ଜେଏସକୋକୁ ଝଟକା : ମୁକୁଳିଲା ୫୦୬ ଏକର ଜମି

ନାଲି ପତାକା ଲଗାଇ ଦଖଲକୁ ନେଲା ପ୍ରଶାସନ

ମାପଚୁପ୍ ପରେ ନାଲି ପତାକା ଲଗାଇ ଦଖଲକୁ ନେଲା ପ୍ରଶାସନ

ରାୟଗଡ଼ା: ୧୯୭୪ ମସିହାର କୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜୟପୁର ସୁଗାର କମ୍ପାନି (ଜେଏସକୋ)କୁ ଲାଗିଛି ଝଟକା। ୮ ବର୍ଷ ଧରି ଚାଲିଥିବା ମାମଲାର ବିଚାର କରି ହାଇକୋର୍ଟ ଜେଏସକୋ ଆବେଦନକୁ ଖାରଜ କରିଛନ୍ତି। କମ୍ପାନି ଅଧୀନରେ ବଳକା ଥିବା ୫୦୬ ଏକର ଜମି ତୁରନ୍ତ ସରକାରୀ ଖାତାକୁ ଫେରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜସ୍ୱ ବିଭାଗ ମାପଚୁପ୍ କରି ନାଲି ପତାକା ମାରି ଉକ୍ତ ଜମିକୁ ନିଜ ଦଖଲକୁ ନେଇଛି। ଦୀର୍ଘ ୪୮ ବର୍ଷର ପ୍ରୟାସ ପରେ ସରକାରୀ ଖାତାକୁ ଜମି ଫେରିବା ପରେ ରାୟଗଡ଼ାବାସୀ ଖୁସି ପ୍ରକାଶ କରିଛନ୍ତି।
କମ୍ପାନି ଅଧୀନରୁ ସରକାରୀ ଖାତାକୁ ଆସିଥିବା ୫୦୬ ଏକର ୬୯ ସେଣ୍ଟ୍ ଜମି ମଧ୍ୟରେ ରାୟଗଡ଼ା ରାଜସ୍ୱ ସର୍କଲ ଅଧୀନରେ ଥିବା ବାରିଝୋଲା ଗାଁରେ ସର୍ବାଧିକ ୨୬୨.୬୯ ଏକର ରହିଛି। ସେହିପରି ସିରିଗୁଡାରେ ୧୧.୬୪ ଏକର, ସିରିକଣାରେ ୧୦.୧୮ ଏକର, ଚେକାଗୁଡାରେ ୬.୯ ଏକର, ତୁମ୍ବିଗୁଡାରେ ୧୫.୯ ଏକର, ଜୟରାମଗୁଡାରେ ୨୦.୨ ଏକର, ରାଣୀଗୁଡାରେ ୩୯.୭୨ ଏକର ଜମି ରହିଛି। ମାଳିଗାଁ ରାଜସ୍ୱ ସର୍କଲର ଖଲିଗୁଡା ଗାଁରେ ୩.୩୪ ଏକର, ପିତାମହଲ ସର୍କଲର ପିତାମହଲ ଗାଁର ୨.୩୮ ଏକର, କୁମୁଟିପେ‌ଣ୍ଠ ସର୍କଲର କୁମୁଟିପେଣ୍ଠ ଗାଁରୁ ୧୩୫.୧୩ ଏକର ଜମି ଚିହ୍ନଟ ହୋଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଭୀମସେନ ଶବର, ତହସିଲଦାର ତାପସ ରାଉତ ପ୍ରମୁଖ ରାଜସ୍ୱ ମ୍ୟାପକୁ ଅନୁଧ୍ୟାନ କରି ନାଲି ପତାକା ଲଗାଇଛନ୍ତି। ସରକାରୀ ଖାତାକୁ ଫେରିବାକୁ ୫୦୬.୬୯ ଏକର ଜମି ମଧ୍ୟରୁ ୨୦୧.୨୭ ଏକରରେ ନୀଳଗିରି ଚାଷ, ୧୬୦ ଏକର ଚାଷ ଜମି, ୪.୨୧ ଏକରରେ ଜାତୀୟ ରାଜପଥ, ୩.୮୭ ଏକରରେ ଘର, ୯.୪୫ ଏକରରେ ବସ୍ତି, ୨.୭୧ ଏକରରେ ଗ୍ରାମ୍ୟ ଜଳ ଯୋଗାଣ ଅଫିସ୍, ୪.୭୩ ଏକରରେ ପୋଖରୀ ରହିଛି। ୧୬୦ ଏକର ପଡ଼ିଆ ପଡିଥିବା ବେଳେ ୨.୩୮ ଏକର ସରକାରୀ ଖାତାକୁ ଫେରିଛି।

Share Now:

Kalinga News Beuro

Next Post

ରାତି୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଜୟଦେବ ବାଟିକା

Sat Jan 21 , 2023
ଖଣ୍ଡଗିରି: ଏଣିକି ରାତି ୯ଟା ଯାଏ ଖୋଲା ରହିବ ଜୟଦେବ ବାଟିକା। ସନ୍ଧ୍ୟାରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହା ପରିସରରେ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପାରିବେ। ବିନା ଭୟରେ ବାଟିକା ପରିସରରେ ବୁଲିବା ସହ ସେଲ୍ଫି ବି ନେଇପାରିବେ। ପୂର୍ବରୁ କେବଳ ଦିନ ସମୟରେ ଖୋଲା ରହୁଥିବା ବେଳେ ଏବେ ରାତି ୯ଟା ପର୍ଯ୍ୟନ୍ତ ଖୋଲିବା ଲାଗି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ […]
ରାତିରେ ଜୟଦେବ ବାଟିକା ଖୋଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial