ପାଣି ବିନା କଲବଲ ଶାନ୍ତିସ୍ତୂପ ପର୍ଯ୍ୟଟକ : ଲଣ୍ଡା ପାହାଡ଼ରେ ପାଦ ପୋଡ଼ିପକାଉଛି ମାର୍ବଲ

ପାଣି ବିନା କଲବଲ ଶାନ୍ତିସ୍ତୂପ ପର୍ଯ୍ୟଟକ

ଧଉଳି: ଯଥେଷ୍ଟ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଧଉଳି ଶାନ୍ତିସ୍ତୂପର ପର୍ଯ୍ୟଟକମାନେ ଆଉଟୁପାଉଟୁ ହୋଇଯାଉଛନ୍ତି। ଡହଡହ ଖରା ଯୋଗୁଁ ଖଇଫୁଟା ତାତିରେ ମାର୍ବଲ ଚଟାଣ ପାଦ ପୋଡ଼ିପକାଉଛି। ଲଣ୍ଡା ପାହାଡ଼ରେ ଛାଇ ଟିକିଏ ମିଳୁନି। ଉପରୁ ଅଗ୍ନିବର୍ଷା ଓ ତଳେ ମାର୍ବଲ ତାତିରେ କିଛି ବାଟ ଚାଲୁଚାଲୁ ମୁଣ୍ଡ ଘୂରାଇ ଦେଉଛି। ଏକ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳରେ ଏମିତି ଭୟଙ୍କର ସ୍ଥିତି। ତେଣୁ ଗତ କିଛି ଦିନ ହେଲା ଧଉଳି ଶାନ୍ତିସ୍ତୂପ ଖାଁ ଖାଁ ହୋଇପଡ଼ୁଛି। ସଞ୍ଜରୁ ରାତି ୮ଟା ପର୍ଯ୍ୟନ୍ତ କିଛି ପର୍ଯ୍ୟଟକଙ୍କୁ ଯାହା ଦେଖିବାକୁ ମିଳୁଛି। କିନ୍ତୁ ଦିନବେଳା ଧଉଳି ପାହାଡ଼ରେ ଦେଖିବାକୁ ମିଳୁନି ଗହଳଚହଳ। ଗତ ଦୁଇ ଦିନରେ ମାତ୍ର ୧୮ ଶହ ପର୍ଯ୍ୟଟକ ଧଉଳି ଆସିଥିବା ଜଣାପଡ଼ିଛି। ଖରାଦିନ ହେଲେ ବି ଯେଉଁଠି ଦିନକୁ ନିହାତି ୨ ହଜାର ପର୍ଯ୍ୟଟକ ‌ଜମିବା କଥା, ସେଠି ୨ ଦିନରେ ବି ସେତିକି ସଂଖ୍ୟକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନି।
ସ୍ୱାଭାବିକ ଭାବେ ଗ୍ରୀଷ୍ମଋତୁ ପର୍ଯ୍ୟଟକଙ୍କ ପାଇଁ ଅନୁକୂଳ ସମୟ ନୁହେଁ। ପୁଣି ଓଡ଼ିଶାର ଉତ୍ତପ୍ତ ଜଳବାୟୁ ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ବେଶି ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ। କିନ୍ତୁ ଓଡ଼ିଶାର ଅନ୍ୟ କୌଣସି ପର୍ଯ୍ୟଟନସ୍ଥଳଠାରୁ ଧଉଳିର ସ୍ଥାନ ସ୍ୱତନ୍ତ୍ର। କାରଣ ଏହି ସମୟରେ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମା‌ନେ ଧଉଳି ବୁଲିବା ଭୁଲନ୍ତି ନାହିଁ। ତେଣୁ ଖରାଦିନ ହେଲେ ବି ଧଉଳିକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି। ପୂର୍ବରୁ ଗଛଲତାପୂର୍ଣ୍ଣ ଧଉଳିଗିରିର ସବୁଜିମା ପର୍ଯ୍ୟଟକମାନଙ୍କୁ ପ୍ରଚଣ୍ଡ ଖରାରେ ବି ଏକ ଶୀତଳ ବାତାବରଣ ଦେଉଥିଲା। ତଳେ ଦୟାନଦୀ, ଉପରେ ବଡ଼ବଡ଼ ବରଗଛ ଓ ବଣବୁଦା ସମଗ୍ର ଧଉଳିଗିରି ପରିବେଶକୁ ଶୀତଳ କରି ରଖୁଥିଲା। କିନ୍ତୁ ଆଜି ସେଦିନ ନାହିଁ। ପର୍ଯ୍ୟଟନସ୍ଥଳର ବିକାଶ ନାଁରେ ଧଉଳିର ସୁବଜିମା ଧ୍ଵଂସ କରିଦିଆଯାଇଛି। ବଡ଼ବଡ଼ ଗଛ ସବୁ କାଟି ଦିଆଯାଇଛି। ଯେଉଁ କେତୋଟି ଛୋଟଛୋଟ ଗଛ ରହିଛି, ସେମା‌ନଙ୍କ ଛାଇ ଜଣେ ଲୋକକୁ ବି ଯଥେଷ୍ଟ ନୁହେଁ। ସେତେବେଳେ ପଥର ପାହାଚ ଓ ପଥର ଚଟାଣ ବେଶି ତାତୁନଥିଲା। ଏବେ ମାର୍ବଲ ଚଟାଣ ପାଦ ପୋଡ଼ି ପକାଉଛି। ଏଭଳି ପରିବେଶରେ ପର୍ଯ୍ୟଟକଙ୍କୁ ପ୍ରଥମେ ଦରକାର ହେଉଛି ପାନୀୟ ଜଳ। ମାତ୍ର ପରିତାପର କଥା ଏଠାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବଡ଼ ଶୋଚନୀୟ ଅବସ୍ଥାରେ। ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଆସୁଥିବା ପାଇପ୍‌ ପାଣି କେବେ ଆସୁଛି ତ କେବେ ନାହିଁ। ଜଳଛତ୍ରଟିଏ ମଧ୍ୟ ନାହିଁ। ଧଉଳି ଉନ୍ନୟନ ପରିଷଦ ପକ୍ଷରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। କିନ୍ତୁ ବହୁ ଦିନ ହେଲା ତାହା ଅଚଳ ହୋଇପଡ଼ିଛି। ଅସହ୍ୟ ଗରମରେ ପର୍ଯ୍ୟଟକମାନେ କଲବଲ ହେଉଥିଲେ ବି ଏହାର ମରାମତି କରାଯାଉନାହିଁ। ତେଣୁ ପାନୀୟ ଜଳ ବିନା ପର୍ଯ୍ୟଟକମାନେ ବହୁ ସମୟରେ ଏଠାରେ ଅସୁସ୍ଥ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ୨ ଦିନ ଭିତରେ ୫ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ ଅଂଶୁଘାତରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଏବେ ଧଉଳି ପର୍ଯ୍ୟଟକଙ୍କୁ ଆଖୁରସ ଭରସା। ଆଖୁରସ ମିଳୁଥିବାରୁ ପର୍ଯ୍ୟଟକମାନେ ଖରା ଦାଉରୁ କିଛି ଉପଶମ ପାଉଛନ୍ତି। ଏବେ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ତାପମାତ୍ରା ୪୪ ଡିଗ୍ରି ଟପିଲାଣି। ତେଣୁ ଧଉଳି ମାର୍ବଲ ଚଟାଣ ଏମିତି ତାତି ଯାଉଛି ଯେ ଖଇ ଫୁଟିବା ଅବସ୍ଥା। ତେଣୁ ଖାଲି ପାଦରେ ଚାଲିଚାଲି ବୁଲିବା ସମ୍ଭବ ହେଉନାହିଁ। ତେଣୁ ଏବେ ପର୍ଯ୍ୟଟକମାନେ ଚପଲ ପିନ୍ଧି ବୁଲିବାକୁ ସୁଯୋଗ ଦିଆଯାଇଛି। ଚପଲ ପିନ୍ଧି ବୁଲିବାକୁ ସୁଯୋଗ ମିଳିଥିବାରୁ ପର୍ଯ୍ୟଟକମାନେ ବେଶ୍ ଆଶ୍ୱସ୍ତ। ଏହାସାଙ୍ଗକୁ ଯଥେଷ୍ଟ ପାନୀୟ ଜଳ ଉପଲବ୍‌ଧ ହୋଇପାରିଲେ, ସମସ୍ୟା ରହିବ ନାହିଁ ବୋଲି ପର୍ଯ୍ୟଟକମାନେ କହିଛନ୍ତି।

Share Now:

Kalinga News Beuro

Next Post

ଟିକେଟ ଦେଇ ଫେରାଇ ନେଲା କଂଗ୍ରେସ : ଦଳ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ

Mon Apr 29 , 2024
ସମ୍ବଲପୁର: କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ଟିକେଟ ଦେଇ ଫେରାଇ ନେବାକୁ ନେଇ ଅସନ୍ତୁଷ୍ଟ ଥିବା ଦୁଲାଲ ଚନ୍ଦ୍ର ପ୍ରଧାନ ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଗତକାଲି ଭାରତୀୟ ଜାତୀୟ କଂଗ୍ରେସ ରବିବାର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ […]
ଦୁଲାଲ ଚନ୍ଦ୍ର ପ୍ରଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial