ଉଲ୍‌କାମାଡ଼ରୁ ବିଶାଳ ଗର୍ତ୍ତ

ଉଲ୍‌କାମାଡ଼ରୁ ବିଶାଳ ଗର୍ତ୍ତ

କଚ୍ଛ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ପ୍ରେରିତ ପୃଥିବୀ ନିରୀକ୍ଷଣ ଉପଗ୍ରହ ‘ଲ୍ୟାଣ୍ଡସାଟ୍‌-୮’ ନିକଟରେ ଗୁଜରାଟର କଚ୍ଛ ଅଞ୍ଚଳରେ ଏକ ବିଶାଳ ଗର୍ତ୍ତ ଠାବ କରିଛି। ଅନେକ ବିଶ୍ଳେଷଣ ପରେ ତାହା ଉଲ୍‌କାମାଡ଼ ଜନିତ ଗର୍ତ୍ତ ବୋଲି ସ୍ପଷ୍ଟ ହୋଇଛି। ଗୁଜରାଟର ବାନ୍ନି ସମତଳ ତୃଣଭୂମିରେ ଗତ ଫେବୃଆରୀ ୨୪ରେ ‘ଲୁନା’ ନାମକ ଏହି ଗର୍ତ୍ତ ଠାବ ହୋଇଛି ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ସେହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଉତ୍ତର ପଶ୍ଚିମ ଭାରତର କଚ୍ଛ ଜିଲ୍ଲାରେ ଏକ ବିଶାଳ ମରୁଭୂମି ରହିଛି ଯେଉଁଠି ରଙ୍ଗିନ ଆୟତାକାର ପୋଖରିମାନଙ୍କରେ ଆରବସାଗର ଜଳରୁ ଲୁଣ ଅମଳ କରାଯାଉଛି। ଏହି ନିମ୍ନ ଅଞ୍ଚଳର ଅଧିକାଂଶ ଭାଗ ବର୍ଷ ସାରା ଜଳମଗ୍ନ ହୋଇ ରହିଥାଏ। ଏପରିକି ‘ଲୁନା’ର କିଛି ଅଂଶ ମଧ୍ୟ ବୁଡ଼ି ରହିଥାଏ। ତେବେ ୨୦୨୨ ମେ’ରେ ତାହା ଶୁଖିଲା ପଡ଼ିଥିବା ବେଳେ ସେଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା କରାଯାଇଥିଲା। ପ୍ରାୟ ୬,୯୦୦ ବର୍ଷ ତଳେ ସେଠାରେ ଉଲ୍‌କାମାଡ଼ ହୋଇଥିବା କଥା ତେଜସ୍କ୍ରିୟ-ଅଙ୍ଗାର ଆୟୁ ନିରୂପଣ ପଦ୍ଧତିରୁ ଜଣାଯାଇଛି। ପ୍ରାଚୀନ ହରପ୍ପା ବସତି ପାଖାପାଖି ଇଲାକାରେ ଉକ୍ତ ‘ଲୁନା’ ଗର୍ତ୍ତକୁ ଠାବ କରାଯାଇଥିବା ବେଳେ ଏହି ଉଲ୍‌କାମାଡ଼ ବେଳକୁ ସେଠାରେ ଜନବସତି ସ୍ଥାପନ ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
‘ଲୁନା’ ଗର୍ତ୍ତର ନାମକରଣ ତାହା ଠାବ ହୋଇଥିବା ନିକଟ ଏକ ଗାଁର ନାମ ଅନୁସାରେ କରାଯାଇଛି। ପ୍ରାୟ ୧.୮ କି.ମି. ବା ୧.୧ ମାଇଲ୍‌ ଓସାରର ଏହି ଗର୍ତ୍ତର କେନ୍ଦ୍ରୀୟ ଗଭୀରତା ୬ ମିଟର ବା ୨୦ ଫୁଟ ରହିଛି। ସାଧାରଣତଃ ଭୂପୃଷ୍ଠରେ ଏପରି ଉଲ୍‌କାମାଡ଼ ଜନିତ ଗର୍ତ୍ତ ସୃଷ୍ଟିହେବା କ୍ଵଚିତ୍‌ ଦେଖାଦେଇଥାଏ ଏବଂ ବିଶ୍ୱବ୍ୟାପୀ ଏପରି ୨୦୦ରୁ କମ୍‌ ଘଟଣା ଲୋକଲୋଚନକୁ ଆସିଛି। ସେଥି ମଧ୍ୟରୁ କିଛି ବୃହତ୍‌ ଖଣ୍ଡ ମଧ୍ୟ ବାୟୁମଣ୍ଡଳକୁ ଅତିକ୍ରମ କରି ଭୂପୃଷ୍ଠଗାମୀ ହେଲା ବେଳେ ପୃଥିବୀର ବୃହଦାଞ୍ଚଳ ଜଳଭାଗରେ ବିଲୀନ ହୋଇଥାଏ। ସେହିପରି ଭୂପୃଷ୍ଠରେ କିଛି ଉଲ୍‌କାମାଡ଼ର ଚିହ୍ନ ମଧ୍ୟ ପବନ, ପାଣି ଓ ଟେକ୍ଟୋନିକ ପ୍ଲେଟ୍‌ ପରି ପ୍ରାକୃତିକ ବଳ ଦ୍ୱାରା ଲିଭିଯାଇଥାଏ।

Share Now:

Kalinga News Beuro

Next Post

ଜେଲ୍‌ରେ ଥିବା ନେତା କରି ପାରିବେନି ନିର୍ବାଚନୀ ପ୍ରଚାର : ଦିଲ୍ଲୀ ହାଇକୋର୍ଟ

Wed May 1 , 2024
ନୂଆଦିଲ୍ଲୀ: ଜେଲ୍‌ରେ ରାଜନେତାଙ୍କ ନିର୍ବାଚନ ପ୍ରଚାର ସମ୍ପର୍କରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଆଇନ ଛାତ୍ର ଅମରଜିତ ଗୁପ୍ତା ଏକ ପିଟିସନ ଦାଖଲ କରି ଦାବି କରିଥିଲେ ଯେ ଦେଶରେ ଲୋକସଭା ନିର୍ବାଚନ ଚାଲିଛି। ତେଣୁ ଜେଲରେ ଥିବା ନେତାମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଚାର କରିବାକୁ ଅନୁମତି ଦିଆଯାଉ। ଯେଉଁଠାରେ ଜଷ୍ଟିସ ମନମୋହନଙ୍କ ନେତୃତ୍ୱରେ ଦିଲ୍ଲୀ ହାଇକୋର୍ଟଙ୍କର ଏକ ବେଞ୍ଚ ଏହାକୁ […]
ଜେଲ୍‌ରେ ଥିବା ନେତା କରି ପାରିବେନି ନିର୍ବାଚନୀ ପ୍ରଚାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial