ନ୍ୟୁ ଏୟାର୍‌ପୋର୍ଟ ରୋଡ୍‌ରେ ପୁଣି ବସିଲେଣି ବେପାରୀ : ଭିଡ଼ ବଢ଼ାଉଛି ଦୁର୍ଘଟଣା

ଭୁବନେଶ୍ୱର: ଗଣ୍ଡମୁଣ୍ଡାରୁ ଖଣ୍ଡଗିରି, ଜାଗମରାରୁ ନ୍ୟୁ ଏୟାର୍‌ପୋର୍ଟ ରୋଡ୍‌। ସକାଳ କିମ୍ବା ସନ୍ଧ୍ୟା ନୁହେଁ ବରଂ ଦିନ ତମାମ ଗହଳି ଲାଗି ରହୁଛି। ହେଲେ ଏହି ଗହଳି ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଭିଡ଼ ପାଇଁ ଦୁର୍ଘଟଣା ବଢ଼ୁଛି। ଅନ୍ୟ ସମୟରେ ଗହଳି ଲୋକଙ୍କୁ ବାଧୁ ନଥିବା ବେଳେ ଏବେ ଉଠାଦୋକାନୀଙ୍କ ଭିଡ଼ ଓ ୪ବର୍ଷ ହେଲା ଚାଲିଥିବା ଖୋଳାପୋତା ଲୋକଙ୍କୁ ଅତିଷ୍ଠ କଲାଣି। ଗୋଟିଏ ପଟେ ଖୋଳାପୋତା ଆଉ ଗୋଟେପଟେ ରାସ୍ତା ଉପରେ ଉଠାଦୋକାନୀ ଗ୍ରାହକଙ୍କ ଗାଡ଼ି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି। ନ୍ୟୁ ଏୟାର୍‌ପୋର୍ଟ ରାସ୍ତା ପାର୍ଶ୍ଵ ନଳା ଉପରୁ ଉଚ୍ଛେଦ ହୋଇଥିଲେ ମଧ୍ୟ ଏବେ ସେଠାରେ ପୁଣି ଦୋକାନୀ ବସି ଗଲେଣି। ଏହି ରାସ୍ତାରୁ ଖୋଳାପୋତା ସରୁ ସରୁ ଜାଗମରା-ଖଣ୍ଡଗିରି ରାସ୍ତାରେ ମରାମତି ନାଁରେ ଖୋଳାପୋତା ଆରମ୍ଭ ହୋଇଗଲାଣି। ଫଳରେ ଗଣ୍ଡମୁଣ୍ଡାରୁ ଖଣ୍ଡଗିରି, ଜାଗମରାରୁ ସିଟି ମହିଳା ମହାବିଦ୍ୟାଳୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି।
୨୦୨୧ ମେ’ ମାସରେ ଅମୃତ ଯୋଜନାରେ ପାଣି ପାଇପ୍‌ ବିଛାଇବା ପାଇଁ ନ୍ୟୁ ଏୟାର୍‌ପୋର୍ଟ (ଜାଗମରାରୁ ସିଟି ମହିଳା ମହାବିଦ୍ୟାଳୟ) ରାସ୍ତା ଖୋଳା ଯାଇଥିଲା। ପ୍ରାୟ ଦେଢ଼ବର୍ଷ କାଳ ଏଭଳି ଖୋଳା ହୋଇପଡ଼ି ରହିବାରୁ ୨୦୦ ଫୁଟିଆ ରାସ୍ତାର ଗୋଟିଏ ପାର୍ଶ୍ଵ ବ୍ୟବହାର ହେଲା। ଥରେ ମାଟି ପଡ଼ିଲା, ଆଉ ଥରେ ପିଚୁ ପଡ଼ିଲା। ଏଭଳି ଦେଢ଼ବର୍ଷ କାଳ ଲୋକ ହନ୍ତସନ୍ତ ହେଲେ। ଗ୍ୟାସ୍ ପାଇପ୍ ବିଛାଇବା ପାଇଁ ଗେଲ୍ ଇଣ୍ଡିଆ ପୁଣି ଏହି ରାସ୍ତାକୁ ଖୋଳିଲା। ୬ ମାସ ଧରି ଏହା ରାସ୍ତାରେ ସବୁଜ ରଙ୍ଗର କନା ଢାଙ୍କି ରାସ୍ତା ବନ୍ଦ କରି ଦିଆଗଲା। ଗେଲ୍ ଇଣ୍ଡିଆ କାମ ସାରିବା ପରେ ଆରମ୍ଭ ହୋ‌ଇଥିଲା ସ୍ୱରେଜ କାମ। ଦଫାଦଫାରେ ଗଣ୍ଡମୁଣ୍ଡାରୁ ଜାଗମରା, ଜାଗମରାରୁ ଖଣ୍ଡଗିରି, ଜାଗମରାରୁ ସିଟି ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ କାମ ଚାଲିଥିଲା। ଏବେ ଜାଗମରାରୁ ଖଣ୍ଡଗିରି ରାସ୍ତାରେ ଡ୍ରେନ୍‌ ଓ ଫୁଟ୍‌ପାଥ୍‌ କାମ ଚାଲିଛି। ଫୁଟ୍‌ପାଥରେ ଟାଇଲ୍‌ ବିଛା ଯାଉଛି। ରାସ୍ତା ଉପରେ ପାଣି ଟ୍ୟାଙ୍କର ସହ ବାଲି ସିମେଣ୍ଟ ଗଦା ହେଉଛି। ରାସ୍ତାର ଅପରପାର୍ଶ୍ଵରେ ଡ୍ରେନ୍‌ ନିର୍ମାଣ ଚାଲିଛି। କାମ ଚାଲୁଥିବାରୁ ରାସ୍ତା ଅଧା ବନ୍ଦ ରଖାଯାଇଛି। ପୋଖରୀପୁଟ, ବିମାନବନ୍ଦର, ରାଜଭବନ, ସିଆର୍‌ପି, ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଲିଙ୍ଗରାଜ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଏହି ରାସ୍ତା ସଂଯୋଗ କରୁଛି। ବିଶେଷକରି ସକାଳ ୯ଟାରୁ ୧୧ଟା ଓ ସନ୍ଧ୍ୟା ୫ଟା ରୁ ରାତି ୯ଟା ଯାଏ ଏଠାରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଅନେକ ସମୟରେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଗାଡ଼ି ଫସି ଯାଉଥିବା ପରିଲିକ୍ଷିତ ହେଉଛି।

Share Now:

Kalinga News Beuro

Next Post

ଅହମ୍ମଦାବାଦରୁ ୪ ସନ୍ଦିଗ୍ଧ ଆଇଏସ୍‌ ଆଇଏସ୍‌ ଆତଙ୍କବାଦୀ ଗିରଫ

Mon May 20 , 2024
ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ବନ୍ଦରରେ ବୋମା ଧମକ ମିଳିବାର କିଛି ଦିନ ପରେ ୪ ଜଣ ସନ୍ଦିଗ୍ଧ ଆଇଏସ୍‌ ଆଇଏସ୍‌ ଆତଙ୍କବାଦୀଙ୍କୁ ଅହମ୍ମଦାବାଦ ବିମାନବନ୍ଦରରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ଶ୍ରୀଲଙ୍କାର ନାଗରିକ ବୋଲି ଅନୁମାନ କରାଯାଉଛି। ଗୁଜରାଟ ଆଣ୍ଟି ଟେରର ସ୍କ୍ୱାର୍ଡ (ଏଟିଏସ୍‌) ବିମାନବନ୍ଦରରେ ଏହି ଆତଙ୍କବାଦୀମାନେ ନିଜ ହେଣ୍ଡଲରକୁ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଗିରଫ କରିଛି।ମେ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ […]

ଆହୁରି ପଢ଼ନ୍ତୁ