କଠୋର ହେଲା କମିସନରେଟ୍‌ ପୁଲିସ: ସପିଂ ମଲ ବନ୍ଦ ନ କଲେ କାର୍ଯ୍ୟାନୁଷ୍ଠାନ, ଅତ୍ୟାବଶ୍ୟକ ସାମଗ୍ରୀ ବିକିବାକୁ ବାଧ୍ୟ

ଯେକୌଣସି ସମୟରେ ଚଢ଼ଉ କରିବ ପୁଲିସ

ଭୁବନେଶ୍ୱର: ରାଜଧାନୀରେ ଜଣେ ବିଦେଶ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଛି। କିଭଳି ଏହି ମହାମାରୀ ଉପରେ କାବୁ ପାଇ ହେବ, ସେ ନେଇ ସରକାରୀସ୍ତରରେ ମାନସମନ୍ଥନ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି କମିସନରେଟ୍‌ ପୁଲିସ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲୋକଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି। ଆଜି ଏ ନେଇ ଏକ ଆଦେଶନାମା ଜାରି କରାଯାଇଛି। ଗତକାଲି ସମସ୍ତ ସପିଂ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ କେତେକ ମଲ୍‌ ଆଜି ନିର୍ଦ୍ଦେଶ ନ ମାନି ଖୋଲିଥିବା ଦେଖାଯାଇଛି। ଏଣୁ କୌଣସି ପରିସ୍ଥିତିରେ ଭୁବନେଶ୍ୱର-କଟକ କମିସନରେଟ୍‌ ପୁଲିସ ଅଞ୍ଚଳ‌ରେ ଥିବା ମଲ୍‌ଗୁଡ଼ିକ ଖୋଲି ପାରିବ ନାହିଁ ବୋଲି ଆଜି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ତେବେ ଗ୍ରୋସରି, ପରିବା, ଫଳ, କ୍ଷୀର, ଔଷଧ ପ୍ରଭୃତି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହିବ। ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟ ନେବା ବା ବେଆଇନ ଭାବରେ ଗଚ୍ଛିତ ରଖିବା ଅପରାଧ ଭାବରେ ଗ୍ରହଣ କରାଯିବ। ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନକୁ ଆସୁଥିବା ଲୋକଙ୍କ ସଂଖ୍ୟା ସୀମିତ କରିବେ। ଦୋକାନୀ, ଗ୍ରାହକ, କର୍ମଚାରୀ ପରସ୍ପର ମଧ୍ୟରେ ଅତି କମ୍‌ରେ ୬ ଫୁଟ୍‌ର ବ୍ୟବଧାନ ରଖି‌ବେ। କୌଣସି ପ୍ରକାରର ବିଜ୍ଞାପନଭିତ୍ତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକମାନେ କର୍ମଚାରୀମାନଙ୍କୁ ମାସ୍କ ଓ ହାଣ୍ଡୱାସ୍‌ ପ୍ରଦାନ କରିବେ। ଟେବୁଲ, ଲାଇଟ୍‌ ସୁଇଚ୍‌, ଫୋନ୍‌, କି ବୋର୍ଡ, ଟଏଲେଟ୍‌ ସଫା ରଖି‌ବେ। ଥଣ୍ଡା, କାଶ,ଜ୍ୱର ହୋଇଥିବା‌ କର୍ମଚାରୀଙ୍କୁ କୌଣସି ପରିସ୍ଥିତିରେ କାମ କରିବାକୁ ଦିଆଯିବ ନାହିଁ ବୋଲି ମାଲିକମାନେ ନିଶ୍ଚିତ କରାଇବେ। ଏନେଇ ବିମ୍‌ସି କର୍ତ୍ତୃପକ୍ଷଙ୍କ ସହ କମିସନରେଟ୍‌ ପୁଲିସ ଆଲୋଚନା କରିଛି। ଆଜିଠାରୁ ଏହି ଆଦେଶନାମା କଡ଼ାକଡ଼ି ହୋଇଛି। ଏଥିରେ ବ୍ୟତିକ୍ରମ କରି ଧରାପଡ଼ିଲେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇପାରେ। ଗିରଫ ବି ହୋଇପାରନ୍ତି ଏବଂ ମୋଟାଅଙ୍କର ଜରିମାନା ଦେଇପାରନ୍ତି। ଏଏସ୍‌ଆଇ ରୢାଙ୍କ୍‌ଠାରୁ ଉପର ଅଫିସର ଯେ କୌଣସି ସମୟରେ ଏଭଳି ପ୍ରତିଷ୍ଠାନ‌ରେ ଚଢ଼ଉ କରି ଆଇନ ଅନୂଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଦେଶନାମାରେ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ସରକାରଙ୍କ କରୋନା ନିର୍ଦ୍ଦେଶକୁ ଫୁ': ଚଉଷଠି ଯୋଗିନୀ ଓ ଜୟଦେବ ପୀଠ‌ରେ ବୁଲୁଛନ୍ତି ବିଦେଶୀ ପର୍ଯ୍ୟଟକ

Wed Mar 18 , 2020
ବାଲିଅନ୍ତା: ରାଜ୍ୟର ସମସ୍ତ ଐତିହ୍ୟ ସଂପନ୍ନ ପର୍ଯ୍ୟଟନ‌ସ୍ଥଳୀରେ କରୋନା କଟକଣା ବଳବତ୍ତର ରହିଛି। ରାଜଧାନୀରେ ଥିବା ସମସ୍ତ କଳା ଓ ସଂସ୍କୃତି ସଂପନ୍ନ ପୀଠକୁ ପ୍ରଶାସନ ପକ୍ଷରୁ ଏକ ପ୍ରକାର ସିଲ୍‌ କରି ଦିଆଯାଇଛି। ଦେଶୀ ହେଉ ଅବା ବିଦେଶୀ ପର୍ଯ୍ୟଟକ ମଠ, ମନ୍ଦିର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏଭଳି ସ୍ଥିତିରେ ରାଜଧାନୀରେ ଘୂରି ବୁଲୁଥିବା ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଏବେ ଉପକଣ୍ଠରେ ଥିବା […]
Chausathi Yogini temple foreigner-March 2020

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial