ଲିଙ୍ଗରାଜ କ୍ଷେତ୍ରରେ ଦୟନୀୟ ରାସ୍ତା : ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ଲିଙ୍ଗରାଜ କ୍ଷେତ୍ରରେ ଦୟନୀୟ ରାସ୍ତା

ଭୁବନେଶ୍ୱର: ସମ୍ପ୍ରତି ପୁରୁଣା ଭୁବନେଶ୍ବରର ପ୍ରାୟ ସବୁ ରାସ୍ତାର ଅବସ୍ଥା ବଡ଼ କଦର୍ଯ୍ୟ‌। ପ୍ରମୁଖ ରାସ୍ତା ରଥରୋଡ୍‌ରୁ ଆରମ୍ଭ କରି ଗ୍ୟାରେଜ୍‌ ଛକରୁ ମନ୍ଦିର ରାସ୍ତା, ସାମନ୍ତରାପୁର ରାସ୍ତା, ମହତାବ ଦୁଲ୍ଲାଦେବୀ ରୋଡ୍‌, ଟଙ୍କପାଣି ରାସ୍ତା ସବୁଠି ସମାନ ଅବସ୍ଥା। ପ୍ରାୟ ସବୁ ରାସ୍ତା ଖାଲଖମାରେ ଭର୍ତ୍ତି। ତେଣୁ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା କାରଣରୁ ନିୟମିତ ବ୍ୟବଧାନରେ ମରାମତି ହେଉନଥିବାରୁ ପୁରୁଣା ଭୁବନେଶ୍ବରବାସୀ ବର୍ଷ ବର୍ଷ ଧରି ଦହଗଞ୍ଜ ହେଉଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଲିଙ୍ଗରାଜ କ୍ଷେତ୍ରରେ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ରାସ୍ତା ହେଉଛି ରଥ ରୋଡ୍‌। ପ୍ରତିଦିନ ଏହି ରାସ୍ତାରେ ୧୦ ହଜାରରୁ ଅଧିକ ଲୋକ ଯା’ଆସ କରନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେବାୟତ ଓ ପର୍ଯ୍ୟଟକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ମାତ୍ର ଏହି ରାସ୍ତାରେ ସବୁଆଡ଼େ ଖାଲଖମା। ଏହି ରାସ୍ତାର ବଡ଼ଦାଣ୍ଡ ସାହି ନିକଟରେ ଫୁଟେ ଲେଖାଏଁ ଖାଲ। ପୁଣି ବହୁ ସମୟରେ ଡ୍ରେନ୍‌ ପାଣି ରସ୍ତା ଉପରକୁ ଆସି ଜମିରହୁଛି। ଏଥିସହ ପିଏଚ୍‌ଡି ପାଣି ବି ରାସ୍ତାରେ ଭାସୁଛି। ଖାଲଖମା ସାଙ୍ଗକୁ ମଝିରେ ମଝିରେ ପାଣି ଜମିବାରୁ ଏହି ରାସ୍ତାରେ ଯାତାୟାତ ବଡ଼ ବିପଦପୂର୍ଣ୍ଣ ହୋଇପଡ଼ୁଛି। ବିଶେଷକରି ରାତିରେ ଏହି ମୁଖ୍ୟ ରାସ୍ତାଟି ବେଶ୍ ବିପଜ୍ଜନକ ହୋଇପଡ଼ୁଛି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରରୁ ଗ୍ୟାରେଜ୍‌ ଛକକୁ ଯିବା ରାସ୍ତା ଓ ସମାନ୍ତରାପୁରକୁ ଯିବା ରାସ୍ତାରେ ବି ବହୁତ ଖାଲଖମା ରହିଛି। ଏଥିସହିତ ମହତାବ ଦୁଲ୍ଲାଦେବୀ ରୋଡ୍‌, ଟଙ୍କପାଣି ରୋଡ୍‌ରେ ବି ଅନୁରୂପ ଅବସ୍ଥା। ମହତାବ ରୋଡ୍‌ରେ ଦୀର୍ଘ ଦିନ ଧରି ଡ୍ରେନ୍‌ କାମ ଚାଲିଥିଲା। ଏବେ କାମ ସରିଛି। କିନ୍ତୁ ରାସ୍ତାରୁ ଖାଲଖମା ଦୁର କରିବା ପାଇଁ ନୂଆ ପିଚୁ କରାଯାଇନାହିଁ। ଆର୍‌ଏଣ୍ଡ୍‌ ବି ଅଧୀନରେ ଥିବା ଏହି ରାସ୍ତା ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ ବୋଲି ଅଭିଯୋଗ ହେଉଛି। ଟଙ୍କପାଣି ରୋଡ୍‌, ଗ୍ୟାରେଜ୍‌ ଛକ ରୋଡ୍‌ ସାରା ବାଲି ଜମିରହିଛି। ଖାଲଖମାରେ ଭରପୂର ଏହି ରାସ୍ତାର ଅଧା ଅଂଶ ବାଲି ମାଡ଼ିବସିଥିବାରୁ ଯାତାୟାତରେ ବଡ଼ ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ଏସବୁ ରାସ୍ତାର ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି।

Share Now:

Kalinga News Beuro

Next Post

ଚୋରିରେ କଟକ ଶୀର୍ଷରେ : ସହରରେ ମାତିଲେଣି ଲୁଟିଆ ଏରାଗୁଲା ଗ୍ୟାଙ୍ଗ

Thu Dec 8 , 2022
କଟକ: କଟକ ସହରରେ ସମ୍ପତ୍ତି ଜନିତ ଅପରାଧ ମାମଲାରେ ଚୋରି ଭଳି ଅପରାଧ ଶୀର୍ଷ ସ୍ଥାନରେ ରହିଛି। ତା’ ପଛକୁ ସିନ୍ଧିଚୋରି ଦ୍ବିତୀୟ ସ୍ଥାନ, ଛିନତାଇ ଓ ଡକାୟତି ଭଳି ଅପରାଧରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଗଲା ପାଞ୍ଚ ବର୍ଷ ହେବ ରହି ଆସିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବାଲିଯାତ୍ରା ପରେ ପୁଣି ସହରରେ ମାତିଥିବା ଲୁଟେରା ଦଳ ୧୫ ଦିନ ଭିତରେ ସମାନ ଶୈଳୀରେ ୫ […]
ଚୋରିରେ କଟକ ଶୀର୍ଷରେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial