ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆଂଶିକ ଭାବେ ଯାତ୍ରୀବାହୀ ରେଳସେବା ଆରମ୍ଭ ହେଉଥିବାବେଳେ ଆଜି ଅପରାହ୍ନ ୪ଟାରୁ ଆଇଆରସିଟିସି ପୋର୍ଟାଲରେ ବୁକିଂ ଆରମ୍ଭ ହୋଇଛି। ତେବେ ବୁକିଂ ଖୋଲିବାର ଅଳ୍ପ କିଛି ସମୟ ମଧ୍ୟରେ ହିଁ ପ୍ରବଳ ଟ୍ରାଫିକ ଯୋଗୁଁ ଆଇଆରସିଟିସି ପୋର୍ଟାଲଟି ଅଚଳ ହୋଇଯାଇଥିଲା। ଯାତ୍ରୀମାନେ ତାହାକୁ ବୁକିଂ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ସ୍ପତନ୍ତ୍ର ଟ୍ରେନଗୁଡ଼ିକ ସଂପର୍କିତ ଡାଟା ଆଇଆରସିଟିସି ଓ୍ୱେବସାଇଟରେ ଫିଡ କରାଯାଉଛି। ଖୁବଶୀଘ୍ର ବୁକିଂ ସେବା ଆରମ୍ଭ ହେବ। ସଂଧ୍ୟା ୬ଟାରେ ପୁଣି ଥରେ ବୁକିଂ ଆରମ୍ଭ ହୋଇଥିଲେ ମଧ୍ୟ ପୁଣି ସମସ୍ୟା ଦେଖାଦେଇଛି। ଗତକାଲି ଯାତ୍ରୀବାହୀ ରେଳ ଚଳାଚଳ ସଂପର୍କରେ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ (୩୦ ଫେରନ୍ତା ଯାତ୍ରା) ଚଳାଚଳ ଆରମ୍ଭ କରାଯିବ। ଏହି ଟ୍ରେନଗୁଡ଼ିକ ସ୍ଵତନ୍ତ୍ର ଟ୍ରେନ ଭାବେ ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବେନଶ୍ଵର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ, ମଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁ ତାୱିକୁ ଚଳାଚଳ କରିବ। ତେବେ ଏସବୁ ଟ୍ରେନରେ ଯାତ୍ରା କରିବାକୁ ଆଜି ସରକାରଙ୍କ ପକ୍ଷରୁ କେତେକ ଗାଇଡଲାଇନ ଜାରି କରାଯାଇଥିଲା। ଏହା ଅନୁସାରେ ଯାତ୍ରୀମାନେ କେବଳ ଆଇଆରସିଟିସି ମାଧ୍ୟମରେ ଟିକେଟ ବୁକିଂ କରିପାରିବେ। ଟ୍ରେନ ମଧ୍ୟରେ ସାମାଜିକ ଦୂରତ୍ୱ,ମାସ୍କ ପନ୍ଧିବା ବାଧ୍ୟତାମୂଳକ ହେବ। ଟ୍ରେନ ଛାଡ଼ିବାର ୩ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ହେବ।
ପ୍ରଥମରୁ ହିଁ ଆଇଆରସିଟିସି ଓ୍ୱେବସାଇଟ୍ ଅଚଳ:ସମସ୍ୟାରେ ଯାତ୍ରୀ
Share Now: