ମୁଣ୍ଡ ନେଲା ଡେଙ୍ଗୁ : ଚିହ୍ନଟ ‌ହେଲେଣି ୪୦୬ ରୋଗୀ, ରାଜଧାନୀବାସୀ ଛାନିଆ

ମୁଣ୍ଡ ନେଲା ଡେଙ୍ଗୁ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ନୀଳାଦ୍ରିବିହାରରୁ ଖଣ୍ଡଗିରି ହେଉ ଅଥବା ରସୁଲଗଡ଼ରୁ ଜାଗମରା, ସବୁଠି ହୁ ହୁ ହୋଇ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ପ୍ରତି ବସ୍ତି, କଲୋନିବାସୀ ଜ୍ବରରେ ଥରୁଛନ୍ତି। କିଏ ଘରେ ତ ଆଉ କିଏ ମେଡିକାଲରେ ଚିକିତ୍ସାଧୀନ। କେହି କେହି ଔଷଧ ଖାଇ ରୋଗକୁ ଚାପିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ମଶାବଂଶ ଲୋପ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଧୂଆଁ ଗାଡ଼ି ବୁଲୁ ନାହିଁ କି ସଠିକ୍‌ ଭାବେ ସଫେଇ ହେଉନାହିଁ। ପରିଣାମ ସ୍ବରୂପ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା ଏବେ ଓଡ଼ିଶାର ହଟ୍‌ସ୍ପଟ୍‌ ପାଲଟିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କେବଳ ଭୁବନେଶ୍ୱର ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ତାଙ୍କ ପତ୍ନୀ ଡେଙ୍ଗୁ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଶ୍ରୀ ଓରାମଙ୍କ ସୂଚନା ଅନୁଯାୟୀ ସେ ଓ ତାଙ୍କ ପତ୍ନୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ପତ୍ନୀଙ୍କ ପ୍ଲାଟିଲେଟ୍‌ ୪୦ ହଜାରକୁ ଖସି ଆସିଥିବା ବେଳେ ତାଙ୍କର ୫୩ ହଜାରରେ ରହିଥିଲା। ପରବର୍ତ୍ତୀ ସମୟରେ ସେଥିରେ ସାମାନ୍ୟ ଉନ୍ନତି ହେବା ସହ ଶନିବାର ସନ୍ଧ୍ୟା ବେଳକୁ ତାଙ୍କ ପ୍ଲାଟିଲେଟ୍‌ ୯୩ ହଜାର ରହିଥିବା ସେ କହିଥିଲେ। କେବଳ ଯେ ନୀଳାଦ୍ରିବିହାର କିମ୍ବା ଲୁମ୍ବିନି ବିହାରରେ ଡେଙ୍ଗୁ ହୋଇଛି ତାହା ନୁହେଁ, ଭୁବନେଶ୍ୱର ସାଲିଆସାହି, ଆଇଆରସି ଭିଲେଜ, ଜାଗମରା, ଜୟଦେବବିହାର, ଖଣ୍ଡଗିରି, ନୂଆପଲ୍ଲୀ, ପଥରଗାଡ଼ିଆ, ପଟିଆ, ରସୁଲଗଡ଼, ରେଣ୍ଟାଲ କଲୋନି, ଶିଖରଚଣ୍ଡୀ ଏବେ ମଶାଙ୍କ ଆଡ଼ାସ୍ଥଳୀ ପାଲଟିଛି। ଗୋଟିଏ ପଟେ ଡେଙ୍ଗୁ ଉଗ୍ର ରୂପ ନେଉଥିବା ବେଳେ ଅନ୍ୟପଟେ ବିଏମସି ମଶା ଧୂଆଁ ଗାଡ଼ି ବୁଲାଉ ନଥିବା ଲୋକେ ଅଭିଯୋଗ ଆଣିଛନ୍ତି। ତେଣୁ ଡେଙ୍ଗୁରେ ଏକ ନମ୍ବର ଥିବା ଖୋର୍ଦ୍ଧା ଜିଲ୍ଲାରେ କେମିତି ଏହାକୁ ଦମନ କରାଯିବ ତାହା ବିଏମସି ପାଇଁ ବଡ଼ ଆହ୍ୱାନ ପାଲଟିଛି।
ସହରର ଡେଙ୍ଗୁ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଚିନ୍ତାପ୍ରକଟ କରିବା ସହ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ରାତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଶେଷ ଦର୍ଶନ କରିବାକୁ ଯିବା ସମୟରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ୍‌ କହିଥିଲେ ଯେ ଶ୍ରୀମତୀ ଓରାମଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳା ହୋଇନାହିଁ। ରାଜ୍ୟର ଡେଙ୍ଗୁ ସ୍ଥିତି ନେଇ ଦୁଇ ଦିନ ତଳେ ସମୀକ୍ଷା କରିଛି। ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଲକ୍ଷଣ ଥିବା ଅଧିକ ବ୍ୟକ୍ତିବିଶେଷଙ୍କ ପରୀକ୍ଷଣ ହେଉଛି ଏବଂ ଚିହ୍ନଟ ମଧ୍ୟ ହେଉଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରକାର ଅନୁସଙ୍ଗିକ ବ୍ୟବସ୍ଥା କରିଛି। ଭୁବନେଶ୍ୱର ଉପରେ ଅଧିକ ଗୁରୁତ୍ତ୍ଵ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି। ସେ ନିୟମିତ ଭାବେ ବିଏମ୍‌ସି ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି। ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଡେଙ୍ଗୁ ମୁକାବିଲା ଦିଗରେ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଅଧିକ ସଂଖ୍ୟାରେ ଆଇସୋଲେସନ୍‌ ୱାର୍ଡ ଖୋଲିବା ଉପରେ ପ୍ରାଥମିକତା ଦିଆଯାଇଛି। ଡେଙ୍ଗୁ ରୋଗୀଙ୍କୁ କିଭଳି ପର୍ଯ୍ୟାପ୍ତ ପରିମାଣର ପ୍ଲାଟିଲେଟ୍‌ ମିଳିପାରିବ ସେଦିଗରେ ମଧ୍ୟ ଗୁରୁତ୍ବାରୋପ କରାଯାଉଛି।

Share Now:

Kalinga News Beuro

Next Post

ପ୍ୟାରିସ୍ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ଭାରତର ନିତେଶ କୁମାର

Mon Sep 2 , 2024
ନୂଆଦିଲ୍ଲୀ: ଭାରତର ନିତେଶ କୁମାର ପ୍ୟାରିସ୍ ପାରାଅଲିମ୍ପିକ୍ସ ବ୍ୟାଡମିଣ୍ଟନର ସିଙ୍ଗଲ୍ସ ଏସଏଲ୩ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍ କୁ ସେ ୨୧-୧୪, ୧୮-୨୧ ଓ ୨୩-୨୧ରେ ଜିତିଥିଲେ। ଚଳିତ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଖେଳାଳି। ୨୦୦୯ରେ ଏକ ରେଳ ଦୁର୍ଘଟଣାରେ ସେ ଗୋଡ଼ ହରାଇଥିଲେ। ଏହା ପରେ ମଧ୍ୟ ସେ ସାହସ […]
ସ୍ବର୍ଣ୍ଣ ଜିତିଲେ ଭାରତର ନିତେଶ କୁମାର-1

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial