ପ୍ରସ୍ତାବ ଓ ପ୍ରତିଶୃତିରେ ରହିଯିବ କି ବଇଁଚୁଆ ହାଇ ଲେଭେଲ୍‌ ବ୍ରିଜ୍‌ ?

ବଇଁଚୁଆ ହାଇ ଲେଭେଲ୍‌ ବ୍ରିଜ୍‌

ବାଲିଅନ୍ତା: ୨୦୦୮ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କଲାବେଳେ ଏହି ବ୍ରିଜ୍‌ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ। ଏହା ଭିତରେ ବିତିଗଲାଣି ୮ ବ‌ର୍ଷ। ସେହିଭଳି ବିଧାୟକ ଓ ସାଂସଦ ମଧ୍ୟ ଏହି ବ୍ରିଜ୍‌ ନିର୍ମାଣ ପାଇଁ ପ୍ରତିଶୃତି ଦେଲେ। ପୁଣି ବିତିଗଲାଣି ଦୁଇ ବର୍ଷ। ଏମିତି ବର୍ଷ ପରେ ବର୍ଷ ବିତିଯାଉଛି, ଅଥଚ ବ୍ରିଜ୍‌ ନିର୍ମାଣ ପାଇଁ ପାହୁଲାଟିଏ ଅନୁଦାନ ମିଳିପାରିଲା ନାହିଁ। ତେଣୁ ବ୍ରିଜ୍‌ ନିର୍ମାଣ କେବଳ ପ୍ରସ୍ତାବ ଓ ପ୍ରତିଶୃତିରେ ଲଟକି ରହିଛି ବୋଲି କୁହାଯାଉଛି। ପ୍ରସ୍ତାବ ଫାଇଲ୍‌ କେଉଁଠି ଅଳନ୍ଦୁ ଲଗା ହୋଇପଡ଼ିଛି, ବୁଝାପଡ଼ୁନାହିଁ। ଏହା ହେଉଛି ବାଲିଅନ୍ତା ବ୍ଲକ୍‌ କୁଶଭଦ୍ରା ନଦୀ ବଇଁଚୁଆ କାଜ ନିକଟସ୍ଥ ଧନୁଆ ନଈ କାଜରେ ନିର୍ମାଣ ହେବାକୁ ଥିବା ହାଇ ଲେଭେଲ୍‌ ବ୍ରିଜ୍‌ର କାହାଣୀ। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିବାରୁ ନେତାଙ୍କ ପ୍ରତିଶୃତି କେବଳ ଧୂଆଁବାଣ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏହି ବ୍ରିଜ୍‌ ସ୍ବପ୍ନରେ ରହିଯିବ ବୋଲି ଲୋକେ କହିବା ଆରମ୍ଭ କଲେଣି। ତେଣୁ ଆଗକୁ ଏକ ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି ବୋଲି ସୂଚନା ମିଳିଲାଣି। ସୂଚନାଯୋଗ୍ୟ କୁଶଭଦ୍ରା ନଦୀରେ ବନ୍ୟା ଆସିଲେ, ବଇଁଚୁଆ କାଜ ଦେଇ ଧନୁଆ ନଈକୁ ପାଣି ଯାଏ। ଫଳରେ କାଜରେ ପ୍ରବଳ ସୁଅ ସୃଷ୍ଟି ହୁଏ ଓ ବନ୍ୟା ସମୟତକ ଯାତାୟାତ ଠପ୍‌ ହୋଇଯାଏ। ତେଣୁ କାଜ ଦେଇ ଯାତାୟତ କରୁଥିବା ବଇଁଚୁଆ, ଭିଙ୍ଗାରପୁର ଆଦି ପଞ୍ଚାୟତର ବହୁ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼େ। ତେଣୁ କାଜ ଉପରେ ଏକ ହାଇ ‌ଲେଭେଲ୍‌ ବ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଲୋକେ ଦାବି କରିଆସୁଛନ୍ତି। ୨୦୦୮ ମସିହାରେ ବନ୍ୟାଞ୍ଚଳଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଦାବି ଶୁଣି ଏଠାରେ ବ୍ରିଜ୍‌ ନିର୍ମାଣ ଲାଗି ପ୍ରତିଶୃତି ଦେଇଥିଲେ। ସେହିଭଳି ଜୟଦେବ ବିଧାୟକ ଅରବିନ୍ଦ ଢାଲି ମଧ୍ୟ ଏହି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ। ଗତ ବର୍ଷ ବନ୍ୟା ପରିଦର୍ଶନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସମାନ ପ୍ରତିଶୃତି ଦେଇଥିଲେ। ହେଲେ ସବୁ ପ୍ରତିଶୃତି ସେମିତି ରହିଯାଇଛି। ଖବର ନେବାରେ ଜଣାପଡ଼ିଛି ପୁରୀ ମୁଖ୍ୟ କେନାଲ ଠାରୁ ଧବଳାହାର ପର୍ଯ୍ୟନ୍ତ ୧୮୦ ମିଟର ଲମ୍ବ ଓ ୨୫ ଫୁଟ୍‌ ଚଉଡ଼ାରେ ବ୍ରିଜ୍‌ ନିର୍ମାଣ ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ପଠାଯାଇଛି। ପ୍ରସ୍ତାବଟି ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏ ନେଇ ସହକାରୀ ଯନ୍ତ୍ରୀ ସହଦେବ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ପ୍ରସ୍ତାବ ଅନୁମୋଦନ ଲାଭ କରିବା ପରେ ବ୍ରିଜ୍ ନିର୍ମାଣ ପାଇଁ ରାସ୍ତା ଫିଟିଯିବ। ତେବେ ଜନଆନ୍ଦୋଳନ ବିନା ସରକାରଙ୍କ ନିଦ ଭାଙ୍ଗିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share Now:

Kalinga News Beuro

Next Post

ମନୀଷ ମୃତ୍ୟୁ ମାମଲା: ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

Mon Oct 18 , 2021
ଭୁବନେଶ୍ୱର : ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ କମିସନରେଟ ପୁଲିସ ମୁଖ୍ୟ ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳ ଏବଂ ତା’ର ୨ ସାଙ୍ଗ ଦିନେଶ ମହାପାତ୍ର ଓ ମୃତ୍ୟଞ୍ଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣିବ। ଆସନ୍ତାକାଲିଠାରୁ ୩ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଆଣିବା ଲାଗି ଭୁବନେଶ୍ବର ଜେଏମ୍‌ଏଫ୍‌ସି ଅନୁମତି ଦେଇଛନ୍ତି। ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ ଇନ୍‌ଫୋସିଟି ପୁଲିସ ଭୁବନେଶ୍ବର ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲା। ଆଜି ଜେଏମ୍‌ଏଫ୍‌ସି ମାମଲାର […]
ମନୀଷ ମୃତ୍ୟୁ ମାମଲା-new

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial