ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟରେ ପ୍ରସାରିତ ହେଉଥିବା ୨୯୨ଟି ଆପତ୍ତିଜନକ ପୋଷ୍ଟକୁ ହଟାଇ ଦେଇଛି ଓଡ଼ିଶା ପୁଲିସର ସ୍ୱତନ୍ତ୍ର ସେଲ୍। ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣଙ୍କୁ ନୋଟିସ୍ କରାଯାଇଛି। ଏଥିସହିତ ୨୭୫ରୁ ଅଧିକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ମଧ୍ୟ ନଜର ରଖାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟିଂ ଯୋଗୁଁ ରାଜନୈତିକ ହିଂସାର ଆଶଙ୍କା ରହିଛି। ତେଣୁ ଏଭଳି ପୋଷ୍ଟକୁ ତୁରନ୍ତ ହଟାଇବା ଲାଗି ଭାରତୀୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଗଠିତ ହୋଇଛି କ୍ରାଇମ୍ବ୍ରାଞ୍ଚ ସିଆଇଡିର ସୋସିଆଲ୍ ମିଡିଆ ମନିଟରିଂ ସେଲ୍। ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ ଉପରେ ଏହା କଡ଼ା ନଜର ରଖିଛି। ବିଭିନ୍ନ ପକ୍ଷରୁ ଅଭିଯୋଗ ମିଳିବା ପରେ ଏହି ସେଲ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ଦଫାରେ ଏପର୍ଯ୍ୟନ୍ତ ୨୯୨ ବିବାଦୀୟ ପୋଷ୍ଟ୍କୁ ହଟାଇ ଦିଆଯାଇଛି।
କ୍ରାଇମ୍ବ୍ରାଞ୍ଚ ସିଆଇଡି ପକ୍ଷରୁ ମିଳିଥିବା ସୂଚନାନୁସାରେ ଫେସ୍ବୁକ୍ରୁ ୨୮୯ ବିବାଦୀୟ ପୋଷ୍ଟିଂକୁ ହଟାଇବାକୁ ଚିଠି ଲେଖା ଯାଇଥିଲା। ସେଥିରୁ ୧୮୧ ପୋଷ୍ଟିଂ ହଟାଇଦିଆଯାଇଛି। ସେହିପରି ଇନ୍ଷ୍ଟାଗ୍ରାମ୍ରୁ ୧୯୦ ବିବାଦୀୟ ପୋଷ୍ଟିଂ ହଟାଇବାକୁ କୁହାଯାଇଥିଲା। ଏପର୍ଯ୍ୟନ୍ତ ୧୧୦ ପୋଷ୍ଟିଂ ହଟିସାରିଛି। ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରୁ ଏସବୁ ପୋଷ୍ଟିଂକୁ ମେଟା ହଟାଇଛି। ସେହିଭଳି ୟୁଟ୍ୟୁବ୍ରୁ ୩ ବିବାଦୀୟ ପୋଷ୍ଟିଂକୁ ବାହାର କରିବାକୁ ଲେଖାଯାଇଥିଲା ଏବଂ ଗୁଗୁଲ୍ ମାତ୍ର ଗୋଟିଏ ପୋଷ୍ଟିଂ ହଟାଇଛି। ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ସୋସିଆଲ୍ ମିଡିଆରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ସମର୍ଥକମାନଙ୍କ ପକ୍ଷରୁ ସେତିକି ପରସ୍ପର ବିରୋଧୀ ମନ୍ତବ୍ୟ, ଭିଡିଓ, ମେସେଜ୍ ପୋଷ୍ଟ କରୁଛନ୍ତି। ଏସବୁ ମୋବାଇଲ୍ରୁ ମୋବାଇଲ୍କୁ ତୀବ୍ର ବେଗରେ ଘୂରି ବୁଲିଛି। ଏହାକୁ ନେଇ ରାଜନୈତିକ ଦଳମାନେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଉଛନ୍ତି। ଭାରତୀୟ ନିର୍ବାଚନ କମିସନ ଏବଂ ରାଜ୍ୟ ମୁଖ୍ୟ ନିର୍ଚାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ୍ବ୍ରାଞ୍ଚର ଏହି ସ୍ୱତନ୍ତ୍ର ସୋସିଆଲ୍ ମିଡିଆ ମନିଟରିଂ ସେଲ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ସିଆଇଡି ସିବି ଆଇଜି ଏହି ସେଲ୍ର ନୋଡାଲ୍ ଅଫିସର ଭାବେ ଦାୟିତ୍ବ ବହନ କରିଛନ୍ତି। ଅତିକରିକ୍ତ ଡିଜି (ସିଆଇଡି)ଙ୍କୁ ରାଜ୍ୟ ସରକାର ଡେଜିଗ୍ନେଟେଡ୍ ଅଫିସର ହିସାବରେ ଦାୟିତ୍ବ ଦେଇଛନ୍ତି। ସିଆଇଡି କ୍ରାଇମ୍ବ୍ରାଞ୍ଚର ସୋସିଆଲ୍ ମିଡିଆ ମନିଟରିଂ ସେଲ୍ ବିଭିନ୍ନ ସୋସିଆଲ୍ ମିଡିଆ ଫ୍ଲାଟ୍ଫର୍ମର ନୋଡାଲ ଅଫିସରଙ୍କ ସହ ପ୍ରତ୍ୟକ୍ଷ ଲିଙ୍କ୍ରେ ରହିଛନ୍ତି। ଆପତ୍ତିଜନକ ପୋଷ୍ଟ୍ଗୁଡ଼ିକୁ ଯଥାଶୀଘ୍ର ହଟାଇବା ସହ ପୋଷ୍ଟ କରିଥିବା ବ୍ୟକ୍ତି ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହା ଉପରେ ଗୁରୁତ୍ବ ଦେଉଛନ୍ତି। ସେହିଭଳି ବିଭିନ୍ନ ପ୍ରକାର ଇଣ୍ଟେଲିଜେନସ୍ ଟୁଲ୍ସର ମଧ୍ୟ ସହାୟତା ନିଆଯାଉଛି। ସବୁ ପୁଲିସ ଜିଲ୍ଲାରେ ଡିଷ୍ଟ୍ରିକ୍ଟ ସାଇବର୍ ହେଲ୍ପ ଡେସ୍କ ଓ ଡିଷ୍ଟ୍ରିକ୍ଟ ସୋସିଆଲ୍ ମିଡିଆ ହେଲ୍ପ ଡେସ୍କ ଗଠନ କରାଯାଇଛି। ଏନେଇ ଏକ ସ୍ୱତନ୍ତ୍ର ଏସ୍ଓପି ଜାରି କରାଯାଇଛି ଏବଂ ସବୁ ଜିଲ୍ଲା ସୋସିଆଲ୍ ମିଡିଆ ସେଲ୍କୁ ଏହାକୁ ଅନୁପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍ବ୍ରାଞ୍ଚ ସିଆଇଡି ସିବି କମ୍ପ୍ଲେକ୍ସ ଭୁବନେଶ୍ବରରରେ ଏକ ସ୍ବତନ୍ତ୍ର ଅଭିଞ୍ଜ ସଂପନ୍ନ ଟିମ୍ କାମ କରୁଛି। ଏହି ଟିମ୍ରେ ଜଣେ ଡିଏସ୍ପି, ଜଣେ ଇନ୍ସପେକ୍ଟର, ଜଣେ ସବ୍ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ରହିଛନ୍ତି।
ସୋସିଆଲ୍ ମିଡିଆରୁ ହଟିଲା ୨୯୨ ଆପତ୍ତିଜନକ ପୋଷ୍ଟ : ଜଣେ ଗିରଫ ଜଣଙ୍କୁ ନୋଟିସ

Share Now: