ଭୁବନେଶ୍ବର: ରବିବାର ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଭେଟିଛନ୍ତି ଜଗବନ୍ଧୁ ଚାନ୍ଦ୍। ଏହି ସମୟରେ ଉଭୟଙ୍କ ମଧ୍ୟରେ ୧୫ ମିନିଟ୍ ପାଇଁ ବାର୍ତ୍ତାଳାପ ହୋଇଥିଲା। ଏହି ଅବସରରେ ଉଭୟଙ୍କ ସହ ଜେଲ ଅଧୀକ୍ଷକ ଓ ମହିଳା ୱାର୍ଡର ଉପସ୍ଥିତ ଥିଲେ। ଜେଲ୍ କାର୍ଯ୍ୟାଳୟରେ ଉଭୟଙ୍କ ଭିତରେ ଭେଟଘାଟ ହୋଇଥିଲା। ସୂଚନାଯୋଗ୍ୟ, ଯଦି ଗୋଟିଏ ଜେଲରେ ପତି-ପତ୍ନୀ ବା ପରିବାରର ଏକାଧିକ ଲୋକ ରହୁଥା’ନ୍ତି, ତେବେ ସେମାନେ ପରସ୍ପରକୁ ଭେଟିବା ପାଇଁ ଜେଲ୍ ଅଧୀକ୍ଷକଙ୍କୁ ନିବେଦନ କରିପାରିବେ। କର୍ତ୍ତୃପକ୍ଷ ସେମାନଙ୍କ ମଧ୍ୟରେ ପ୍ରକୃତରେ ପାରିବାରିକ ସଂପର୍କ ଅଛି କି ନାହିଁ, ତାହା ଯାଞ୍ଚ କରିବା ପରେ ଅନୁମତି ଦେଇପାରିବେ।
କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ପ୍ରତି ରବିବାର ସେମାନେ ମାତ୍ର ୧୫ ମିନିଟ୍ ପାଇଁ ପରସ୍ପରକୁ ଏକ ସ୍ବତନ୍ତ୍ର କୋଠରିରେ ଦେଖାସାକ୍ଷାତ କରିପାରିବେ। କିନ୍ତୁ ସାକ୍ଷାତ ସମୟରେ ଉଭୟଙ୍କ ମଝିରେ ଏକ କାଚର କବାଟ ରହିବ। କାଚର ଉଭୟ ପାର୍ଶ୍ବରେ ୨ଟି ମାଇକ୍ ରହିବ। ଉକ୍ତ ମାଇକ୍ ସହାୟତାରେ ପରସ୍ପର କଥା ହେବେ। ଏହି ସମୟରେ ଉଭୟଙ୍କ ପାଖରେ ଜଣେ ଲେଖାଁଏ କର୍ମଚାରୀ ଉପସ୍ଥିତ ରହିବ। ଏହିଭଳି ଭାବେ ଆସନ୍ତାକାଲି ଜଗବନ୍ଧୁ ତାଙ୍କ ପତ୍ନୀ ଅର୍ଚ୍ଚନାକୁ ଭେଟିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଦୁଇଦିନ ତଳେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଉଠାଇନେଇଥିଲା। ଜଗବନ୍ଧୁଙ୍କୁ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇ ପୁଲିସ ପଚରାଉଚରା କରିବା ପରେ ଗିରଫ କରିଥିଲା। ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରିବା ସହ ଅନ୍ୟ କୌଣସି ଠୋସ୍ ପ୍ରମାଣ ପାଇବା ପରେ ପୁଲିସ ଗିରଫ କରିଥିଲା। ପୂର୍ବରୁ ଜଗବନ୍ଧୁଙ୍କୁ ପୁଲିସ୍ ଥାନାକୁ ଡାକି ଛାଡ଼ିଦେଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଛଡ଼ା ଯାଇଥିବା ଚର୍ଚ୍ଚା ହୋଇଥିଲା।
ଜେଲରେ ଅର୍ଚ୍ଚନା-ଜଗବନ୍ଧୁଙ୍କ ସାକ୍ଷାତ ଓ ଆଳାପ

Share Now: