୩ରୁ ରାଜ୍ୟରେ ପୁଣି ହାଲୁକା ବର୍ଷା:ଗୋଟିଏ ଦୁଇଟି ସ୍ଥାନରେ ରହିପାରେ କୋହଲା ପାଗ

ଭୁବନେଶ୍ୱର : ଆଜି ସକାଳେ ଭୁବନେଶ୍ୱରରେ ସାମାନ୍ୟ ବର୍ଷା ହୋଇଯାଇଛି। ମାତ୍ର ଆସନ୍ତା ୩ ଦିନ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଧିକ ଥଣ୍ଡା ହେବ ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ କୋହଲା ପାଗ ରହିପାରେ। ତେବେ ଫେବୃୟାରୀ ୩ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଥଣ୍ଡା କମିବା ସହ ସ୍ୱଳ୍ପ ବର୍ଷା ହୋଇପାରେ। ୩ ଦିନ ଧରି କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆକଳନ ଅନୁଯାୟୀ, ୩୦ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ଘଡ଼ଘଡ଼ି ସହ ବଜ୍ରପାତ ହେବ। ଏଥିସହ ‌ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ। ତାହାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୧ ତାରିଖରେ କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲି ଯାଇଛି। ପାରାଦୀପ, ଭୁବନେଶ୍ୱର, ପୁରୀ, ଗୋପାଳପୁର, ଛତ୍ରପୁର, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଟପିଛି। ଗତକାଲି ଦିନ ସମୟରେ ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୩.୧ ଡିଗ୍ରି ଥିବା ବେଳେ ଭୁବନେଶ୍ୱରରେ ୩୩ ଡିଗ୍ରି ରେକର୍ଡ କରାଯାଇଥିଲା। ବାରିପଦାରେ ସର୍ବାଧିକ ୧୬ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୧, ପାରାଦୀପରେ ୮, ନୟାଗଡ଼ରେ ୨.୧ ମିମି ବର୍ଷା ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ‌ଯେ ଗୁରୁବାର ପୂର୍ବାହ୍ନରେ ଉପକୂଳବର୍ତୀ ଅଞ୍ଚଳରେ ପାଗ ସାମାନ୍ୟ ମେଘୁଆ ରହିବ। ଦୁଇ ଦିନ ଧରି କୁହୁଡ଼ି ଲାଗି ରହିବ। ତେବେ ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଗୁରୁବାର ଓ ଶୁକ୍ରବାର ରାତିରେ ରଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବ। ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ ଅଧିକ କମିବ। ବର୍ତମାନ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଗୁରୁଚାପ ବଳୟ ୪ ତାରିଖ ବେଳକୁ ଓଡ଼ିଶା ପାଖରେ ରହିବ। ଯାହାଦ୍ବାରା ବଙ୍ଗୋପସାଗରୀୟ ପବନ ଓଡ଼ିଶାକୁ ବହିବ। ତେଣୁ ଦକ୍ଷିଣ ଉପକୂଳ ଅର୍ଥାତ୍‌ ଖୋର୍ଦ୍ଧାଠାରୁ ଦକ୍ଷିଣରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୧ ତାରିଖଠାରୁ ଥଣ୍ଡା ଧୀରେ ଧୀରେ କମିବାକୁ ଥିବା ବେଳେ ୪ ତାରିଖଠାରୁ ବିଶେଷ ଭାବେ କମିବ। ୪ ଓ ୫ ତାରିଖରେ କୁହୁଡ଼ି ରହିବ। ସର୍ବନିମ୍ନ ତାପମାତ୍ରା ବଢ଼ିବ। ଥଣ୍ଡା ହେବ ନାହିଁ।

Share Now:

Kalinga News Beuro

Leave a Reply

Next Post

କ‌ରୋନା ଭାଇରସ୍‌ : ୩୦ ରାଷ୍ଟ୍ର ପାଇଁ ବଡ଼ ବିପଦ

Thu Jan 30 , 2020
ଚୀନ୍‌ରେ ମୃତ୍ୟୁସଂଖ୍ୟା ୧୩୨, ୬୦୫୫ ଭାଇରସ୍‌ ଆକ୍ରାନ୍ତ; କେରଳରେ ୬୩୩ ଜଣ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍‌ ଚୀନ୍‌ରେ ୧୩୨ ଜଣଙ୍କ ଜୀବନ ନେଲାଣି। ଆହୁରି ୬,୦୫୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ଏବେ ପ୍ରାୟ ୧୫ଟି ରାଷ୍ଟ୍ରକୁ କରୋନା ଭାଇରସ୍‌ ବ୍ୟାପିଥିବା ବେଳେ ଭାରତ ସମେତ ୩୦ ରାଷ୍ଟ୍ରରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial