ଉପାସନା ଓ ଶୁଭ୍ରାଂଶୁଙ୍କ ବିରୋଧରେ ସଂଗିନ ଅଭିଯୋଗ

ଘର ଛାଡ଼ିଲେନି ବୋଲି ଗୁଣ୍ଡା ଲଗାଇ ଭଙ୍ଗାରୁଜା

ଘର ଛାଡ଼ିଲେନି ବୋଲି ଗୁଣ୍ଡା ଲଗାଇ ଭଙ୍ଗାରୁଜା, ୧୪ ଅଟକ

ଭୁବନେଶ୍ବର: ଗତକାଲି ଅପରାହ୍ନରେ ନୂଆପଲ୍ଲୀରେ ଘର ନ ଛାଡ଼ିବାକୁ କେନ୍ଦ୍ର କରି ୪୦ରୁ ୫୦ ‌ଯୁବକ ଓ ଦୁଇ ଜଣ ମହିଳା ଜଣେ ଭଡ଼ାଟିଆଙ୍କ ଆଇଆର୍‌ସି ଭିଲେଜରେ ଥିବା ଏନ୍‌-୩, ୨୧୧ ଘରେ ପଶି ଆତଙ୍କ ଖେଳାଇଛନ୍ତି। ସେମାନଙ୍କ ଆକ୍ରମଣରେ ଭଡ଼ାଟିଆ ପ୍ରଣବ ରାୟ ଆହତ ହୋଇଥିବାବେଳେ ଅଭିଯୁକ୍ତମାନେ ଲୁହାଛଡ଼ ଓ କାଠ ଫାଳିଆରେ ପିଟି ଘରର ଆସବାବପତ୍ର ଭାଙ୍ଗି ଦେଇଛନ୍ତି। ଅଧଘଣ୍ଟାଏରୁ ଉର୍ଦ୍ଧ୍ବ ସମୟ ଧରି ସେମାନେ ଏପରି ଉନ୍ମତ୍ତକାଣ୍ଡ ଘଟାଇବା ପରେ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଉଠାଇ ଆଣିଛି। ଅନ୍ୟମାନେ ଫେରାର ହୋଇ ଯାଇଥିବାବେଳେ ସେମାନେ ଆସିଥିବା ଏକ ଜିପ୍‌ (ଓଡି-୦୨ଏଏନ୍‌୦୦୮୦)କୁ ପୁଲିସ ଜବତ କରିଛି। ବ୍ରହ୍ମଗିରିର ପୂର୍ବତନ ବିଧାୟକ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ତାଙ୍କ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ନିଜେ ଉପସ୍ଥିତ ରହି ଏହି ଯୁବକମାନଙ୍କୁ ଭଙ୍ଗାରୁଜା କରିବାକୁ ନିର୍ଦ୍ଦେଶ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଆହତ ପ୍ରଣବ ରାୟଙ୍କ ଝିଅ ତାନ୍ୟା ରାୟଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖଛି। ଖବର ପାଇ ଡିସିପି ଉମାଶଙ୍କର ଦାଶ ସେଠାରେ ପହଞ୍ଚିଛନ୍ତି। ତେବେ ରାତି ପର୍ଯ୍ୟନ୍ତ ନୂଆପଲ୍ଲୀ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି। ତାନ୍ୟାଙ୍କ ଅଭିଯୋଗ ମୁତାବକ, ଗତକାଲି ଅପରାହ୍ନ ୪ଟା ୧୦ ବେଳେ ହଠାତ୍‌ ୨ ଜଣ ମହିଳାଙ୍କ ସମେତ ୫୦ରୁ ଅଧିକ ଯୁବକ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇ କବାଟ ଭାଙ୍ଗିବାକୁ ଉଦ୍ୟମ କରିବା ସହ ତାଙ୍କ ବାପା ପ୍ରଣବଙ୍କ ଉଦ୍ଦେଶ୍ୟରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ସେତେବେଳେ ତାଙ୍କ ବାପା ଓ ମା’ ଘରେ ନ ଥିବାରୁ ସେ ଓ ତାଙ୍କ ଭାଇ ଭୟରେ ଉପର ମହଲାରେ ଥିବା ଗୋଟିଏ ଘର ଲୁଚି ଯାଇଥିଲେ ଏବଂ ପୁଲିସ ଓ ବାପାମା’ଙ୍କୁ ଫୋନ କରିଥିଲେ। ପୁଲିସ ପହଞ୍ଚିବା ଭିତରେ ଗୁଣ୍ଡାମାନେ ଘରର କବାଟ ଭାଙ୍ଗି ଭିତରେ ପ୍ରବେଶ କରିବା ସହ ବିଭିନ୍ନ ଆ‌ସବାବପତ୍ର ବାଡେଇ ଭାଙ୍ଗି ଚାଲିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭି ମଧ୍ୟ ଭାଙ୍ଗି ଦେଇଥିଲେ। କିଛି ସମୟ ପରେ ବାପା ଆସିଥିବା ଜାଣିପାରି ସେ ତଳକୁ ଆସି ଦେଖିଲା ବେଳକୁ ତାଙ୍କ ବାପା ମାଡ଼ ଖାଇ ତଳେ ବସିଥିଲେ ଏବଂ ତାଙ୍କ କାନରୁ ରକ୍ତ ବାହାରୁଥିଲା। ଉପାସନା ମହାପାତ୍ରଙ୍କ ସମେତ ଅନ୍ୟମାନେ ତାଙ୍କୁ ଘେରି ଯାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଏତିକିବେଳେ ତାଙ୍କ ମା’ ପହଞ୍ଚିବାରୁ ସେ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ ଏବଂ ତାଙ୍କୁ ଘର ଭିତରକୁ ପଶିବାକୁ ଦେଇ ନ ଥିଲେ। ଏହାପରେ ସେମାନେ ବନ୍ଧୁକ ଓ ଛୁରି ମୁନରେ ବାପା ପ୍ରଣବଙ୍କଠାରୁ ଏକ କମ୍ପ୍ରମାଇଜ୍ ଲେଟର ଲେଖା‌ଇ ନେଇଥିଲେ। କେବଳ ସେତିକି ନୁହେଁ, ସେମାନେ ରାତିରେ ହିଁ ଘର ଛାଡ଼ିଦେବାକୁ ବାଧ୍ୟ କରିବା ସହ ନ ଛାଡ଼ିଲେ ଏମିତି ଭୋଗିବ ବୋଲି ଧମକ ଦେଇଥିଲେ। ତାନ୍ୟା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି ଗୁଣ୍ଡାମାନେ ଏହି ଅଫିସ ଘରୁ ୬୫ ହଜାର ଟଙ୍କା ନେଇଯିବା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ହାର୍ଡଡିସ୍କ ଆଦି ନଷ୍ଟ କରି ଦେଇଛନ୍ତି। ତାନ୍ୟାଙ୍କ ଏଫ୍‌ଆଇଆର୍‌ରେ ଉପାସନା ମହାପାତ୍ର, ଶୁଭ୍ରାଂଶୁ ବିଶ୍ବାଳ, ଶେକ୍ ସିରାଜୁଦ୍ଦିନ, କ୍ରାନ୍ତି ମହାପାତ୍ର, ନିତିନ ନାୟକ, ସନ୍ତୋଷ ରାଜୁ, ବିଜୟ ନାୟକ, ଜଗନ ପଣ୍ଡିତ, ଧର୍ମୁ ସେଠୀ, ବାବା ଅରବିନ୍ଦ, ସୋନା ଦାସ, ସୁନିତ ନନ୍ଦନ ମହାନ୍ତି, ଅରବିନ୍ଦ ମିଶ୍ର, ସମ୍ବିତ ଖୁଣ୍ଟିଆ, ମନୋରଂଜନ ମିଶ୍ର,ରଂଜିତ କୁମାର ଜେନା, ବିକା‌ଶ ବଳବନ୍ତ ରାୟ, ନୀଳକଣ୍ଠ ଜେନା ଆଦି ୧୮ ଜଣଙ୍କ ନାଁ ରହିଥିବାବେଳେ ୫୦ରୁ ଊର୍ଦ୍ଧ୍ବ ସାମିଲ ଥିଲେ ବୋଲି ଉଲ୍ଲେଖ ରହିଛି।
ମିଳିଥିବା ସୂଚନା ମୁତାବକ, ନୂଆପଲ୍ଲୀରେ ଥିବା ବିଜୟ ନାୟକଙ୍କ ଏହି ଘରକୁ ଲୁଲୁ ମହାପାତ୍ରଙ୍କ ଜ୍ବାଇଁ ଶୁଭ୍ରାଂଶୁ ବିଶ୍ବାଳ କିଣିଥିଲେ। ମାସେ ତଳେ କିଣାବିକାର ପ୍ରକ୍ରିୟା ସରିଥିଲା। ଏହି ଘରର ଗ୍ରାଉଣ୍ଡ ଫ୍ଲୋର୍‌ରେ ଦେଢ଼ ବର୍ଷ ହେବ ପ୍ରଣବ ରାୟ ଭଡ଼ାସୂତ୍ରରେ ନେଇ ତାଙ୍କ କନ୍‌ଷ୍ଟ୍ରକସନ୍ କମ୍ପାନିର ଅଫିସ୍‌ କରିଥିବାବେଳେ ଉପର ମହଲାରେ ସପରିବାର ରହୁଥିଲେ। ଘର କିଣାବିକା ହେବା ବେଳେ ପ୍ରଣବଙ୍କୁ ଘର ଛାଡ଼ିବା ପାଇଁ କୁହାଯାଇଥିଲା। ମାତ୍ର ପ୍ରଣବ ଘରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଇଣ୍ଟିରିୟର ଡେକୋରେଟିଂ କରିଥିବାରୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଏ ନେଇ ସ୍ଥିତାବସ୍ଥା ଜାରି କରିଥିଲେ ବୋଲି ପ୍ରଣବ କହିଛନ୍ତି। ଅନ୍ୟପଟେ ପ୍ରଣବ ଘର ଛାଡ଼ୁନଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିଲା ବୋଲି ଘର ମାଲିକ ବିଜୟ ନାୟକ କହିଛନ୍ତି। ତେବେ ଏ ନେଇ ଉପାସନା ବା ଶୁଭ୍ରାଂଶୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ୩୦ରୁ ୪୦ ଯୁବକ ଆତଙ୍କ ଖେଳାଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୪ ଜଣଙ୍କୁ ଅଟକ ରଖିଛି। ଅନ୍ୟମାନଙ୍କୁ ଖୋଜା ଚାଲିଛି। ଭଡ଼ାଟିଆ ଆହତ ହୋଇଛନ୍ତି। ତାଙ୍କୁ ହସ୍‌ପିଟାଲ ନିଆଯାଇଛି। ଶାନ୍ତି ବଜାୟ ରଖିବାପାଇଁ ସେଠାରେ ପୁଲିସ ମୁତୟନ କରାଯାଇଛି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି କରୋନା ଟିକା

Wed Mar 17 , 2021
ପୁରୀ: କୋଭିଡ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଜିଠାରୁ ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ। ଟିକାଦାନର ସମୟ ରହିଛି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ। ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକ ହଲରେ ଭ୍ୟାକ୍ସିନେସନ କ୍ୟାମ୍ପ କରାଯାଇଛି। ୬୦ ବର୍ଷରୁ ଅଧିକ ସେବାୟତମାନେ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି। ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ରହିଥିବା ସେବାୟତଙ୍କୁ ଟିକାକରଣ କରାଯାଉଛି। ୨ଟି କାଟାଗୋରୀରେ କେବଳ […]
‘କୋଭାକ୍ସିନ୍‌’ ଟିକାର ମାନବ ପରୀକ୍ଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial