ସୀମା ଅଶାନ୍ତ : ପୁଣି ମାତିଲାଣି ଚୀନ୍

ଏଲ୍‌ଏସିରେ ଚୀନ୍‌ର ୧୦ ହଜାର ସୈନ୍ୟ, ମୁକାବିଲା ପାଇଁ ଭାରତ ବି ପଠାଇଲା

ନୂଆଦିଲ୍ଲୀ : ଗଲୱାନ ଘାଟିରେ ସଂଘର୍ଷ ପରେ ପରିସ୍ଥିିିତିକୁ ଶାନ୍ତ କରିବା ଲାଗି ଭାରତ ଏବଂ ଚୀନ୍ ମଧ୍ୟରେ ଉଭୟ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା ଚାଲିଥିବା ବେଳେ ସୀମାରେ ଉତ୍ତେଜନା ବଢ଼ି ବଢ଼ି ଚାଲିଛି। କୌଣସି ‌ଆପୋସ ବୁଝାମଣାକୁ ଖାତିର ନ କରି ଚୀନ ସୀମାରେ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଭାରତ ସରକାର ଏହାର ତୀବ୍ର ପ୍ରତିବାଦ କରିଛନ୍ତି। ଚୀନ ଆଭିମୁଖ୍ୟ ଦୁଇ ଦେଶ ମଧ୍ୟରେ ସଂପର୍କକୁ ତିକ୍ତ କରି ପକାଇବ ବୋଲି ଭାରତ ଚେତାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ଲଦାଖ୍‌ରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ-ଚୀନ୍‌ ସେନା ଏବେ ବି ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଚୀନ୍‌ ପ୍ରାୟ ୧୦ ହଜାର ସେନା ଠୁଳ କରିଛି। ଭାରତ ମଧ୍ୟ ଏହା ସହିତ ତାଳ ଦେଇ ସେନା ମୁତୟନ ବଢ଼ାଇ ଦେଇଛି। ୨୩ ତାରିଖ ଅପରାହ୍ନରୁ ଚୀନ୍‌ର ସେନା ମୁତୟନ ପ୍ରକ୍ରିୟା ବଢ଼ିଥିଲା ଏବଂ ଗଲୱାନ ସମେତ ସମସ୍ତ ବିବାଦୀୟ କ୍ଷେତ୍ରରେ ଚୀନ୍‌ ନିଜର ସ୍ଥିତି ଦୃଢ଼ କରିବାରେ ଲାଗିଛି। ଏହା ସହିତ ଚୀନ୍‌ ବହୁ ସଂଖ୍ୟାରେ ଟ୍ୟାଙ୍କ୍‌ ଓ ତୋପ ମଧ୍ୟ ମୁତୟନ କରିଛି। ଗଲୱାନରେ ବଡ଼ ଲଢ଼େଇ ପାଇଁ ଚୀନ୍‌ ପ୍ରସ୍ତୁତ ହେଉଥିବା ଏହାର ଗତିବିଧିରୁ ସ୍ପଷ୍ଟ ହୋଇଥିବାରୁ ଆଗକୁ ସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି। ଗତ ୧୫ ତାରିଖ ରାତିରେ ଘଟିଥିବା ସଂଘର୍ଷସ୍ଥଳରେ ଚୀନ୍‌ର ବିରାଟ ବଙ୍କର ଠାବ ହୋଇଥିବାରୁ ଏବେ ମୁକାବିଲା ପାଇଁ ଭାରତ ମଧ୍ୟ ବଡ଼ ଯୋଜନା କରୁଛି। ବିଗତ ୪୮ ଘଣ୍ଟା ମଧ୍ୟରେ ଚୀନ୍‌ ସହ ସମସ୍ତ ସୀମା ଅଂଚଳରେ ସେନା ମୁତୟନ ବଢ଼ାଇ ଦିଆଯାଇଛି। ଗଲାୱାନରେ ଯୁଦ୍ଧ ବିମାନ ମୁତୟନ ବଢ଼ାଇ ଦିଆଯିବା ସହ ପରିସ୍ଥିତି ଉପରେ ଅହରହ ନଜର ରଖାଯାଉଛି। ସୂଚନାଯୋଗ୍ୟ ଯେ ଭାରତ-ଚୀନ୍‌ କମାଣ୍ଡରସ୍ତରୀୟ ଆଲୋଚନାରେ ଉଭୟ ସେନା ପଛକୁ ହଟିବା ପାଇଁ ୨୩ ତାରିଖ ଦିନ ସହମତି ପ୍ରକାଶ କରିଥିଲେ। କିନ୍ତୁ ଚୀନ୍‌ ଏବେ ଏହାର ଓଲଟା ପଦକ୍ଷେପ ନେଇ ସେନା ମୁତୟନ ବଢ଼ାଇବା ପରେ ଏହାର ଅସଲ ରୂପ ସାମ୍ନାକୁ ଆସିଛି। ଚୀନ୍‌ ଏବେ ଗଲୱାନରେ ପଛକୁ ହଟିବା ଭଳି ନାଟକ କରି ନିଜ ସୈନିକଙ୍କୁ ଗଲୱାନ୍‌ର ଆଭ୍ୟନ୍ତରୀଣ ଅଂଚଳରେ ଠୁଳ କରୁଛି। ଗଲୱାନ ଘାଟିରେ ଅଧିକ ସ୍ଥାୟୀ ଶିବିର ନିର୍ମାଣ କରି ଭାରତ ସହ ଏକ ଲମ୍ବା ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯୋଜନା କରିଛି। ଗୋଟିଏ ପଟେ ଚୀନ୍‌ ସେନା ହଟାଉଛି ବୋଲି ଧାରଣା ସୃଷ୍ଟି କରୁଥିବା ବେଳେ, ଅନ୍ୟପଟେ ସୈନ୍ୟ ମୁତୟନ ବଢ଼ାଇ ଚାଲିଛି। ଚୀନ୍‌ ତୁହାକୁ ତୁହା ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ସହ ଷଡ଼ଯନ୍ତ୍ରପୂର୍ଣ୍ଣ ନୀତିରେ ଚାଲିଥିବାରୁ ଭାରତ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ୍‌ ଉତ୍ତେଜନା ହ୍ରାସ କରିବା ବଦଳରେ ଉତ୍ତେଜନା ବଢ଼ାଇବା ଦିଗରେ ପଦକ୍ଷେପ ନେଉଛି ଏବଂ ଏଭଳି ସ୍ଥିତିର ମୁକାବିଲା ପାଇଁ ଭାରତ ମଧ୍ୟ ସୀମାରେ ନିଜ ସ୍ଥିତିକୁ ଅଧିକ ସୁଦୃଢ଼ କରିଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଜି ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ସମସ୍ତ ବୁଝାମଣାର ଉଲ୍ଲଂଘନ କରି ଚୀନ ନିୟନ୍ତ୍ରଣ ରେଖା ଗତ ମାସରୁ ସେନା ଓ ଅସ୍ତ୍ରଶସ୍ତ୍ର ମୁତୟନ କରିବାରେ ଲାଗିଛି। ଅନ୍ୟପକ୍ଷରେ ଗଲୱାନ୍ ସଂଘର୍ଷ ପାଇଁ ଭାରତକୁ ଦାୟୀ କରିଛି ଚୀନ। ଚୀନ୍ ପକ୍ଷରୁ କୁହାଯାଇଛି ଯେ ସଂଘର୍ଷ ସଂପର୍କରେ ଭାରତର ବୈଦେଶିକ ବିଭାଗ ଏବଂ ଗଣମାଧ୍ୟମ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି।

Share Now:

Kalinga News Beuro

Next Post

କରୋନା ସନ୍ଦିଗ୍ଧ ବ୍ଲକ୍ ଉପାଧ୍ୟକ୍ଷଙ୍କ ମୃତ୍ୟୁ : ପରିବାରକୁ ଶବ ଦେଲେନି, କୋଭିଡ୍‌ ହସ୍‌ପିଟାଲ୍‌ କଲେ ଦାହ

Sat Jun 27 , 2020
ଧରାକୋଟ : ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆଇସୋଲେସନ୍‌ ୱାର୍ଡ଼ରେ ଗୁରୁବାର ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁ(୭୮)ଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ଆଜି ସରକାରଙ୍କ ଗାଇଡ଼୍‌ଲାଇନ୍‌ ଅନୁସାରେ ତାଙ୍କର ଶବକୁ ଶୀତଳାପଲ୍ଲୀ କୋଭିଡ଼୍‌ ହସ୍‌ପିଟାଲରେ ସତ୍କାର କରା ଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ୮ ଦିନ ପୂର୍ବେ ଭଗବାନଙ୍କୁ ଜ୍ୱର ହେବା ସହ ଅସୁସ୍ଥତା ଅନୁଭବ କରିଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial