ଭୁବନେଶ୍ବର: ଏକ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିଥିବା ଜଣେ ନାବାଳକ ଛାତ୍ର ରାଜଧାନୀରେ ଯୌନ ନିର୍ଯାତନାର ଶିକାର ହେବା ଭଳି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ ପରିବାର ପକ୍ଷରୁ ଭୁବନେଶ୍ବର ଡିସିପିଙ୍କ ନିକଟରେ ଅଭିଯୋଗ ହେବା ପରେ ଯୌନ ନିର୍ଯାତନା ଖବର ଗଣମାଧ୍ୟମକୁ ଆସିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଛାତ୍ରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତଙ୍କ ବୟସ ୧୬ ବର୍ଷ ଓ ସେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ରାଉରରେଲାର ଏହି ଛାତ୍ରଙ୍କୁ ଭୁବନେଶ୍ୱରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଛାତ୍ରଙ୍କୁ ନିର୍ଯାତନା ଦିଆଯିବା ସହ ନିର୍ଯାତନାକାରୀମାନେ ମୋବାଇଲରେ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ନିର୍ଯାତନାର ଶିକାର ହେବା ପରେ ଛାତ୍ର ଜଣକ ଲଜ୍ଜିତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଏପରି ସମୟରେ ଛାତ୍ରଙ୍କୁ ତାଙ୍କ ମା’ ଉଦ୍ଧାର କରିଥିଲେ। ଏହା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏବେ ଏହି ଘଟଣା ନେଇ ଡିସିପିଙ୍କୁ ଭେଟି କାର୍ଯାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ। ସେପଟେ ଏହି ମାମଲା ନେଇ ପ୍ରତିକ୍ରିୟା ରଖିଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ସେ କହିଥିଲେ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି ଓ ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି। ପ୍ରାଥମିକ ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରାଯାଇଛି। ଲଙ୍ଗ୍ ଜମ୍ପ ବିଭାଗରେ ଅସଫଳ ହେବାରୁ ସିନିୟର ଖେଳାଳିମାନେ ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ। ଏ ନେଇ ନାବାଳକଙ୍କ ପରିବାର ଲୋକ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପରେ ନାବାଳକଙ୍କ ପରିବାର ଲୋକେ ଡିସିିପିଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବା ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ରାଜଧାନୀରେ ଚାଞ୍ଚଲ୍ୟ : ନାବାଳକ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ୩ ଗିରଫ

Share Now: