ସହରୀ ଆବର୍ଜନାରେ ଭର୍ତ୍ତି ବଇଦି ବନ୍ଧ : ପରିତ୍ୟକ୍ତ ଅବସ୍ଥାରେ ୧୦ ଗାଁର ୨୫ ପୋଖରୀ

ସହରୀ ଆବର୍ଜନାରେ ଭର୍ତ୍ତି ବଇଦି ବନ୍ଧ

ଜୀବନରେଖା ଏବେ ବିପଦର କାରଣ

ଖଣ୍ଡଗିରି: ଏକଦା ଭୁବନେଶ୍ୱର ଉପକଣ୍ଠର ଜୀବନରେଖା କୁହାଯାଉଥିବା ‘ବଇଦି ବନ୍ଧ’ (ନୟନଯୋରି) ଏବେ ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ସହରୀ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବା ଏହି ଜୋର ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ତା’ ସହିତ ଏହି ଜୋରର ଆବର୍ଜନା ପାଣି ଏବେ ପାଖଆଖ ଗାଁର ପୋଖରୀ ଓ କୂଅର ପାଣିକୁ ମଧ୍ୟ ପ୍ରଭାବିତ କଲାଣି। କୂଅପାଣି ପ୍ରବଳ ଗନ୍ଧ ହେଉଥିବାରୁ ବ୍ୟବହାର କରି ହେଉନାହିଁ। ସେପଟେ ଜୋରରୁ ପାଣି ଉଛୁଳି କିଛି ପୋଖରୀରେ ମିଶି ତା’କୁ ବିଷାକ୍ତ କରି ସାରିଲାଣି। କେତେକ ଜାଗାରେ ପୋଖରୀରେ ସିଧାସଳଖ ମିଶୁନଥିଲେ ମଧ୍ୟ ଜମୁଥିବାରୁ ପାଖ ପୋଖରୀ ନଷ୍ଟ ହୋଇଗଲାଣି। ଏଥିଯୋଗୁ ସହର ଉପକଣ୍ଠରେ ଥିବା ୧୦ ଗାଁର ପ୍ରାୟ ୨୫ଟି ପୋଖରୀ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏହାର ପୁନରୁଦ୍ଧାର ଯୋଜନା ନଥିବାରୁ ନିକଟ ଭବିଷ୍ୟତରେ ଏହି ବିଷାକ୍ତ ପ୍ରଭାବର ପରିସର ଆହୁରି ବ୍ୟାପକ ହେବାର ଆଶଙ୍କା ରହିଛି।
ଚନ୍ଦକାରୁ ବାହାରି ଗଙ୍ଗୁଆରେ ମିଶିଥିବା ଏହି ନୟନଯୋରି ପୂର୍ବେ ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଟିପି ସ୍କିମ୍‌ରେ ଏହାକୁ ବିଡିଏ ନେଇଯାଇଛି। ପୂର୍ବରୁ ଏହାର ପାଣିକୁ ସ୍ଥାନୀୟ ଲୋକ କେବଳ ଚାଷ ପାଇଁ ନୁହେଁ, ପିଇବା ପାଇଁ ମଧ୍ୟ ବ୍ୟବହାର କରୁଥିଲେ। ଏଥିରୁ ମାଛ ମାରିବା ପାଇଁ ନିଲାମ ମଧ୍ୟ ହେଉଥିଲା। ଏହାର ଉଭୟ ପାର୍ଶ୍ଵରେ ଥିବା ନୂଆଗାଁ, ଶ୍ୟାମପୁର, ନାରଗୋଦା, ସିଜିପୁଟ, ତମାଣ୍ଡୋ, ମହୁରା, ବାଲିଆପଡ଼ା, କାଶୀପୁର, ପାଇକରାପୁର ପଞ୍ଚାୟତ, ତମାଣ୍ଡୋ, ମଦନପୁର, ନଁପୁଟ, ପଞ୍ଚୁପଲ୍ଲୀ, ବ୍ରହ୍ମକୁଣ୍ଡଳ, ସାନନୂଆଗାଁ ପ୍ରଭୃତି ଅଞ୍ଚଳର ‌ହଜାର ହଜାର ବାସିନ୍ଦା ଏହାର ପାଣି ଓ ମାଛ ଦ୍ୱାରା ଉପକୃତ ହେଉଥିଲେ। ତେବେ କ୍ରମେ ଏହା ସଙ୍କୁଚିତ ହୋଇଗଲା। ତଥାପି ଯେତିକି ଜାଗାରେ ପାଣି ରହୁଥିଲା, ତାହାକୁ ସ୍ଥାନୀୟ ଲୋକେ ବ୍ୟବହାର କରୁଥିଲେ। ତେବେ କାଳକ୍ରମେ ଏହାର ଉଭୟପାର୍ଶ୍ଵରେ ଆବାସିକ ଘର ସହିତ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଲା। କେତେକ ଆଇନସମ୍ମତ ଓ କେତେକ ବେଆଇନ ନିର୍ମାଣ ମଧ୍ୟ ହେଲା। ଅନେକ ନିର୍ମାଣରେ ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ସେମାନେ ସିଧାସଳଖ ଏହି ଜୋରକୁ ବର୍ଜ୍ୟଜଳ ସହ ପାଇଖାନା ବର୍ଜ୍ୟ ମଧ୍ୟ ଛାଡ଼ିଲେ। ଫଳରେ ଏହା ପ୍ରଦୂଷିତ ହେବାକୁ ଲାଗିଲା। ଜୋରକୁ କେତେକ ଲୋକ ଜବରଦଖଲ କରିବାରୁ ଏହାର ପାଣି ମଧ୍ୟ ଶତପ୍ରତିଶତ ନିଷ୍କାସିତ ହୋଇ ପାରିଲା ନାହିଁ। ଫଳରେ ଜୋରରେ ଥିବା ଖାଲରେ ପୋଖରୀ ଭଳି ପାଣି ଜମିରହି ପଚିଲା। ବର୍ଷାଦିନେ ସେ ପାଣି ଉଛୁଳି ଆଖପାଖର ପୋଖରୀରେ ମିଶିଲା। ବର୍ଷ ବର୍ଷ ପାଣି ଜମିରହି ଭୂତଳ ଜଳକୁ ବି ପ୍ରଭାବିତ କଲା ଓ ଆଖପାଖର କୂଅପାଣିକୁ ପ୍ରଭାବିତ କଲା।
ଏ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିଳାସିନୀ ପ୍ରଧାନ କହନ୍ତି, ୧୦/୧୨ ବର୍ଷ ହେବ ଏହା ଆଉ ବ୍ୟବହାର ଉପଯୋଗୀ ହେଉନାହିଁ। ବ୍ୟବହାର ବଦଳରେ ଏହାର ପାଣି ଏବେ ପୋଖରୀ, କୂଅକୁ ଖରାପ କରିସାରିଲାଣି। ଜୋରକୁ ଲାଗି ଏକାଧିକ ସରକାରୀ ଓ ବେସରକାରୀ ହସ୍‌ପିଟାଲ୍‌ ରହିଥିବାରୁ ଏଥିରେ ମେଡିକାଲ୍‌ ବର୍ଜ୍ୟ ମଧ୍ୟ ନିୟମିତ ପଡୁଛି। ସେ ପାଣି ପୋଖରୀରେ ପଶୁଛି ଓ ପୋଖରୀରୁ ବି ବେଳେବେଳେ ଇଞ୍ଜେକସନ ସିରିଞ୍ଜ ବାହାରୁଛି। ତୁଠ କାମରେ ବି ଆଉ ସେ ପାଣିକୁ ବ୍ୟବହାର କରିହେଉ ନାହିଁ। ଆଉ ଜଣେ ବାସିନ୍ଦା ଶ୍ରୀକାନ୍ତ ସ୍ୱାଇଁ କହିଛନ୍ତି, ଟିପି ସ୍କିମ୍‌ କାମ ହେଲାଣି। ଲୋକେ ଘର କରି ରହିବା ପରେ ଆହୁରି ଆବର୍ଜନା ବଢ଼ିବ। ଏଣେ ଏହି ଅଞ୍ଚଳରେ ସରକାରୀ ଓ ବେସରକାରୀ ନିର୍ମାଣ ଦ୍ରୁତଗତିରେ ବଢ଼ି ଚାଲିଛି। କିନ୍ତୁ ତାହାର ପାଣି ନିଷ୍କାସନ କରିବାକୁ ନାଳ ନାହିଁ କି ଖେଳା ଯାଉନାହିଁ। ଏଣୁ ପାଣି ନିଷ୍କାସନ କରିବାକୁ ସମସ୍ତେ ଏହି ଜୋରକୁ ବ୍ୟବହାର କରୁଛନ୍ତି। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଏ ପ୍ରସଙ୍ଗରେ ତମାଣ୍ଡୋ ପଞ୍ଚାୟତ ସରପଞ୍ଚ ସନ୍ଧ୍ୟା ଜେନା ମଧ୍ୟ ସମାନ କଥା କହିଛନ୍ତି। ତମାଣ୍ଡୋ ଅଞ୍ଚଳ ବିଏମ୍‌ସି ସୀମାରେ ରହୁଛି। ଏହି ଅଞ୍ଚଳରେ ନିର୍ମାଣ ବଢ଼ିଛି। ଅନେକ ଆପାର୍ଟମେଣ୍ଟର ଜଳ ନିଷ୍କାସନ ବ୍ୟବସ୍ଥା ନଥିଲେ ମଧ୍ୟ ବେଆଇନ ଭାବରେ ସେମାନେ ନିର୍ମାଣ ସ୍ୱୀକୃତି ପାଇଛନ୍ତି। ତେଣୁ ଏଭଳି ଅବସ୍ଥା ହୋଇଛି। ଏହାର ସମାଧାନ ତୁରନ୍ତ ନକଲେ ସ୍ଥିତି ଆହୁରି ଭୟଙ୍କର ହେବ। ଏ ନେଇ ଆମେ ବିଡିଏକୁ ଲିଖିତ ଭାବେ ଜଣାଇଛୁ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ନିଆଁ : ୧୦ ଦିନରେ ୧୪ ବନାଗ୍ନି

Wed Apr 24 , 2024
ଗୁଳ୍ମ ପ୍ରଜାତି ନଷ୍ଟ ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ଜଙ୍ଗଲ ନିଆଁ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ ହେଁ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଛି। କେତେବେଳେ ଡମପଡ଼ା ରେଞ୍ଜରେ ତ ଆଉ କେତେବେଳେ କୁଜିମହଲ ବିଟ୍‌ରେ ଗଛ ଜଳିପୋଡ଼ି ପାଉଁଶ ହୋଇଯାଉଛି। ୨୪ ଦିନ ହେଲା ଅଭୟାରଣ୍ୟରେ ବାରମ୍ବାର ନିଆଁ ଲାଗୁଥିଲେ ମଧ୍ୟ ଅସାମାଜିକତତ୍ତ୍ୱଙ୍କୁ ଠାବ କରିବାରେ ବନ […]
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ନିଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial