ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି : ୫-ଟି ସଚିବ ଭି.କେ.ପାଣ୍ଡିଆନ

ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି

ଗଜପତି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ବିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ। ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ପାଣ୍ଡିଆନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଛେଳିଗଡ ଜଳସେଚନ ପ୍ରକଳ୍ପ ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍‌ସ୍ଥିତ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି। ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ।
ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍‌ ମିଟର ପାଣି ମିଳିପାରିବ। ଏହାସହିତ ଗଜପତି ଜିଲ୍ଲାର ଶିଆଳି ଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ। ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ ଏବଂ ୩ଟି ଥଇଥାନ କଲୋନୀର କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ଏଠାରେ ଲୋକମାନେ ରହିବା ଆରମ୍ଭ କଲେଣି। ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ୨୦୨୫-୨୬ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ। ଏହାପରେ ପାଣ୍ଡିଆନ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖିଥିଲେ ଏବଂ ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍‌ ରୋଡ ଅଞ୍ଚଳକୁ ଯାଇଥିଲେ ଏବଂ ଏହାର କାମ ଯେପରି ଶୀଘ୍ର ଆରମ୍ଭ ହେବ, ସେଥିପାଇଁ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ବାଇପାସ୍ ପାଇଁ ଚାଳିଶ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପରେ ସେଠାରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲ୍‌କୁ ମଧ୍ୟ ବୁଲି ଦେଖିଥିଲେ। ଟାଉନ ହଲ୍ କାମ ଶେଷ କରିବା ପାଇଁ ଦେଢ଼ କୋଟି ଟଙ୍କା ଯୋଗାଇଦିଆଯିବ ବୋଲି ପାଣ୍ଡିଆନ୍ ସୂଚନା ଦେଇଥିଲେ। ସେହିପରି ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ରାମ ସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ୧୫ ଦିନ ଭିତରେ ଡିପିଆର ପ୍ରସ୍ତୁତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ।

Share Now:

Kalinga News Beuro

Next Post

ପାକିସ୍ତାନରେ ଲାଗିପାରେ ଜରୁରୀ ପରିସ୍ଥିତି : ସ୍ଥିତି ଉପରେ ଭାରତର ତୀକ୍ଷଣ ନଜର

Wed May 10 , 2023
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ ହେବା ପରେ ସମଗ୍ର ଦେଶରେ ହିଂସା ବ୍ୟାପିବାରେ ଲାଗିଛି। ପାକିସ୍ତାନ ଧୀରେ ଧୀରେ ଗୃହଯୁଦ୍ଧ ଆଡ଼କୁ ଗତି କରୁଥିବା ଆଶଙ୍କା କରାଯାଉଛି। ଏପରିସ୍ଥିତିରେ ପାକିସ୍ତାନରେ ଜରୁରୀ ପରିସ୍ଥିତି ଲଗାଇବାକୁ ସେଠାକାର ସରକାର ବିଚାର କରୁଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଘନ ଘନ ବୈଠକ ଚାଲିଛି। ଜରୁରୀ ପରିସ୍ଥିତି ଲାଗିବା ପରେ […]
ପାକିସ୍ତାନରେ ଲାଗିପାରେ ଜରୁରୀ ପରିସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial