ହତ୍ୟାକାରୀଙ୍କ ନନ୍ଦନବନ କୁଆଖାଇ ନଦୀପଠା

ହତ୍ୟାକାରୀଙ୍କୁ ସୁହାଉଛି କୁଆଖାଇ ନଦୀପଠା

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ବରିମୁଣ୍ଡ ନଦୀପଠାରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାକୁ ସପ୍ତାହେ ବିତିଗଲାଣି। କିନ୍ତୁ ଏଯାଏ ପୁଲିସ ସଂପୃକ୍ତ ଯୁବକଙ୍କ ପରିଚୟ ପାଇ ପାରିନଥିବାରୁ ତଦନ୍ତ ଆଗେଇ ପାରୁନାହିଁ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଳଜଳ ଦିଶୁଥିଲା। କିନ୍ତୁ ଶବର କେହି ଦାବିଦାର କିମ୍ବା ଏନେଇ କେହି ଅଭିଯୋଗ କରି ନଥିବାରୁ ପୁଲିସ୍‌ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ରିପୋର୍ଟକୁ ଅନେଇ ବସିଛି। ସେପଟେ, ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଏପର୍ଯ୍ୟନ୍ତ ଆସି ନାହିଁ। ତେଣୁ ପୂର୍ବରୁ ଉଦ୍ଧାର ହୋଇଥିବା ଅନେକ ଶବ ଯେପରି ପରିଚୟ ଅଭାବରୁ ଏପର୍ଯ୍ୟନ୍ତ ନ୍ୟାୟ ପାଇ ପାରିନାହାନ୍ତି, ଏ କ୍ଷେତ୍ରରେ ମଧ୍ୟ ସେଇୟା ଘଟିବ ବୋଲି ଚର୍ଚ୍ଚା ହେଲାଣି।
କୁଆଖାଇ ନଦୀପଠାରୁ ସନ୍ଦେହଜନକ ମୃତଦେହ ମିଳିବା ଘଟଣା ନୂଆ ନୁହେଁ, ଗତ ୫ ବର୍ଷ‌ରେ ଏମିତି ୪ଟି ମୃତଦେହକୁ ଜବତ କରିଛି ମଞ୍ଚେଶ୍ବର ପୁଲିସ। ଗତବର୍ଷ ବାଲିଯାତ୍ରା ସମୟରେ ଜଣେ ଯୁବକଙ୍କ ମୃତଦେହ ବରିମୁଣ୍ଡ ବାଲିପଠା ତଳୁ ମିଳିଥିଲା। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା। ତାହା ଏକ ହତ୍ୟାକାଣ୍ଡ ବୋଲି ଜଳଜଳ ଦିଶୁଥିଲା। କିନ୍ତୁ ପୁଲିସ୍‌ ଯୁବକଙ୍କ ପରିଚୟ ପାଇ ନ ଥିଲା। ସଂପୃକ୍ତ ଯୁବକ ଓ ତାଙ୍କ ପାଖରୁ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀର ଫଟୋକୁ ପୁଲିସ୍‌ ସାରା ରାଜ୍ୟ ଓ ଦେଶର ବିଭିନ୍ନ ଥାନାକୁ ପଠାଇଥିଲା। କିନ୍ତୁ ଏଯାଏ ତାଙ୍କର କେହି ସଂପର୍କୀୟ ପୁଲିସକୁ ଯୋଗଯୋଗ କରିନାହାନ୍ତି। ସେହିପରି ୫ ବର୍ଷ ତଳେ କୁଆଖାଇ ବ୍ରିଜ୍ ତଳେ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହକୁ କେହି ଜରି ବସ୍ତାରେ ଭର୍ତ୍ତି କରି କଫିନ୍ ସହ ଫୋପାଡ଼ି ଚାଲି ଯାଇଥିଲା।
ପୁଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଥିଲା। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। କିନ୍ତୁ ପରିଚୟ ନ ମିଳିବାରୁ ପୁଲିସ୍‌ ହାତବାନ୍ଧି ବସି ରହିଥିଲା। ଏବେ ସେ ମାମଲା ଫାଇଲ ତଳେ ଚାପି ହୋଇଗଲାଣି। ଏହି ଘଟଣାକୁ ୧୫ଦିନ ନ ପୂରୁଣୁ ସେଇ ବାଲିପଠାରୁ ପୁଲିସ୍‌ ଆଉ ଜଣେ ବ୍ୟକ୍ତିଙ୍କ ମୃତ‌ଦେହ ଜବତ କରିଥିଲା। କେହି ତାଙ୍କୁ ଇଟାରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା। ସେ ଘଟଣାରେ ବି ପରିଚୟ ଯୋଗାଡ଼ କରିବାରେ ପୁଲିସ୍‌ ବିଫଳ ହେବାରୁ ତା’ର ତଦନ୍ତ ଆଗେଇ ପାରୁନାହିଁ। ସ୍ଥାନୀୟ ଲୋକଙ୍କଠାରୁ ପୁଲିସ ଜାଣିବାକୁ ପାଇଥିଲା ଯେ ମୃତ ଯୁବକଜଣକ ପ୍ରତି ସଂଧ୍ୟାରେ ମାଛ ଧରିବା ପାଇଁ ନଦୀକୁ ଆସନ୍ତି। କିନ୍ତୁ ତାଙ୍କ ନାଁ କ’ଣ, ଘର କେଉଁଠି, କେହି କହିପାରି ନଥିଲେ। ବାରମ୍ବାର କୁଆଖାଇ ନଦୀପଠାରୁ ମୃତଦେହ ଜବତ ହେବା ଏବଂ ସେମାନଙ୍କ ପରିଚୟ ନ ମିଳିବା ଘଟଣା ସାଧାରଣରେ ଅନେକ ପ୍ରଶ୍ନକୁ ଜନ୍ମ ହେଉଛି। ଦୋଷ ଘୋଡ଼ାଇବା ପାଇଁ ଏହି ନଦୀପଠା ହତ୍ୟାକାରୀଙ୍କ ପାଇଁ ଉପଯୁକ୍ତ ସ୍ଥାନ ପାଲଟିଛି। ଯୋଜନାବଦ୍ଧ ଭାବେ ଅନ୍ୟ ସ୍ଥାନରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଏଠାରେ ଫିଙ୍ଗି ଦେଉଛନ୍ତି ବୋଲି କୁହାଯାଉଛି। ଏ ସମ୍ପର୍କରେ ମଞ୍ଚେଶ୍ବର ଥାନା ଇନ୍ସପେକ୍ଟର ସୁଧୀର ସାହୁ କହିଛନ୍ତି, ସପ୍ତାହ ତଳେ ଜବତ ହୋଇଥିବା ମୃତଦେହର ଏଯାଏ ପରିଚୟ ମିଳିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିନାହିଁ। ସେ ପାଣିରେ ବୁଡ଼ି ମରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଫିଙ୍ଗିଛି, ସ୍ପଷ୍ଟ ହୋଇପାରୁନାହିଁ। ଯୁବକଙ୍କ ପରିଚୟ ପାଇବା ପାଇଁ ପୁଲିସ ବିଭିନ୍ନ ଥାନାକୁ ଫଟୋ ପଠାଇଛି। ସେହିପରି ଗତବର୍ଷ ନଦୀପଠା ବାଲି ତଳୁ ଯେଉଁ ଯୁବକଙ୍କ ମୃତଦେହ ଜବତ ହୋଇଥିଲା, ତା’ର ମଧ୍ୟ ଏଯାଏ ପରିଚୟ ମିଳି ପାରିନାହିଁ। କିନ୍ତୁ ପୁଲିସ ସମସ୍ତ ମାମଲା ଉପରେ ନଜର ରଖିଛି ବୋଲି ଇନ୍ସପେକ୍ଟର ଶ୍ରୀ ସାହୁ କହିଛନ୍ତି।

Share Now:

Kalinga News Beuro

Next Post

ହରିପୁର ଜଙ୍ଗଲରୁ ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର

Sun Jan 22 , 2023
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାମ ମନୋରଞ୍ଜନ ମହାପାତ୍ର (୩୫)। ସେ ରଣପୁର ଥାନା ଓ ବ୍ଲକ ଅନ୍ତର୍ଗତ ବଳଭଦ୍ର ପୁର ପଞ୍ଚାୟତ ଅଧୀନ ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ଅଟନ୍ତି। ସୂଚନା ଅନୁସାରେ ଆଜି ସକାଳେ ସ୍ଥାନୀୟ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ସ°ଗ୍ରହ ପାଇଁ […]
ହରିପୁର ଜଙ୍ଗଲରୁ ସୁଟକେଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial