ମହୀଶୂର: ବାଘସଂଖ୍ୟା ବୃଦ୍ଧି ଗୌରବର କଥା ବୋଲି ଆଜି କର୍ଣ୍ଣାଟକ ଅନ୍ତର୍ଗତ ବାନ୍ଦୀପୁର ବ୍ୟାଘ୍ର ସଂରକ୍ଷଣ ପରିଦର୍ଶନ କରି ‘ଇଣ୍ଟର୍ନ୍ୟାସ୍ନାଲ୍ ବିଗ୍ କ୍ୟାଟ୍ସ୍ ଆଲିଏନ୍ସ୍’ର ଶୁଭାରମ୍ଭ କରିବା ସହିତ ‘ସର୍ବ ଭାରତୀୟ ବ୍ୟାଘ୍ର ଆକଳନ’ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଗରୁ ୨,୯୬୭ ଥିବା ଭାରତର ବ୍ୟାଘ୍ର ସଂଖ୍ୟା ବର୍ଷ ୨୦୨୨ରେ ୩,୧୬୭କୁ ବୃଦ୍ଧି ପାଇଥିବା କଥା ପ୍ରଧାନମନ୍ତ୍ରୀ ରିଲିଜ୍ କରିଥିବା ‘ଅମ୍ରିତ୍ କାଲ୍କା ଭର୍ସନ୍ ଅଫ୍ ଟାଇଗର୍ କଞ୍ଜର୍ଭେସନ୍’ ରିପୋର୍ଟରୁ ଜଣାପଡ଼ିଛି।
କର୍ଣ୍ଣାଟକର ଏହି ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତୀ ଅବସରରେ ମହୀଶୂରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଭାରତ ହେଉଛି ଗୋଟାଏ ଦେଶ ଯେଉଁଠି ପ୍ରକୃତିକୁ ସୁରକ୍ଷା ଦେବା ସଂସ୍କୃତିର ଅଂଶବିଶେଷ। ସେହି କାରଣରୁ ବନ୍ୟଜନ୍ତୁ ସଂରକ୍ଷଣରେ ଆମେ ଅନେକ ଅଭିନବ କୃତିତ୍ୱ ହାସଲ କରିଛୁ। ବୃହଦ୍କାୟ ମାର୍ଜାରମାନଙ୍କ (ବାଘ ଜାତୀୟ ଜନ୍ତୁ) ସୁରକ୍ଷା ଓ ସଂରକ୍ଷଣରେ ବ୍ୟାଘ୍ର ପ୍ରକଳ୍ପ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ବ୍ୟାଘ୍ର ପ୍ରକଳ୍ପର ସଫଳତା କେବଳ ଭାରତର ନୁହେଁ ବିଶ୍ୱର ଗୌରବ। ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ହୋଇଥିବା ବେଳେ ବିଶ୍ୱ ବାଘସଂଖ୍ୟାର ୭୫% ଭାରତରେ ଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ଆମ ଦେଶରେ ପ୍ରାୟ ୩୦,୦୦୦ ହାତୀ ଥାଇ ଆମେ ବିଶ୍ୱରେ ବୃହତ୍ତମ ଏସୀୟ ହାତୀ ଦେଶ ଭାବେ ପରିଗଣିତ ହେଉଛୁ। ଆମ ଦେଶରେ ହିଁ କେବଳ ଏସୀୟ ସିଂହ ଅଛନ୍ତି ବୋଲି ସେ କହିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବାନ୍ଦୀପୁର ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ବୁଲି ଯାଇଥିଲେ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ: ଆଜି ସକାଳ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ବାନ୍ଦୀପୁର ବ୍ୟାଘ୍ର ସଂରକ୍ଷଣରେ କଟାଇଲି। ସେଠାରେ ଭାରତର ବନ୍ୟପ୍ରାଣୀ, ପ୍ରାକୃତିକ ସୁଷମା ଓ ବିବିଧତା ଦେଖିଲି। ଏହାଛଡ଼ା, ପ୍ରଧାନମନ୍ତ୍ରୀ ପାହାଡ଼ୀ ଜିଲ୍ଲା ନୀଳଗିରିସ୍ଥିତ ମୁଡୁମଲାଇରେ ଥିବା ତେପ୍ପାକାଡୁ ହାତୀ ଶିବିର ଗସ୍ତ କରି ହାତୀମାନଙ୍କୁ ଖାଇବାକୁ ଦେଇଥିଲେ। ସେଠାରେ ସେ ମଧ୍ୟ ପ୍ରାମାଣିକ ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ’ ପାଇଁ ଖ୍ୟାତି ଅର୍ଜନ କରିଥିବା ବୋମ୍ମାନ ଓ ବେଲ୍ଲିଙ୍କୁ ଭେଟିଥିଲେ।
ବାଘସଂଖ୍ୟା ବୃଦ୍ଧି ଗୌରବର କଥା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Share Now: