ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ନିଆଁ : ୧୦ ଦିନରେ ୧୪ ବନାଗ୍ନି

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ନିଆଁ

ଗୁଳ୍ମ ପ୍ରଜାତି ନଷ୍ଟ

ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ଜଙ୍ଗଲ ନିଆଁ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ ହେଁ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଛି। କେତେବେଳେ ଡମପଡ଼ା ରେଞ୍ଜରେ ତ ଆଉ କେତେବେଳେ କୁଜିମହଲ ବିଟ୍‌ରେ ଗଛ ଜଳିପୋଡ଼ି ପାଉଁଶ ହୋଇଯାଉଛି। ୨୪ ଦିନ ହେଲା ଅଭୟାରଣ୍ୟରେ ବାରମ୍ବାର ନିଆଁ ଲାଗୁଥିଲେ ମଧ୍ୟ ଅସାମାଜିକତତ୍ତ୍ୱଙ୍କୁ ଠାବ କରିବାରେ ବନ ବିଭାଗ ବିଫଳ ହୋଇଛି। ଫଳରେ ଗୋଟିଏ ସ୍ଥାନରୁ ନିଆଁ ଲିଭୁଣୁ ଅନ୍ୟ ସ୍ଥାନରେ ଜଳୁଛି। ବନ୍ୟପ୍ରାଣୀଙ୍କ ଲାଗି ଏବେ ବିପଦ ସୃଷ୍ଟି ହୋଇଥିବାରୁ ସେମାନେ ଗାଁ ଓ ସହରମୁହାଁ ହେଲେଣି। ହରିଣ, କୁଟୁରା, ବାର୍‌ହା, ମୟୂର, ଠେକୁଆ‌ ଭଳି ବନ୍ୟପ୍ରାଣୀ ଗାଁ ଗଣ୍ଡାକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। କେବଳ ନିଆଁ ନୁହେଁ, ଅଭୟାରଣ୍ୟରେ ଏବେ ପାଣି ସମସ୍ୟା ଦେଖାଦେଲାଣି। ପୋଖରୀଗୁଡ଼ିକ ଶୁଖିଯାଇଥିବା ବେଳେ ଡେରାସ, ଝୁମୁକା ଭଳି ଡ୍ୟାମ୍‌ର ଜଳସ୍ତର ପୂର୍ବବର୍ଷ ତୁଳନାରେ ୨ରୁ ୪ଫୁଟ୍ ତଳକୁ ଖସିଥିବା ଦେଖିବାକୁ ମିଳିଛି।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଗତ ୧୦ ଦିନରେ ଅଭୟାରଣ୍ୟର ୧୪ଟି ସ୍ଥାନରେ ନିଆଁ ଲାଗିଲାଣି। ସେଥିମଧ୍ୟରୁ ଡମପଡ଼ା ରେଞ୍ଜ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଭୟାରଣ୍ୟରେ ଯେତିକି ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଅର୍ଦ୍ଧାଧିକ କେବଳ ଡମପଡ଼ା ରେଞ୍ଜରେ। ଦୁଇଟି ବଡ଼ଧରଣର ଜଙ୍ଗଲ ନିଆଁ ନଜରକୁ ଆସିଛି। ନିଆଁର ପ୍ରଭାବ ସେତେଟା ନ ଥିଲେ ମଧ୍ୟ ବହୁ ପରିମାଣରେ ଛୋଟ ଛୋଟ ଗଛ ପ୍ରଭାବିତ ହୋଇଛି। ୨୧ ତାରିଖ ଦିନ ଚନ୍ଦକା ରେଞ୍ଜର ୬ଟି ସ୍ଥାନ ଓ ୨୨ ତାରିଖରେ ଡମପଡ଼ା ରେଞ୍ଜର ଦୁଇଟି ସ୍ଥାନରେ ଜଙ୍ଗଲ ଜଳୁଥିବା ସମ୍ପର୍କରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ତଥ୍ୟ କହୁଛି। ୮ଟି ଯାକ ବନାଗ୍ନି ଏବେ ଆୟତ୍ତରେ ରହିଛି। ଗତ ୧୭ତାରିଖରେ ଡମପଡ଼ା ରେଞ୍ଜର ପିଠାଖିଆ ବିଟ୍ ଏବଂ ୧୪ ତାରିଖରେ ଗୟଳବାଙ୍କ ଓ ଭଗାଇପୁର ବିଟ୍‌ରେ ନିଆଁ ଲାଗିଥିଲା। ଯେଉଁଥିରେ ଅନେକ ଔଷଧୀୟ ବୃକ୍ଷ ନଷ୍ଟ ହୋଇଛି। ବଡ଼ ଗଛଗୁଡ଼ିକ ନିଆଁରୁ ରକ୍ଷା ପାଇ ଯାଇଥିଲେ ମଧ୍ୟ ପତ୍ର ଓ ଡାଳ କେତେକ ସ୍ଥାନରେ ଜଳିପୋଡ଼ି ପାଉଁଶ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇ ନଥିବା ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ବନ ଅଧିକାରୀଙ୍କ କହିବାନୁଯା‌ୟୀ ଅଭୟାରଣ୍ୟରେ ଲାଗୁଥିବା ନିଆଁ ମନୁଷ୍ୟକୃତ। ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଅସାମାଜିକତତ୍ତ୍ବମାନେ ଜଙ୍ଗଲରୁ କାଠ ଚୋରି କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆଁ ଲଗାଇ ଦେଉଛନ୍ତି। ସେମାନଙ୍କୁ ଜଗିବାକୁ ବନ କର୍ମଚାରୀମାନେ ଦିନରାତି ପହରା ଦେଉଛନ୍ତି। ଡ୍ରୋନ୍‌ ସହାୟତାରେ ଜଙ୍ଗଲ ଉପରେ ନଜର ରଖାଯାଇଛି। ନିଆଁ ଲାଗିଥିବା ନେଇ ଏଫ୍‌ଏସ୍‌ଆଇରୁ ରିପୋର୍ଟ ମିଳିବା କ୍ଷଣି ବନ କର୍ମଚାରୀମାନେ ତାହାକୁ ଲିଭାଉଛନ୍ତି। ଯେଉଁଥିପାଇଁ ଏବେ ସୁଦ୍ଧା ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇନାହିଁ। ଜଙ୍ଗଲ ଭିତରେ ୫ଟି ଗାଁର ଲୋକେ ରହୁଥିବାରୁ ଏଭଳି ସମସ୍ୟା ହେଉଛି। ଜନସାଧାରଣଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇପାରିବ।

Share Now:

Kalinga News Beuro

Next Post

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ : ସୋନପୁରରେ ଫୁଙ୍କିବେ ନିର୍ବାଚନ ବିଗୁଲ୍‌

Thu Apr 25 , 2024
ଝାରସୁଗୁଡ଼ା/ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରେ ସାଂସଦ ଜୁଏଲ ଓରାକ, ସୁରେଶ ପୂଜାରୀ ସ୍ୱାଗତ କରିଛନ୍ତି। ଝାରସୁଗୁଡ଼ାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସୋନପୁର ଅଭିମୁଖେ ବାହାରିବେ। ସୋନପୁରରେ ସେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ସମ୍ବୋଧିତ କରିବେ। ଶ୍ରୀ ଶାହ ସୋନପୁରରେ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ସଂଗୀତା କୁମାରୀ […]
ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial