ନୂଆଦିଲ୍ଲୀ: ଦେଶରୁ ସଂପୂର୍ଣ୍ଣ ଭାବେ ହଟିନାହିଁ କରୋନା ସଂକଟ। ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ସପ୍ତାହର ତଥ୍ୟ ଅନୁଯାୟୀ, ବିଶ୍ୱରେ ଦୈନିକ ୯୩୯୭୭ ମାମଲା ସାମ୍ନାକୁ ଆସୁଛି। ଆମେରିକାରେ ୧୯%, ରୁଷିଆରେ ୧୨.୬%, ଚାଇନାରେ ୮.୩%, ଦକ୍ଷିଣ କୋରିଆରେ ୮% ଏବଂ ଭାରତରେ ୧% ମାମଲା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କରୋନା ଓ ସିଜିନାଲ ଇନଫ୍ଲୁଏଞ୍ଜାକୁ ନେଇ ଏକ ବୈଠକ କରିଥିଲେ।
ସେ କହିଛନ୍ତି ଯେ, ଭାରତରେ ଏବେ ଦୈନିକ ହାରାହାରି ୯୬୬ ମାମଲା ସାମ୍ନାକୁ ଆସୁଛି। ଫେବୃଆରୀ ଦ୍ଵିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବୃଆରୀରେ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି। ବର୍ତ୍ତମାନ ଦେଶରେ ଓମିକ୍ରୋନ୍ ଭାରିଏଣ୍ଟର ଉପସ୍ଥିତି ରହିଛି।
କରୋନା ଏପର୍ଯ୍ୟନ୍ତ ଯାଇନାହିଁ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Share Now: