୪୪ ବର୍ଷ ହେଲା ପ୍ରସ୍ତାବରେ ବଇଁଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର:ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଚେତାବନୀ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି ନିଉ) କରିବା ନେଇ ଦୀର୍ଘ ୪୪ ବର୍ଷ ହେଲା ସରକାରୀ ଦପ୍ତରରେ ପ୍ରସ୍ତାବ ଗୃହୀତ ହୋଇଛି। ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ବିଭାଗୀୟ ନିର୍ଦ୍ଦେଶକ, ସଚିବ, ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଦାଇତ୍ୱରେ ଥିବା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଖାଲି ସେତିକି ନୁହେଁ ପଞ୍ଚାୟତ ଓ ପଞ୍ଚାୟତ ସମିତିର ପ୍ରସ୍ତାବ କ୍ରମେ ଡାକ୍ତରଖାନା ଲାଗି ୧ଏକର ୪୦ ଡିସିମିଲ ଜମି ସଂରକ୍ଷିତ ରହିଛି। ଏଠାରେ ଡାକ୍ତରଖାନା ଖୋଲାଯିବାକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ମଧ୍ୟ କସରତ ହୋଇଛି। ବିଧାୟକ, ମନ୍ତ୍ରୀ ଓ ଉପରିସ୍ଥ ଅଧିକାରୀ ଅଧସ୍ତନ ଦପ୍ତରକୁ ପଦକ୍ଷେପ ନେବାକୁ ଚିଠି ପରେ ଚିଠି ଲେଖିଛନ୍ତି। ହେଲେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବା ନିଷ୍ପତ୍ତି ପ୍ରସ୍ତାବରେ ଚାପିହୋଇ ରହିଯାଇଛି। ଦୀର୍ଘବର୍ଷ ପରେ ମଧ୍ୟ ଉକ୍ତ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଉପ-ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବା କ୍ଷେତ୍ରରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଲୋକମାନେ ଦୂରଦୁରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବା ଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ରାଜଧାନୀ ଠାରୁ ମାତ୍ର ୫ କିମି ଦୂରରେ ଥିବା ଉକ୍ତ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ଏବେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱର ତୀବ୍ର ହୋଇଛି। ଏହାର ପ୍ରତିବାଦରେ ଜନସାଧାରଣ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ, ୧୯୭୬ ମସିହାରୁ ବଇଁଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ନେଇ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ପ୍ରସ୍ତାବିତ ଯୋଜନା ମୁତାବକ ବଇଁଚୁଆ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜମି ମଧ୍ୟ ସଂରକ୍ଷିତ ହୋଇ ରହିଛି। ସରପଞ୍ଚ ବିଜୟ ସାହୁଙ୍କ ସୂଚନା ମୁତାବକ ଏହି ପଞ୍ଚାୟତ ସମେତ ଆଖପାଖ ଗ୍ରାମର ୨୦ ହଜାର ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ଅସୁବିଧା ଭୋଗୁଛନ୍ତି। ଜ୍ୱର, ଝାଡ଼ାବାନ୍ତି, ଡାଇରିଆ ଭଳି ଜରୁରୀକାଳୀନ ରୋଗର ଚିକିତ୍ସା ଲାଗି ଅନ୍ୟତ୍ର ଯିବା ବେଳେ ବାଟରେ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟିବାର ନଜିର ରହିଛି ‌ବୋଲି ଶ୍ରୀ ସାହୁ କହିଛନ୍ତି। ଡାକ୍ତରଖାନା ଖୋଲବା ଦିଗରେ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି।

Share Now:

Kalinga News Beuro

Leave a Reply

Next Post

୩ରୁ ରାଜ୍ୟରେ ପୁଣି ହାଲୁକା ବର୍ଷା:ଗୋଟିଏ ଦୁଇଟି ସ୍ଥାନରେ ରହିପାରେ କୋହଲା ପାଗ

Thu Jan 30 , 2020
ଭୁବନେଶ୍ୱର : ଆଜି ସକାଳେ ଭୁବନେଶ୍ୱରରେ ସାମାନ୍ୟ ବର୍ଷା ହୋଇଯାଇଛି। ମାତ୍ର ଆସନ୍ତା ୩ ଦିନ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଧିକ ଥଣ୍ଡା ହେବ ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ କୋହଲା ପାଗ ରହିପାରେ। ତେବେ ଫେବୃୟାରୀ ୩ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଥଣ୍ଡା କମିବା ସହ ସ୍ୱଳ୍ପ ବର୍ଷା ହୋଇପାରେ। ୩ ଦିନ ଧରି କେତେକ ଜିଲ୍ଲାରେ ସ୍ୱଳ୍ପରୁ […]
ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial