ଭିକାରିମୁକ୍ତ ହୋଇପାରୁନି ରାଜଧାନୀ : ମନ୍ଦିର ଦୁଆରେ ଲାଳସା ବଢ଼ାଉଛନ୍ତି ଦାତା

ଭିକାରିମୁକ୍ତ ହୋଇପାରୁନି ରାଜଧାନୀ

ଭୁବନେଶ୍ୱର: ରାଜଧାନୀକୁ ଭିକାରିମୁକ୍ତ କରିବାକୁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଅସହାୟ, ନିରାଶ୍ରୟ ଓ ଭିକାରିମାନଙ୍କ ପାଇଁ ଥଇଥାନା କେନ୍ଦ୍ର ନିର୍ମାଣ କରାଯାଇଛି। ସେଠାରେ ନିଶୁଳ୍କ ଖାଇବା, ପିଇବା ଓ ରହଣି ବ୍ୟବସ୍ଥା ସହିତ ରୋଜଗାରକ୍ଷମ ହେବା ପାଇଁ ବିଭିନ୍ନ ତାଲିମ ଦିଆଯାଉଛି। କିନ୍ତୁ ଏସବୁ ପରେ ବି ରାଜଧାନୀ ଭିକାରିମୁକ୍ତ ହେବା ସମ୍ଭବ ହୋଇପାରୁନାହିଁ। ବିଭିନ୍ନ ସମୟରେ ଅଣଓଡ଼ିଆ ବଞ୍ଜାରାମାନେ ଭିକ ମାଗୁଥିବା ଦେଖିବାକୁ ମିଳୁଛି। ସେହିଭଳି ବିଭିନ୍ନ ମନ୍ଦିର ଦୁଆରେ ମଧ୍ୟ ଓଡ଼ିଆ ଲୋକଙ୍କୁ ଭିକ ମାଗିବା ଦେଖିବାକୁ ମିଳୁଛି। ସଂକ୍ରାନ୍ତିରେ ବିଭିନ୍ନ ଶିବ ମନ୍ଦିର, ଶନିମନ୍ଦିରରେ ଶନିବାର ଓ ମହାବୀରଙ୍କ ମନ୍ଦିରରେ ମଙ୍ଗଳବାର ଭିକାରିମାନଙ୍କୁ ଦେଖିବାକୁ ମିଳୁଛି। ପାତ୍ରପଡ଼ା ଶନିମନ୍ଦିରକୁ ଉଦାହରଣ ଭାବେ ନିଆଯାଇପାରେ। ପ୍ରତି ଶନିବାର ଏଠାକୁ ବହୁ ଶ୍ରଦ୍ଧାଳୁ ଆସିଥାଆନ୍ତି। ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ତେଣୁ ସକାଳୁ ସକାଳୁ ୨୦ରୁ ୩୦ ମହିଳା ଓ ପୁରୁଷ ଭିକ ମାଗିବାକୁ ଏଠାରେ ଧାଡ଼ିବାନ୍ଧି ବସିଯାଆନ୍ତି। ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସୁଥିବା ପ୍ରାୟ ସମସ୍ତ ମହିଳା ଓ ପୁରୁଷ ସେମାନଙ୍କୁ ଟଙ୍କା ବଢ଼ାଇଦିଅନ୍ତି। ଭିକାରିଙ୍କୁ କିଛି ଦାନ ନ ଦେଲେ, ମନ୍ଦିରକୁ ଆସି ପୂଜା କରିବା ଅଧୁରା ରହିଯାଏ ବୋଲି ସେମାନଙ୍କ ବିଶ୍ୱାସ। ତେଣୁ ଦାତାମାନେ ଖୁସିରେ ସବୁ ଭିକାରିଙ୍କ ଥାଳିରେ ପଇସା ପକାଇଦିଅନ୍ତି। ପ୍ରତି ଶନିବାର ଭିକାରିମାନେ ମୁଣ୍ଡପିଛା ୩୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ପାଇଯାଆନ୍ତି। ଫଳରେ ସେମାନଙ୍କ ମନରେ ଲାଳସା ବଢ଼ିଯାଏ ଏବଂ ପ୍ରତି ଶନିବାର ସେମାନେ ମନ୍ଦିରକୁ ଛୁଟିଆସନ୍ତି। କେବଳ ପାତ୍ରପଡ଼ା ଶନିମନ୍ଦିରରେ ଏ ଦୃଶ୍ୟ ଦେଖିବାକୁ ମିଳେନି, ରାଜଧାନୀର ପ୍ରାୟ ସବୁ ଶନିମନ୍ଦିରରେ ଏହି ଚିତ୍ର ଦେଖିବାକୁ ମିଳେ। ବାଣୀବିହାର ଶନିମନ୍ଦିରରେ ମଧ୍ୟ ପ୍ରତି ଶନିବାର ଭିକାରିମାନ‌ଙ୍କୁ ବସିଥିବାର ଦେଖିବାକୁ ମିଳେ। ସେହିଭଳି ରାଜଧାନୀର ବିଭିନ୍ନ ମହାବୀର ମନ୍ଦିରରେ ମଙ୍ଗଳବାର ଦିନ ସକାଳୁ ଭିକାରିମାନେ ଭିଡ଼ ଜମାଇଦିଅନ୍ତି। ସିଆର୍‌ପିଏଫ୍‌ ଛକ, ଜୟଦେବବିହାର, ଆଇଆର୍‌ସି ଭିଲେଜ୍‌ ଭିଆଇପି ଛକସ୍ଥିତ ମହାବୀରଙ୍କ ମନ୍ଦିରରେ ପ୍ରତି ମଙ୍ଗଳବାର ଭିକାରିଙ୍କ ଭିଡ଼ ଦେଖିବାକୁ ମିଳେ। ସେହିଭଳି ପ୍ରତି ସୋମବାର ଶିବ ମନ୍ଦିରରେ ଏଭଳି ଦୃଶ୍ୟ ସାଧାରଣ କଥା। ସଂକ୍ରାନ୍ତିରେ ମଧ୍ୟ ସବୁ ଶିବ ମନ୍ଦିରରେ ଭିକାରିମାନେ ଭିକ ମାଗୁଥିବାରୁ ଦୃଶ୍ୟ ଦେଖାଯାଏ। ଏହାବାଦ ବିଭିନ୍ନ ପର୍ବପର୍ବାଣୀରେ ପ୍ରାୟ ସବୁ ମନ୍ଦିରରେ ଭିକାରିମାନେ ଭିକ ମାଗୁଛନ୍ତି। ଏହା ଉପରେ ପ୍ରଶାସନର ଅଙ୍କୁଶ ନାହିଁ। ଏଭଳି ଦିନରେ ଭିକାରି ସାଜୁଥିବା ମହିଳା ଓ ପୁରୁଷମାନେ ସପ୍ତାହର ଅନ୍ୟ ଦିନରେ ଘରେ ବସିରହନ୍ତି। ସପ୍ତାହର ତିନି ଦିନ ସେମାନେ ଭିକ୍ଷାବୃତ୍ତିରୁ ଯେତିକି ରୋଜଗାର କରନ୍ତି, ସେଥିରେ ସପ୍ତାହକର ଖର୍ଚ୍ଚ ଉଠିଯାଏ।
ରାଜଧାନୀରେ ଭିକାରି ଥଇଥାନ ଦାୟିତ୍ବରେ ଥିବା ଏକ ସଂସ୍ଥାର କର୍ମକର୍ତ୍ତାଙ୍କ କହିବା କଥା ନିର୍ଦ୍ଦିଷ୍ଟ ଦିନମାନଙ୍କରେ ମନ୍ଦିର ଦୁଆରେ ବସି ହାତ ପାତୁଥିବା ଭିକାରିମାନେ ନିୟମିତ ଏଭଳି କରୁନାହାନ୍ତି। ସେମାନେ କେବଳ ସେହି ଦିନରେ ହିଁ ମନ୍ଦିର ଦୁଆରେ ବସି ପୁଣି ଘରକୁ ଫେରିଯାଆନ୍ତି। ସେମାନଙ୍କର ଘରଦ୍ୱାର ରହିଛି। ତେଣୁ ସେମାନଙ୍କୁ ଉଠାଇ ଆଣି ଥଇଥାନ କେନ୍ଦ୍ରରେ ରଖିବା ଆବଶ୍ୟକ ନୁହେଁ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭିକ ଦେବା ପ୍ରସଙ୍ଗକୁ ଏକ ପୁଣ୍ୟ ବୋଲି ବିବେଚନା କରି ସେମାନଙ୍କୁ ପଇସାପତ୍ର ଦାନ ଦେଉଛନ୍ତି ଏବଂ ସେମାନଙ୍କ ମନରେ ଲାଳସା ବଢ଼ାଉଛନ୍ତି। ମନ୍ଦିର ଦୁଆରେ ଭିକାରିମାନଙ୍କୁ ଜୋରଜବରଦସ୍ତ ଉଠାଇଲେ, ଭାବାବେଗକୁ ଆଘାତ କରିବ। କିନ୍ତୁ ପ୍ରଶାସନ ଚାହିଲେ, ହୋଇପାରିବ।

Share Now:

Kalinga News Beuro

Next Post

ପରମାଣୁ ଯୁଦ୍ଧ ମୁହାଁ ପୁଟିନ୍ : ସୈନ୍ୟଙ୍କୁ ଆଣବିକ ଅସ୍ତ୍ରଶସ୍ତ୍ର ଅଭ୍ୟାସ କରିବାକୁ ଦେଲେ ନିର୍ଦ୍ଦେଶ

Mon May 6 , 2024
ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ମାସରୁ ଅଧିକ ସମୟ ଧରି ଚାଲିଛି। ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ଏପରିସ୍ଥଳେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ତାଙ୍କର ବିପଜ୍ଜନକ ଉଦ୍ଦେଶ୍ୟ ଦର୍ଶାଇଛନ୍ତି। ପରମାଣୁ ଅସ୍ତ୍ରଶସ୍ତ୍ରର ଅଭ୍ୟାସ କରିବାକୁ ରୁଷିଆର ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ପୁଟିନ୍ ପରମାଣୁ ଯୁଦ୍ଧ ମୁହାଁ ହୋଇଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। […]
ପରମାଣୁ ଯୁଦ୍ଧ ମୁହାଁ ପୁଟିନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial