଦୁର୍ଗାପୂଜା ବେଳେ ମଧ୍ୟ ସିନେମା ହଲ୍ ନ ଖୋଲେ, ତେବେ ଭିନ୍ନ ବାଟ ଦେଖିବେ ବୋଲି କିଛି ପ୍ରଯୋଜନା ସଂସ୍ଥା କହିଛନ୍ତି। ଏନେଇ ଓଡ଼ିଶା ସିନେମା ହଲ୍ ମାଲିକ ସଂଘର ଅଧ୍ୟକ୍ଷ ବି.କେ ମହାନ୍ତି କହିଛନ୍ତି, ସାମାଜିକ ଦୂରତା ଓ କିଛି ଗାଇଡ୍ଲାଇନ ନିୟମ ଅନୁସରଣ ପୂର୍ବକ ସିନେମା ହଲ୍ ଖୋଲିବା ପାଇଁ ସରକାର ଆମକୁ ଅନୁମତି ଦିଅନ୍ତୁ। ଯଦି ସରକାର ସଦୟ ହୁଅନ୍ତି, ତେବେ ମୁକ୍ତିଲାଭ ପାଇଁ ଲାଇନ୍ରେ ଥିବା ଫିଲ୍ମଗୁଡ଼ିକ ମୁକ୍ତିଲାଭ କରିପାରିବ।
ଲୁଚା ଛପାରେ ଚାଲିଛି ଫିଲ୍ମ ସୁଟିଂ: ରଜ ଗଲା, ଏବେ ପୂଜା ବଜାର ଉପରେ ନଜର

Share Now: