ରାଜଧାନୀରେ କୋଡ୍‌ ୱାର୍ଡରେ ଚାଲିଛି ନିଶା ବେପାର : ‘ପରୀ’ ଗଞ୍ଜେଇ, ‘ନିମ୍‌କି’ ବ୍ରାଉନ୍‌ସୁଗାର

‘ପରୀ’ ଗଞ୍ଜେଇ, ‘ନିମ୍‌କି’ ବ୍ରାଉନ୍‌ସୁଗାର

ଚନ୍ଦ୍ରଶେଖରପୁର: ଅଟୋଚାଳକଟିଏ ଚା’ ଦୋକାନକୁ ଗଲା। ଦୋକାନରେ ବସିଥିଲେ ଜଣେ ମହିଳା। ଅଟୋଚାଳକ ମହିଳାଙ୍କୁ ୨୦ ଟଙ୍କିଆ ନୋଟ୍‌ଟିଏ ବଢ଼ାଇ ଦେଇ ମାଗିଲା – ପରୀ ଦିଅ। ମହିଳା ତା’ ହାତକୁ ବଢ଼ାଇଦେଲେ ଏକ ସିଗାରେଟ୍‌। ପରେ ପରେ ଜଣେ କଲେଜ ପଢ଼ୁଆ ଯୁବକ ସେହି ଦୋକାନରେ ପହଞ୍ଚିଲେ। ଶହେ ଟଙ୍କିଆ ନୋଟ୍‌ଟିଏ ବଢ଼ାଇ ଦେଇ କହିଲା- ଗୋଟେ ନିମ୍‌କି ଦିଅ। ମହିଳା ଗୋଟେ କାଗଜ ପୁଡ଼ିଆ ବଢ଼ାଇଦେଲେ। ବୁଝୁବୁଝୁ ଜଣାପଡ଼ିଲା ୨୦ ଟଙ୍କିଆ ସି‌ଗା‌ରେଟ୍‌ରେ ଭର୍ତ୍ତି ହୋଇଥିଲା ଗଞ୍ଜେଇ। ସେହିଭଳି ଶହେ ଟଙ୍କିଆ ନିମ୍‌କି ଥିଲା ବ୍ରାଉନ୍‌ସୁଗାର ପୁଡ଼ିଆ। ଏମିତି କୋଡ୍‌ ୱାର୍ଡରେ ସହିଦନଗର ଥାନା ଆଚାର୍ଯ୍ୟବିହାର ନିକଟ ବି‌ଶ୍ବେଶ୍ବର ବସ୍ତିରେ ଚାଲିଛି ଏମିତି ବେଧଡ଼କ ନିଶା କାରବାର।
ରାସ୍ତାକଡ଼ରେ ଥିବା ଏହି ବସ୍ତିରେ ସବୁ ପ୍ରକାର ନିଶା କାରବାର ହେଉଛି। ଦେଶୀ ବିଦେଶୀ ମଦରୁ ଆରମ୍ଭ କରି ଗଞ୍ଜେଇ, ଡ୍ରଗସ୍ ସବୁ ବିକ୍ରି ହେଉଛି ଏହି ବସ୍ତିରେ। ବସ୍ତିଟି ରାସ୍ତା କଡ଼ରେ ଥିବାରୁ ଗ୍ରାହକମାନଙ୍କୁ ବେଶ୍ ସୁବିଧା ହେଉଛି। ଚା’ ଓ ପାନ କିଣିବା ବାହାନାରେ ଗ୍ରାହକମାନେ ଆବଶ୍ୟକ ନିଶା ସାମଗ୍ରୀ କିଣିପାରୁଛନ୍ତି। ଏଠାରେ ପୂର୍ବରୁ ୪/୫ଟି ପାନ ଓ ଚା’ ଦୋକାନ ଥିଲା। ଏବେ ଘରେ ଘରେ ଦୋକାନ। ପୁରୁଷମାନେ ଦିନରେ କାମ କରିବାକୁ ବାହାରକୁ ଚାଲି ଯାଉଛନ୍ତି ଓ ମହିଳାମାନେ ବେପାର ସମ୍ଭାଳୁଛନ୍ତି। ସନ୍ଧ୍ୟାରେ ପୁରୁଷମାନେ ଘରେ ଥିଲେ ବି ଅଧିକାଂଶ ସମୟରେ ମହିଳାମାନେ ଦୋକାନରେ ବସୁଛନ୍ତି। ଉପରକୁ ଚା’ ଓ ପାନ ଦୋକାନ। କିନ୍ତୁ ଭିତରେ ଅସଲ କାରବାର ହେଉଛି ନିଶା। ମହିଳାମାନେ ବେଶ୍ ଧୂର୍ତ୍ତ। ଗ୍ରାହକ ଦେଖି ବୁଝିପାରୁଛନ୍ତି କିଏ କ’ଣ। ବଡ଼ କଥା ହେଉଛି କୋଡ୍‌ ୱାର୍ଡ। ଯିଏ ଠିକଣା ଢଙ୍ଗରେ କହିପାରିଲା, ଦୋକାନୀ ତାକୁ ମାଲ୍ ଯୋଗାଇଲା। ଟିକିଏ ଏପଟସେପଟ ହେଲେ ସେମାନେ ରୋକ୍‌ଠୋକ କହିବେ- ଏଠି ପାନ ଚା’ ଛଡ଼ା ଅନ୍ୟ କିଛି ମିଳୁନି। ଏହାଛଡ଼ା ନିତିଦିନିଆ ଗ୍ରାହକ ମାଳମାଳ। ତେଣୁ ବେପାର ଜମୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏସବୁ ପୁଲିସ ଜାଣିଛି। ତେଣୁ କମିସନରେଟ୍‌ ପୁଲିସର ବସ୍ତି ମିତ୍ର ଭଳି ଯୋଜନା ଚୁଲି କି ଯାଇଛି। ଏମିତିକି ଏଠାରୁ କିଛି ଅସାଧୁ ପୁଲିସ କର୍ମଚାରୀ ହାତଗୁଞ୍ଜା ‌ପାଉଥିବା ଅଭିଯୋଗ ହେଉଛି। କିଛି ବାସିନ୍ଦାଙ୍କ କହିବା କଥା ନିଶା କାରବାରରେ ଅସାମାଜିକ ଯୁବକମାନଙ୍କ ସହଯୋଗ ରହୁଛି। ତେଣୁ କାହାର ବି ମୁହଁ ଖୋଲିବାକୁ ଜୁ’ ନାହିଁ। ଯିଏ ମୁହଁ ଖୋଲିବ, ତା’ ପିଲାଛୁଆ ବିପଦରେ ପଡ଼ିବା ନିଶ୍ଚିତ। ଏଭଳି କାରବାର ପାଇଁ ବହୁ ସମୟରେ ବାହାର ଲୋକ ଆସି ଏଠାରେ ଗଣ୍ଡଗୋଳ କରୁଛନ୍ତି ବୋଲି ସେମାନେ କହିଛନ୍ତି। ତେଣୁ ବଡ଼ ପୁଲିସ ଅଧିକାରୀଙ୍କ କାନକୁ କଥା ଗଲେ, କିଛି ହୋଇପାରିବ ବୋଲି ସେମାନେ କହିଛନ୍ତି।

Share Now:

Kalinga News Beuro

Next Post

ଆସନ୍ତା ୨-୩ ଦିନରେ କେରଳ ଛୁଇଁବ ମୌସୁମୀ

Fri May 27 , 2022
ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସନ୍ତା ୨-୩ ଦିନରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ପୂର୍ବରୁ ଆଇଏମଡି କହିଥିଲା ଯେ ଏବର୍ଷ ମୌସୁମି ସ୍ବାଭାବିକ ସମୟଠାରୁ ପ୍ରାୟ ୫ ଦିନ ଆଗୁଆ ଅର୍ଥାତ ମେ ୨୭ରେ କେରଳ ଛୁଇଁବ। କିନ୍ତୁ ବିଗତ କିଛି ଦିନ ହେଲାଣି ମୌସୁମିର ଗତି ସ୍ଥିର ହୋଇଯାଇଥିବାରୁ ଏହା କେରଳ ଛୁଇଁବାକୁ ଆଉ ୨-୩ ଦିନ ବିଳମ୍ବ ହେବ […]
କେରଳ ଛୁଇଁବ ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial