ଶବ ବ୍ୟବଛେଦ ପାଇଁ ୬ ଶହ ଟଙ୍କା ଲାଞ୍ଚ ଅଭିଯୋଗ

ଶବ ବ୍ୟବଛେଦ ପାଇଁ ୬ ଶହ ଟଙ୍କା ଲାଞ୍ଚ

ରାଇରଙ୍ଗପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ନିମନ୍ତେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ପ୍ରକୃତ ଲୋକ ସେଥିରୁ ବଞ୍ଚିତ ହେଉଛନ୍ତି। ସବୁବେଳେ ଲୁଣ୍ଠିତ ହେଉଥିବା ଅଭିଯୋଗ ହେଉଛି। ତେବେ ଏଭଳି ଘଟଣା ରାଇରଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ଜଣେ ଗରିବ ଶ୍ରେଣୀର ମହିଳା ନିଜ ମା’ଙ୍କ ଶବ ବ୍ୟବଛେଦ ପାଇଁ ଉପଖଣ୍ଡ ଡାକ୍ତରଖାନାରେ ୬ ଶହ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଅଛି। ତେବେ ମହିଳା ଜଣକ ସେହି ଟଙ୍କା ମଧ୍ୟ ଗାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ଧାର ଆକାରରେ ନେଇଥିଲେ ବୋଲି ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ବହଳଦା ବ୍ଲକର ବହଳଦା ଗ୍ରାମ ପଞ୍ଚାୟତ ଚିରୁଗୋଡା ଗାଁର ସ୍ୱର୍ଗତ ହରେକୃଷ୍ଣ ମହାନ୍ତଙ୍କ ସ୍ତ୍ରୀ ବାସନ୍ତୀ ମହାନ୍ତ (୫୬ ବର୍ଷ) ତାଙ୍କ ପୁତ୍ର ଡାକ୍ତର ମହାନ୍ତ ସହ ରହୁଥିଲେ। ମଙ୍ଗଳବାର ସନ୍ଧ୍ୟା ସମୟରେ ବାସନ୍ତୀ ମହାନ୍ତଙ୍କ ଛାତିରେ ଯନ୍ତ୍ରଣା ହବାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ପୁତ୍ର ଡାକ୍ତର ମହାନ୍ତ ଭଉଣୀମାନଙ୍କୁ ସୂଚନା ଦେବା ପରେ ମା’ଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଆସିବା ପାଇଁ ବିଳମ୍ବ ହେଉଥିବାରୁ ଭାଇ ଡାକ୍ତର ଓ ଭଉଣୀ ସରସ୍ୱତୀ ମିଶି ଏକ ବାଇକରେ ନେଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ବହଳଦା ଥାନା ପୁଲିସ ହସ୍ପିଟାଲ୍ ପହଁଚି ତଦନ୍ତ ଶବକୁ ଜବତ କରି ଏକ ମାମଲା ରୁଜୁ କରି ମହିଳାଙ୍କ ଶବ ବ୍ୟବଛେଦ କରାଇଥିଲେ। ତେବେ ୬ ଶହ ଟଙ୍କା ନଦେଲେ ଶବ ଦିଆଯିବ ନାହିଁ ବୋଲି କର୍ମଚାରୀମାନେ କହିଥିଲେ। ପରେ ମୃତକଙ୍କ ଝିଅ ସୋମବାରୀ ମହାନ୍ତ ବାଧ୍ୟ ହୋଇ ଧାର କରିଥିବା ୬ ଶହ ଟଙ୍କା ଶବ ବ୍ୟବଛେଦ କରିଥିବା କର୍ମଚାରୀମାନଙ୍କୁ ଦେଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ଜେଏମଏମ ରାଜ୍ୟ ସଭାପତି ଅଂଜନୀ ସୋରେନଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ କମିଟି ସଦସ୍ୟ ସାଲୁ କିସ୍କୁ , ଘନଶ୍ୟାମ ପିଙ୍ଗୁଆ, ଧୀରେନ ମାର୍ଣ୍ଡି ଓ ଅନ୍ୟମାନଙ୍କ ସହ ଡାକ୍ତରଖାନା ପହଞ୍ଚିଥିଲେ ଏବଂ ରାଇରଙ୍ଗପୁର ଏସଡିଏମଓ ରବୀନ୍ଦ୍ରନାଥ ମରାଣ୍ଡିଙ୍କୁ ଶବ ବ୍ୟବଛେଦ ପାଇଁ ଗରିବ ଲୋକ ମାନଙ୍କ ଠାରୁ ଲାଞ୍ଚ ନେଉଥିବା ଘଟଣା ସମ୍ପର୍କରେ ଅବଗତ କରିଥିଲେ ଏବଂ ଉକ୍ତ ଘଟଣାକୁ ନିନ୍ଦା କରିବା ସହ କର୍ମଚାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିକରିଥିଲେ। ଏହା ପରେ ଜେଏମଏମ କର୍ମୀଙ୍କ ନିବେଦନ କ୍ରମେ ବିନା ମୂଲ୍ୟରେ ସ୍ୱର୍ଗରଥ ଗାଡ଼ିରେ ମୃତଦେହକୁ ଗାଁକୁ ନିଆଯାଇଥିଲା। ଶବ ଗାଁକୁ ପହଁଚିଲା ପରେ ବହଳଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ହାଁସଦା ସେଠାକୁ ଯାଇ ପହଞ୍ଚିଥିଲେ ଏବଂ ମୃତକ ପରିବାରକୁ ସମବେଦନା ଜଣାଇବା ପରେ ହରିଶଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ତେବେ ଏହିପରି ଘଟଣା ପୂର୍ବରୁ ଉପଖଣ୍ଡ ଚିକିତ୍ସଳୟରେ ଘଟିଛି ଏବଂ ଅଭିଯୋଗ ପରେ କର୍ମଚାରୀମାନଙ୍କୁ ବହିଷ୍କୃତ କଲା ପରେ ସୁଧୁରୁ ନାହାଁନ୍ତି।

Share Now:

Kalinga News Beuro

Next Post

ଭାରତ ବନାମ ଇଣ୍ଡିଆ ବିବାଦ : ଏପରି କଥା କହିଲା ଜାତିସଂଘ

Thu Sep 7 , 2023
ନୂଆଦିଲ୍ଲୀ: ଇଣ୍ଡିଆ ବନାମ ଭାରତ ବିବାଦ ମଧ୍ୟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟାରେସ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶମାନଙ୍କଠାରୁ ଔପଚାରିକ ଆବେଦନ ଆସିଲେ ତାହା ଉପରେ ଜାତିସଂଘ ବିଚାର କରିଥାଏ। ତୁର୍କୀର ଉଦାହରଣ ଦେଇ ସେ କହିଛନ୍ତି ଯେ ତୁର୍କୀର ନାମକୁ ତୁର୍କୀଏ କରିବାକୁ ସେଠାକାର ସରକାର ଔପଚାରିକଭାବେ ଜାତିସଂଘ ନିକଟରେ ଆବେଦନ କରିଥିଲେ। ଭାରତ ଯେପରି ନିଜ ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଏ, […]
ଭାରତ ବନାମ ଇଣ୍ଡିଆ ବିବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial